ଭୋଗ ଖାଇ ୨୦୦ରୁ ଉର୍ଦ୍ଧ୍ବଲୋକ ଅସୁସ୍ଥ: ଜଣେ ମୃତ, ୧୧ ଗୁରୁତର

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଦାରୁହା ଗାଁରେ ଅନ୍ନଭୋଗ ଖାଇ ୨୦୦ ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଗାଁରେ ଆତଙ୍କ ଖେଳି ଯାଇଛି। ମୃତ ମହିଳା ଜଣକ ପରେଶ ସାହୁଙ୍କ ପତ୍ନୀ ସଞ୍ଜୁ ରାଣୀ ସାହୁ (୨୬) ବୋଲି ଜଣାପଡ଼ିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ବାଲେଶ୍ୱରରୁ ଏକ ଡାକ୍ତରୀ ଦଳ ସମ୍ପୃକ୍ତ ଗାଁରେ ପହଁଚି ଚିକିତ୍ସା ଆରମ୍ଭ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଗତ ଶନିବାର ଦିନ ଉକ୍ତ ଗାଁର ସୁଜନ ଦାସଙ୍କ ଘରେ ହରିନାମ ସଂକୀର୍ତ୍ତନ ସହ ଅନ୍ନଭୋଗ ପ୍ରସ୍ତୁତ ହୋଇଥିଲା। ନିମନ୍ତ୍ରଣ ଅନୁଯାଇ ଗାଁ ଲୋକେ ଭୋଗ ଖାଇଥିଲେ। ତେବେ ସେହି ଦିନ ରାତିରୁ ଅନେକ ଲୋକଙ୍କ ପେଟ କାଟିବା ସହିତ ଝାଡ଼ା ହୋଇଥିଲା। ଲୋକେ ଝାଡ଼ା ପାଇଁ ସ୍ଥାନୀୟ ଔଷଧ ଦୋକାନରୁ ଔଷଧ କିଣି ଖାଇବାରୁ ଟିକେ ସୁସ୍ଥ ହୋଇଥିଲେ। ମାତ୍ର ରାତିରୁ ଭୋଜି ଖାଇଥିବା ପ୍ରାୟ ସମସ୍ତ ଲୋକଙ୍କର ପୁଣି ଝାଡ଼ା ହେବା ସହ ବାନ୍ତି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ କିଛି ଲୋକ ଜଳେଶ୍ୱରପୁର ଡାକ୍ତରଖାନାରେ ଆଜି ଦ୍ୱିପ୍ରହରରେ ଭର୍ତ୍ତି ହୋଇଥିଲେ। ତେବେ ସଂଜୁରାଣୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଅନ୍ୟମାନେ ଚିକିତ୍ସା ପରେ ଆଜି ସନ୍ଧ୍ୟାରେ ଘରକୁ ଫେରିଯାଇଥିଲେ। ସେହିପରି ଗାଁରେ ଆହୁରି ଅଧିକ ଲୋକେ ଆକ୍ରାନ୍ତ ଥିବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା କରୁଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର କମଳାକାନ୍ତ ଜେନା ସୂଚନା ଦେଇଛନ୍ତି।

Leave a comment