ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା

ବାଲେଶ୍ବର: ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଶୁକ୍ରବାର ଦିନ ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡ ରାୟ ଶୁଣାଇଛି ବାଲେଶ୍ୱର ସ୍ୱତନ୍ତ୍ର ପୋକସୋ କୋର୍ଟ। କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଲାଗୁ ହୋଇଛି। ତେବେ ୨୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ବର୍ଷେ ପର୍ଯ୍ଯନ୍ତ ସମୟ ଦିଆଯାଇଛି। ପୋକସୋ କୋର୍ଟର ସ୍ବତନ୍ତ୍ର ଜର୍ଜ ଗିରିଜା ପ୍ରସାଦ ମହାପାତ୍ର ଏହି ମାମଲାର ବିଚାର କରି ରାୟ ଶୁଣାଣୀ କରିଥିବା ବେଳେ ପୋକସୋ ସ୍ବତନ୍ତ୍ର ପିପି ପ୍ରଣବ ପଣ୍ଡା ଏହି ମାମଲା ପରିଚାଳନା କରୁଥିଲେ।
ସୂଚନା ଅନୁସାରେ, ୨୦୧୮ ମସିହା ଅଗଷ୍ଟ ମାସ ୧୨ ତାରିଖର ଘଟଣା। ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଅର୍ନ୍ତଗତ କୁଆରପୁର ଗାଁର ଜଣକ ଘରେ ନାବଳିକା ପରିବାର ଓ ଅଭିଯୁକ୍ତ ଅଭିମନ୍ୟୁ ଭଡ଼ାରେ ରହୁଥିଲେ। ତେବେ ବାପା ମାଆ ଘରେ ନଥିବା ବେଳେ ନାବାଳିକା ଘରେ ଏକୁଟିଆ ବସି ଟିଭି ଦେଖୁଥିବା ସମୟରେ ଅଭିମନ୍ୟୁ ଘରେ ପଶି ନାବଳିକାର ଦୁଷ୍କର୍ମ କରିଥିଲେ। ଏଥିରେ ନାବାଳିକା ବାପା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିଲା। ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏହି ମାମଲାର ବିଚାର କରି ସ୍ବତନ୍ତ୍ର ପୋକସୋ କୋର୍ଟ ଶୁକ୍ରବାର ଦିନ ରାୟ ଶୁଣାଇଛନ୍ତି। ଅଭିଯୁକ୍ତକୁ ୩୭୬(ଏବି) ଏବଂ ୬ ପୋକସୋ ଆକ୍ଟ ୬ ଲାଗୁ କରାଯାଇ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଦିଆଯାଇଛି।