ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡିଶାର ଏମିତି ଏକ ଗାଁ; ଯେଉଁ ଗାଁକୁ ପଶେନି ଆମିଷ, ସମସ୍ତେ ଖାଆନ୍ତି ନିରାମିଷ

ଢେଙ୍କାନାଳ(ଅମରେନ୍ଦ୍ର ଦାସ): ଏମିତି ଏକ ଗାଁ, ଯେଉଁ ଗାଁର ସମସ୍ତେ ନିରାମିଷାଶୀ। ବର୍ଷରେ କେବେ ବି ଗାଁରେ କାହା ଘରେ ଆମିଷ ହେବାର ଦେଖାଯାଏ ନାହିଁ। ଏମିତି ଏକ ଗାଁ ହେଉଛି ଭୁବନ ବ୍ଲକ ଏକତାଳି ଗ୍ରାମର ବେଣ୍ଟସାଳିଆ। ଗ୍ରାମରେ ପାଖାପାଖି ୪୦୦ ଲୋକ ବସବାସ କରନ୍ତି। ସମସ୍ତେ ଗୋପାଳ ବୈଷ୍ଣବ ଜାତିର। ଗ୍ରାମରେ ବସତି ସ୍ଥାପନ ହେବା ପରଠାରୁ ପିଢିପରେ ପିଢି କୌଣସି ବ୍ୟକ୍ତି ଆମିଷ ଖାଆନ୍ତି ନାହିଁ। ଛୋଟ ଛୁଆଙ୍କଠୁ ଆରମ୍ଭ ବୃଦ୍ଧ, ବୃଦ୍ଧା ଯାଏଁ କେହି ଜଣେ ମଧ୍ୟ ଆଜି ଯାଏଁ ଆମିଷ ଖାଇ ନ ଥିବା କହିଛନ୍ତି। ପୂର୍ବ ପୁରୁଷମାନେ ଖାଉ ନ ଥିଲେ ସେମାନଙ୍କୁ ପାଥେୟ କରି ଆଜିର ଲୋକମାନେ ମଧ୍ୟ ଖାଉ ନ ଥିବା କହିଛନ୍ତି। ସାରା ରାଜ୍ୟରେ କିଛିଦିନ ତଳେ ସୂର୍ଯ୍ୟପରାଗ ସମୟରେ ହେତୁବାଦୀମାନେ ଆମିଷ ଖାଇବାକୁ ନେଇ ବେଶ୍‌‌ ଚର୍ଚ୍ଚା ଲାଗିରହିଥିଲା। କିନ୍ତୁ ବେଣ୍ଟସାଳିଆ ଗ୍ରାମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

ସାଧାରଣତଃ ହିନ୍ଦୁ ଧର୍ମାବଲମ୍ବୀ ଲୋକମାନେ କାର୍ତ୍ତିକ ମାସକୁ ଧର୍ମର ମାସ ଭାବେ ବିଶ୍ୱାସ କରିବା ସହ ଭଗବାନଙ୍କ ଶରଣାପନ୍ନ ହୋଇ ଏହି ମାସରେ ଆମିଷ ଭକ୍ଷଣ କରନ୍ତି ନାହିଁ। ଆଉ କିଛି ଲୋକ ଶ୍ରାବଣ କିମ୍ବା ମାଘ ମାସକୁ ପାଳନ କରନ୍ତି ଓ ଆମିଷ ଖାଆନ୍ତି ନାହିଁ; କିନ୍ତୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବେଣ୍ଟଶାଳିଆ ଗ୍ରାମର ଲୋକମାନେ ସାରା ବର୍ଷ ଆମିଷ ଖାଆନ୍ତି ନାହିଁ। ଏମିତିକି ଗ୍ରାମକୁ ଆମିଷ ମଧ୍ୟ ପ୍ରବେଶ କରେ ନାହିଁ। ସାରାବର୍ଷ ସେମାନଙ୍କ ପାଇଁ ହୋଇଥାଏ କାର୍ତ୍ତିକ ମାସ। ଆଜିର ସମାଜରେ ଏଭଳି ଗ୍ରାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ।

କଥିତ କାହାଣୀ ଅନୁସାରେ ରାଜାରାଜୁଡ଼ା ଶାସନ ସମୟରେ ରାଜାଙ୍କ ପାଖରେ କାମ କରୁଥିବା ସମୟରେ ଏହି ବର୍ଗର ଲୋକମାନଙ୍କୁ ରାଜା ଆମିଷ ଭକ୍ଷଣ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସେମାନେ ଆମିଷ ଖାଇବାକୁ ମନା କରିଥିଲେ। ଏହାର ପରୀକ୍ଷା କରିବାକୁ ଯାଇ ରାଜା ଗୋଟିଏ ମାଠିଆରେ ସାପ ଓ କଉଡି ରଖି ପରୀକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାଠିଆ ଭିତରୁ କଉଡି ଆଣିବା ବେଳେ ଯଦି ସାପ ଦଂଶନ ନ କରିବ ତେବେ ସେମାନେ ଆମିଷ ଖାଉ ନ ଥିବା ପ୍ରମାଣିତ ହେବ ବୋଲି ରାଜା କହିଥିଲେ। ଗୋପାଳ ବୈଷ୍ଣବ ବ୍ୟକ୍ତି ମାଠିଆ ଭିତରୁ ମଧ୍ୟ କଉଡିକୁ ବାହାର କରିଥିଲେ ସାପ କାମୁଡିନଥିଲା। ସେହିଦିନଠାରୁ ରାଜା ଆମିଷ ଭକ୍ଷଣ ନିର୍ଦ୍ଦେଶ ପ୍ରତ୍ୟାହାର କରି ନେଇଥିଲେ। କେଉଁ କେତେକାଳରୁ ଗ୍ରାମର ଲୋକମାନେ ଏହାକୁ ମାନି ଆସିଛନ୍ତି ଓ ଆମିଷ ଭକ୍ଷଣ କରୁ ନାହାନ୍ତି।

ଗ୍ରାମରେ ସବୁଦିନ ଆଧ୍ୟାତ୍ମିକ ପରିବେଶ ଦେଖାଦେଇଥାଏ। ପ୍ରତ୍ୟେକ ଦିନ ଉଭୟ ପୁରୁଷ ଓ ମହିଳାମାନେ ଭଜନ, ସଂକୀର୍ତ୍ତନ ମଧ୍ୟ କରିଥାନ୍ତି। ଏମିତିକି ଅନ୍ୟ ଗ୍ରାମରୁ ଡାକରା ଆସିଲେ ସେଠାକୁ ମଧ୍ୟ ଯାଇଥାଆନ୍ତି ସଂକୀର୍ତ୍ତନ କରିବା ପାଇଁ। ଏହି ବେଣ୍ଟସାଳିଆ ଗ୍ରାମ ସମଗ୍ର ଅଞ୍ଚଳରେ ଆମିଷ ଖାଉ ନ ଥିବା ଯୋଗୁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଗ୍ରାମରେ ଥିବା ଅଙ୍ଗନବାଡିକୁ ସରକାରଙ୍କ ତରଫରୁ ଦିଆଯାଉଥିବା ଅଣ୍ଡାକୁ ମଧ୍ୟ ବାରଣ କରିଛନ୍ତି। ଏହାର ପ୍ରତିବଦଳରେ ସେମାନଙ୍କୁ ଅଣ୍ଡା ବଦଳରେ କଦଳି ଦିଆଯାଉଛି।

Leave A Reply

Your email address will not be published.