ରାଜଧାନୀରେ ପୁଣି ଦୁର୍ଘଟଣା : ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ, ଡ୍ରାଇଭର ଓ ହେଲପର୍ ଗୁରୁତର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବଢିଚାଲିଛି ସଡକ ଦୁର୍ଘଟଣା। ଅସାବଧାନ ଓ ବେପରୁଆ ଗାଡ଼ି ଚାଳନା ଯୋଗଁ ବାରମ୍ବାର ଦୁର୍ଘଟଣା ଘଟିଛାଲିଛି। ବିଶେଷ କରି ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଜାତୀୟ ରାଜପଥ ଉପରେ ଟ୍ରକ ଓ ହାଇୱା ପରି ବଡ ଗାଡିଗୁଡିକ ବେପରୁଆ ଚଳାଇ ଅଧିକ ଦୁର୍ଘଟଣା ଘଟାଉଛନ୍ତି।
ଗତ ସୋମବାର ରାଜଧାନୀ ଉପକଣ୍ଠ ପଳାସୁଣି ଛକରେ ଟ୍ରକ୍ ଧକ୍କାରେ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣା ଏଯାଏଁ ମନରୁ ନ ଲିଭୁଣୁ ଆଜି ପୁଣି କ୍ୟାପିଟାଲ ଲ କଲେଜ ଆଗ ଫ୍ଲାଇଓଭର ବ୍ରିଜ ଉପରେ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୋଟିଏ ଟ୍ରକକୁ ଆଉ ଗୋଟିଏ ଟ୍ରକ ପଛରୁ ଧକ୍କା ଦେଇଛି। ଯାହା ଫଳରେ ଧକ୍କା ଦେଇ ଥିବା ଟ୍ରକର ଡ୍ରାଇଭର ଓ ହେଲପର୍ ଟ୍ରକ ମଧ୍ୟରେ ଫସି ରହିଛନ୍ତି। ଦୁର୍ଘଟଣାର ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ଗାଡିରୁ ଉଦ୍ଧାର କରି ମେଡିକାଲ ପଠାଇଛି।
ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ୩.୩୦ ସମୟରେ ନୟାପଲ୍ଲୀ କ୍ୟାପିଟାଲ ଲ କଲେଜ ଆଗ ଫ୍ଲାଇଓଭର ବ୍ରିଜ ଉପରେ AP 16 TY 8749 ଟ୍ରକଟି ଯାଉଥିଲା । ଏହି ସମୟରେ ପଛରୁ ଆସୁଥିବା OD02AZ 4560 ଟ୍ରକଟି ପଛରୁ ଧକ୍କା ଦେଇଥିଲା। ଧକ୍କା ହେବା ଫଳରେ ଟ୍ରକ ମଧ୍ୟରେ ଫସି ରହିଯାଇଥିଲେ ଡ୍ରାଇଭର ଓ ହେଲପର୍। ରାସ୍ତାରେ ଥିବା ଲୋକମାନେ ତତ୍କ୍ଷଣାତ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ସହାୟତାରେ ଡ୍ରାଇଭର ଓ ହେଲପର୍ଙ୍କୁ ଉଦ୍ଧାର କରିଥିଲା। ଚାପିହୋଇ ରହିବା ଫଳରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ଯାହା ଫଳରେ ଅଗ୍ନିଶମ ବାହିନୀ ଡ୍ରାଇଭର ଓ ହେଲପର୍ଙ୍କୁ ମେଡିକାଲକୁ ପଠାଇ ଦେଇଛି।