ରାସନ କାର୍ଡରେ ଦତ୍ତା ସାଙ୍ଗିଆ ସ୍ଥାନରେ ଅଧିକାରୀ ଲେଖିଲେ କୁତ୍ତା, ତା ପରେ ଯାହା ହେଲା..ଦେଖନ୍ତୁ ଭିଡିଓ….

କୋଲକାତା : ବର୍ତ୍ତମାନ ସମୟରେ ରାସନ କାର୍ଡ ହେଉକି ଭୋଟର କାର୍ଡ କିମ୍ବା ଆଧାର କାର୍ଡ ସବୁଠି କେବେ ନାଁ ଭୁଲ ଲେଖା ହେଉଛି ତ ଆଉ କେଉଁଠି ଜନ୍ମ ତାରିଖ। ଯାହାକୁ ସଜାଡିବାକୁ ଲୋକଙ୍କୁ ବହୁ ହଇରାଶ ହରକତ ହେବାକୁ ପଡୁଛି। ଦାୟିତ୍ବରେ ଥିବା ସରକାରୀ ବାବୁଙ୍କ ଖାମଖିଆଲି ମନଭାବ ଲାଗି ସାଧାରଣ ବ୍ୟକ୍ତି ନାନା ହଇରାଣ ହୁଅନ୍ତି। ଏହାକୁ ଠିକ୍ କରିବା ପାଇଁ ସରକାରୀ ଅଫିସ ଦୌଡନ୍ତି। ଯାହା ଆପଣ ବାରମ୍ବାର ଦେଖିଥିବେ। କିନ୍ତୁ ଆପଣ କେବେ ଦେଖିଛନ୍ତି କି କୌଣସି ବ୍ୟକ୍ତି ନିଜର ରାସନ କାର୍ଡରେ ଭୁଲ ସାଙ୍ଗିଆ ପାଇଁ କୁକୁର ଭଳି ଭୁକି ଭୁକି ପ୍ରତିବାଦ ଜଣାଇବା। ତେବେ ଆଜି ଆମେ ଆପଣଙ୍କୁ ସେହିପରି ଏକ ଖବର ବିଷୟରେ ଜଣାଇବା ସହ ସେହି ଭିଡିଓଟି ମଧ୍ୟ ଦେଖାଇବୁ ଯାହା ଅପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଭିନ୍ନ ଢ଼ଙ୍ଗରେ ପ୍ରତିବାଦ କରିଥିବା ଉକ୍ତ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ଭୁଲୁଛି।

ବାସ୍ତବରେ ଘଟଣାଟି ହେଉଛି ପଶ୍ଚିମବଙ୍ଗର। ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ସାମ୍ନାରେ କୁକୁର ଭଳି ଭୁକି ଭୁକି ପ୍ରତିବାଦ କରିଥିବା ଉକ୍ତ ବ୍ୟକ୍ତି ହେଉଛନ୍ତି କୋଲକାତା ବାଙ୍କୁରାର ଶ୍ରୀକାନ୍ତ ଦତ୍ତା । ରାସନ କାର୍ଡରେ ତାଙ୍କ ସାଙ୍ଗିଆ ଭୁଲକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଭୁକି ଭୁକି ପ୍ରତିବାଦ କରିଛନ୍ତି । ରାସନ କାର୍ଡ଼ରେ ଶ୍ରୀକାନ୍ତଙ୍କ ୩ ଥର ନାଁ ଭୁଲ ରହିଛି । ଥରେ ଶ୍ରୀକାନ୍ତ ମଣ୍ଡଳ, ଦ୍ୱିତୀୟ ଥର ଶ୍ରୀକାନ୍ତି ଲେଖାହୋଇଥିଲା । ତୃତୀୟ ଥର ଶ୍ରୀକାନ୍ତ ଦତ୍ତା ମଣ୍ଡଳ ବଦଳରେ ଶ୍ରୀକାନ୍ତ କୁତ୍ତା ଲେଖାଯାଇଥିଲା । ପ୍ରଶାସନର ଏଭଳି ଭୁଲରେ ଅତିଷ୍ଠ ହୋଇ ବିଡିଓଙ୍କ ଗାଡ଼ି ଆଗରେ ଭୁକି ଭୁକି ନାଁ ସୁଧାରିବାକୁ ଦାବି କରିଛନ୍ତି ଶ୍ରୀକାନ୍ତ ।


