ଏକରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀରେ ରହିପାରିବେନି ଜଣେ ମହିଳା, ସୂଚନା ମିଳିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : କୌଣସି ମହିଳା ଏକରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି)ରେ ରହିପାରିବେ ନାହିଁ। ଯଦି କୌଣସି ମହିଳା ଏକରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀରେ ଥିବାର ସୂଚନା ମିଳେ, ତେବେ ତାଙ୍କ ବିରୁଦ୍ଧରେ ଆଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇପାରିବ। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ ନିକଟରେ ବିଧାନସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀମତା ହେମ୍ବ୍ରମ୍‍ କହିଛନ୍ତି ଯେ, ରାଜ୍ୟରେ ଏବେ ୬,୦୨,୦୧୩ଟି ସ୍ୱୟଂ ସହାୟିକା ଗୋଷ୍ଠୀ ରହିଛି। ଏଥିରେ ୭୦ଲକ୍ଷ ୧୦ ଜଣ ମହିଳା ସଦସ୍ୟ ସଦସ୍ୟା ରହିଛନ୍ତି।

ତେବେ କୌଣସି ମହିଳା ଏକାଧିକ ଗୋଷ୍ଠୀରେ ଥିବା ସୂଚନା ମିଳିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ମନ୍ତ୍ରୀଙ୍କ ଉତ୍ତରରୁ ମିଳିଥିବା ସୂଚନା ଅନୁଯାୟୀ, ୪୧,୨୦୧ ଟି ସ୍ୱୟଂ ସହାୟିକା ଗୋଷ୍ଠି ଗଞ୍ଜାମ ଜିଲ୍ଲାରେ ରହିଛି। ଏଠାରେ ବି ସର୍ବାଧିକ ୪,୨୮,୮୫୯ ଜଣ ମହିଳା ସଦସ୍ୟା ରହିଛନ୍ତି। ଏହା ପଛକୁ ମୟୂରଭଞ୍ଜ ଜିଲ୍ଲାରେ ୩୯,୧୮୪ ଟି ଏସଏଚଜି ଗୋଷ୍ଠି ରହିଛି। କଟକ ଜିଲ୍ଲାରେ ତୃତୀୟ ସର୍ବାଧିକ ୩୨,୬୪୧ ଗୋଷ୍ଠି ରହିଛି। ସେହିଭଳି ପୁରୀ ଜିଲ୍ଲାରେ ୩୧,୦୮୮, ସୁନ୍ଦରଗଡରେ ୨୭,୬୮୭, କେନ୍ଦୁଝରରେ ୨୬,୨୪୦ଟି ଗୋଷ୍ଠୀ ରହିଛି। ସବୁଠାରୁ କମ୍‍ ମାତ୍ର ୫୫୧୮ ସ୍ୱୟଂ ସହାୟିକା ଗୋଷ୍ଠି ବୌଦ୍ଧରେ ଥିବାବେଳେ ଏଠାରେ ମହିଳା ସଦସ୍ୟାଙ୍କ ସଂଖ୍ୟା ୫୭,୯୩୨ ରହିଛି।

Leave a comment