ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ନିଶା ନିବାରଣ କେନ୍ଦ୍ରର ମୁଖ୍ୟ ଗିରଫ: ଅନ୍ୟ ଏକ ନିର୍ଯ୍ୟାତନା ଭିଡିଓ ଭାଇରଲ

ବାରିପଦା : ବାରିପଦାସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ମୁଖ୍ୟ ଅବନୀ ପତିକୁ ବାରିପଦା ଟାଉନ ପୁଲିସ ପୁଣି ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଆଦେଶକୁ ଅବମାନନା କରି ପୂର୍ବବତ କେନ୍ଦ୍ର ଖୋଲିବାରୁ ତାଙ୍କୁ ଆଉ ଥରେ ଗିରଫ କରାଯାଇଛି ବୋଲି ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି। ଏ ସଂକ୍ରାନ୍ତରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି।

କିଛି ଦିନ ତଳେ ନିଶା ନିବାରଣ କେନ୍ଦ୍ରରେ ଜନୈକ ଦିବ୍ୟାଙ୍ଗ ଅନ୍ତେବାସୀକୁ ଅଭିଯୁକ୍ତ ଅବନୀ ମ୍ୟୁଜିକର ତାଳେ ତାଳେ ନୃତ୍ୟ କରି ଏକ ପ୍ଳାଷ୍ଟିକ ପାଇପରେ ମାଡ ମାରିବା ସହ ପାଦ ଚଟାଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଜିଲ୍ଲା ଦିବ୍ୟାଙ୍ଗ ସଂଘ ସଭାପତିଙ୍କ ଅରୁଣ କୁମାର ବେହେରାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତ୍ୱରିତକାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅବନୀ ପତି ଓ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିଛି ଦିନ ପରେ ବିଚାରବିଭାଗୀୟ ହାଜତରୁ ଫେରିବା ପରେ ଶ୍ରୀ ପତି ପୁନର୍ବାର ଏହି କେନ୍ଦ୍ରକୁ ଚାଲୁ କରିଥିଲେ। ଏହି ଘଟଣାକୁ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ତଦନ୍ତକାରୀ ପୁଲିସ ଅଧିକାରୀ ମିଳିତ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପରେ ଉକ୍ତ କେନ୍ଦ୍ରକୁ ବନ୍ଦ କରିବା ସହ ସିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ନିଶା ନିବାରଣ କେନ୍ଦ୍ର ପାଇଁ କୌଣସି ସରକାରୀ ଅନୁମତି ନଥିବା ବେଳେ କେବଳ ଏକ ଟ୍ରଷ୍ଟ ରହିଥିବା ଜଣାପଡ଼ିଛିି। ବେଆଇନ ଭାବେ ପ୍ରତିଜ୍ଞା ନାମକ ନିଶା ନିବାରଣ କେନ୍ଦ୍ର ଖୋଲି ଅନ୍ତେବାସୀଙ୍କ ଠାରୁ ମାସକୁ ୬ହଜାର ୫ଶହ ଟଙ୍କା ଆଦାୟ କରି ଅତି ନିମ୍ନ ମାନର ଖାଦ୍ୟ ସାଙ୍ଗକୁ ଚିକିତ୍ସା କରୁଥିଲେ। ଏପରିକି ଅନ୍ତେବାସୀମାନେ ମୁହଁ ଖୋଲିଲେ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ। ପୁଲିସ ହାତରେ ପୁଣି ଏକ ଭାଇରାଲ ଭିଡ଼ିଓ ପହଞ୍ଚିଛି। ଏଥିରେ ଶ୍ରୀ ପତି ଅନ୍ତେବାସୀଙ୍କୁ ଖୁଣ୍ଟରେ ବାନ୍ଧି ଗୋଇଠା ମାଡ ମାରିବା ସହ ପିନ କଣ୍ଟା ବାଡେଇ ଲହୁଲୁହାଣ କରିବା ଭଳି ଅମାନବୀୟ ଘଟଣାର ଭିଡିଓ ଭାଇରଲ ହେଉଛି। ଏଥିରେ ସେ ମ୍ୟୁଜିକର ତାଳେ ତାଳେ ମାଡ ମାରୁଥିବାର କୋହଭରା ଦୃଶ୍ୟ ଥିବା ବେଳେ ବେଳେ ପିନ କଣ୍ଟା ବାଡେଇ ଲହୁଲୁହାଣ କରୁଥିବାର ଏକ ଦୃଶ୍ୟ  ରହିଛି। ଏପରି ଲୋମହର୍ଷଣ ଭିଡିଓକୁ ଦେଖିବା ପରେ ପୁଲିସ ଅଭିଯୁକ୍ତ ପତିଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି।

ଏଭଳି ଅମାନୁଷିକ କାଣ୍ଡ କରୁଥିବା କେନ୍ଦ୍ରକୁ ପୁଲିସ ପକ୍ଷରୁ ତୁରନ୍ତ ବନ୍ଦ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ତେବେ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କୁ ଅନ୍ୟତ୍ର ଥଇଥାନ କରିବା ପରେ କେନ୍ଦ୍ରକୁ ସିଲ କରାଯିବ ବୋଲି ଥାନାଧିକାରୀ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଶ୍ରୀ ପତି ଦ୍ୱିତୀୟ ଥର ଗିରଫ ହେବା ପୂର୍ବରୁ ରବିବାର ବାରିପଦା ସହରର ଏକ ହୋଟେଲରେ ସାମ୍ବାଦିକ ସମ୍ମଳନୀ ଆୟଜୋନ କରି ସାମ୍ବାଦିକଙ୍କୁ ଯୋଗ ଦେବା ପାଇଁ ବ୍ୟକ୍ତିଗତ ଦେଖା/ଫୋନ କରି ଆମନ୍ତ୍ରଣ କରିଥିଲେ। ସେ ନିର୍ଦୋଷ, ପ୍ରଥମ ଭିଡ଼ିଓ ଭାଇରାଲର ସ୍ପଷ୍ଟିକରଣ ଦେବା ସହିତ ନିଜ ପ୍ରତି ଅନ୍ୟାୟ ହୋଇଥିବା କହିବା ପାଇଁ ଏହି ସମ୍ମିଳନୀ ହେବ ବୋଲି ସେ କହିଥିଲେ। ତେବେ ତା’ ପୂର୍ବରୁ ପୁଣି ଏକ ଭିଡ଼ିଓ ଭାଇରାଲ ସାଙ୍ଗକୁ ସେ ପୁଣି ଗିରଫ ହୋଇଥିଲେ।

Leave A Reply

Your email address will not be published.