ପ୍ରକୃତରେ ରାସନ କାର୍ଡରେ ସାଙ୍ଗିଆ ବଦଳି ଯାଇଥିବା ଦେଖି ଶ୍ରୀକାନ୍ତ ଏହାକୁ ଠିକ୍ କରିବା ପାଇଁ ଦସ୍ତାବିଜ ନେଇ ସରକାରୀ ଅଫିସରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ରାସନ କାର୍ଡରେ ଲେଖାଥିବା ତାଙ୍କ ନାଁକୁ ସଠିକ୍ କରିବା ପାଇଁ ସେ ନିବେଦନ କରିଥିଲେ। କିନ୍ତୁ କର୍ମଚାରୀମାନେ ତାଙ୍କର ଉପହାସ କରି ସେଠାରୁ ଫେରାଇ ଦେଇଥିଲେ। ଏହାପରେ ଶ୍ରୀକାନ୍ତ ବିରୋଧ କରିବା ପାଇଁ ଏହି ଉପାୟ ଆପଣଇଥିଲେ। ବିଚ୍ ରାସ୍ତାରେ ସରକାରୀ ବାବୁଙ୍କ ଗାଡିକୁ ଅଟକାଇ ସେ କୁକୁର ଭଳି ଭୁକି ଥିଲେ। ପ୍ରଥମେ ସରକାରୀ ବାବୁ ଜଣକ ଶ୍ରୀକାନ୍ତ ଏଭଳି କାହିଁକି ପ୍ରତିବାଦ କରୁଛନ୍ତି ତାହା ବୁଝି ପାରିନଥିଲେ। ପରେ ଶ୍ରୀକାନ୍ତଙ୍କ ଅଭିଯୋଗକୁ ସ୍ୱୀକାର କରିଥିଲେ, ତାଙ୍କ ରାସନ କାର୍ଡରେ ହୋଇଥିବା ଭୁଲ୍ ସୁଧାରିବା ପାଇଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଘଟଣାକୁ ନେଇ ବାଙ୍କୁରା-୨ ବିକାନା ପଞ୍ଚାୟତରେ ରହୁଥିବା ଶ୍ରୀକନ୍ତ ଦତ୍ତ କହିଛନ୍ତି, ‘ମୁଁ ରାସନ କାର୍ଡ ପାଇଁ ଆବେଦନ କରିଥିଲି। ପ୍ରଥମ ପର୍ଯ୍ୟାୟରେ ରାସନ କାର୍ଡ ମିଳିଥିଲା। ତେବେ ଏଥିରେ ଶ୍ରୀକାନ୍ତ ଦତ୍ତା, ଶ୍ରୀକାନ୍ତ ମଣ୍ଡଳ ହୋଇଥିଲା। ସୁଧାର ପାଇଁ ପୁଣି ଏକ ଆବେଦନ କରିଥିଲି। ଏଥର ଶ୍ରୀକାନ୍ତ କୁମାର ଦତ୍ତ କରାଯାଇଥିଲା। ଏହାପରେ ପୁଣି ଏକ ଆବେଦନ କରିଥିଲି, କିନ୍ତୁ ଏଥର ମଣିଷ ନୁହେଁ, କୁକୁର କରିଦେଲେ। ରାସନ କାର୍ଡରେ ଶ୍ରୀକାନ୍ତ କୁମାର କୁତ୍ତା ଲେଖାଯାଇଥିଲା। ଏହି ଘଟଣା ପରେ ମୁଁ ମାନସିକ ସ୍ତରରେ ଭାଙ୍ଗି ପଡିଥିଲି। ଏହାକୁ ନେଇ ବିଡିଓକୁ ମଧ୍ୟ ଜଣାଇଥିଲି କିନ୍ତୁ କୌଣସି ଜବାବ ମିଳି ନଥିଲା।’ଶେଷରେ ବିରୋଧ କରିବା ପାଇଁ ଏହି ଉପାୟ ଆପଣଇଥିଲେ।

Leave a comment