ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଚକ୍ରଧରପୁର ଗାଁ, ଯେଉଁଠି ଲୋକେ ପୁରୁଷପୁରୁଷ ଧରି ବିକ୍ରି କରିଆସୁଛନ୍ତି ଉଖୁଡ଼ା ଓ ମିଠା ଚଣା

ବାରିପଦା(ମନୋଜ ପଣ୍ଡା): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତର ଚକ୍ରଧରପୁର ଗାଁ। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଆଖପାଖ ଅଞ୍ଚଳରେ ଏ ଗାଁର ଭାରି ନାଁ। ଲୋକେ କହନ୍ତି ଏ ଗାଁର ନାଁ ଶୁଣିଲେ ମୁହଁ ମିଠା ହୋଇଯାଏ। ଏ ଗାଁର ଲୋକେ ପୁରୁଷପୁରୁଷ ଧରି ଉଖୁଡ଼ା ଓ ମିଠା ଚଣା ପ୍ରସ୍ତୁତ କରି ବିକ୍ରି କରିଆସୁଛନ୍ତି। ଅଗ୍ନିଉତ୍ସବରୁ ଆରମ୍ଭ କରି ଦୋଳ ମେଳଣ ଯାଏ ଆଖପାଖ ଅଞ୍ଚଳରେ ସେମାନଙ୍କ ବେପାର ଚାଲେ। ଏହି ଅଳ୍ପ କେଇଦିନର ବେପାରରୁ ବର୍ଷଯାକ ଘର ଚଳେ।
ରାଜରାଜୁଡ଼ା ଅମଳରୁ ଏ ଗାଁର ୨୪ ପରିବାର ଏ ଉଖୁଡ଼ା ଓ ଚଣାଭଜା ପ୍ରସ୍ତୁତ କରି ଆସୁଛନ୍ତି। ଠିକ୍ରେ କହି ନ ପାରିଲେ ମଧ୍ୟ ଅତି କମରେ ୩ ପୁରୁଷର ଏ ବେପାର। ବେହେରା, ସାହୁ ଓ ପ୍ରଧାନ ଏମିତି ୩ ଘରର ଲୋକେ ଏ କାରବାର ଆରମ୍ଭ କରିଥିଲେ। ଧୀରେଧୀରେ ଅନ୍ୟମାନେ ମଧ୍ୟ ଏହି ବେଉସାକୁ ଆଦରି ନେଇଛନ୍ତି। ଏ ଗାଁର ଉଖୁଡ଼ା ଓ ଚଣାଭଜାର ଆଦର ଦୁଇ ଜିଲ୍ଲାରେ। ଅନ୍ୟ ଅଞ୍ଚଳର ଲୋକେ ଯିଏ ଥରେ ଏହାର ସ୍ୱାଦ ପାଇଛି ପରେ ବାଲେଶ୍ୱର କି ମୟୂରଭଞ୍ଜ ଗଲେ ଉଖୁଡ଼ା ଓ ଚଣା ନିହାତି ଖୋଜନ୍ତି।
ବହୁତ ଚଣା ଆବଶ୍ୟକ ହେଉଥିଲେ ମଧ୍ୟ ଏ ଗାଁରେ କେହି ଚଣା ଚାଷ କରନ୍ତି ନାହିଁ। ଉତ୍ତର ବାଲେଶ୍ୱରର ବାଲିଆପାଳ ଅଞ୍ଚଳରେ ଏ ସ୍ୱତନ୍ତ୍ର ଚଣାଚାଷ ହୁଏ। ଅଗଷ୍ଟ/ସେପ୍ଟେମ୍ବରରେ ମଞ୍ଜି ବୁଣାବୁଣି ଓ ନଭେମ୍ବର/ଡିସେମ୍ବରରେ ଅମଳ ହୁଏ। ଅମଳ ପରେ ସେଠାକାର ଚାଷୀଙ୍କଠାରୁ ଚକ୍ରଧରପୁର ଗ୍ରାମର ଏହି ବ୍ୟବସାୟୀମାନେ କୁଇଣ୍ଟାଲ କୁଇଣ୍ଟାଲ ଚଣା ଆଣି କାଠ ଚୁଲି ଦ୍ୱାରା ମାଟିହାଣ୍ଡିରେ ଗରମ ବାଲି ପକାଇ ଭାଜିଥାନ୍ତି। ପରେ ତାହା ଖାଇବା ଏବଂ ବିକ୍ରି ଯୋଗ୍ୟ ହୋଇଥାଏ। ସେମିତି ଧାନ ଓ ମକା ଖଇର ଉଖୁଡ଼ା ବି ବହୁତ ମାତ୍ରାରେ ପ୍ରସ୍ତୁତ ହୋଇଥାଏ।
ରାଜେନ୍ଦ୍ର ବେହେରା (୬୫)ଙ୍କ କହିବାନୁଯାୟୀ ତାଙ୍କ ବାପା ସଦାଶିବ ବେହେରା ଉଖୁଡ଼ା ଓ ଚଣା ପ୍ରସ୍ତୁତ କରୁଥିଲେ। ଏହା ସହିତ ସେହିଗ୍ରାମର ସୁରେନ୍ଦ୍ର ବେହେରା ଓ ଅନ୍ୟମାନେ ବି ଏଥିରେ ନିୟୋଜିତ ଥିଲେ।
ଅଗ୍ନିଉତ୍ସବ ବା ଅଗିରା ପୂର୍ଣ୍ଣିମା ପରେ ବଡ଼ସାହି ନିକଟରେ ବସୁଥିବା ହିଙ୍ଗୁଳା ମେଳାରୁ ଏହି ବ୍ୟବସାୟ ଆରମ୍ଭ ହୋଇଥାଏ। ମାଣତ୍ରୀ ଶିବରାତ୍ରି ମେଳା, ପିଞ୍ଛାବଣିଆ ଓ ସାଇଁକୁଳା ଦୋଳ ମେଳା, ବାଲେଶ୍ୱର ନହରପାଟଣା ଓ ଖୁଣ୍ଟା ଡୁଡୁହା ବାରୁଣୀ ମେଳା, ବୈଶିଙ୍ଗା ମହୁରୀ ଓ ବାଲେଶ୍ୱର ଫୁଲାଡ଼ି ଉଡ଼ାଯାତ୍ରାରେ ଚଣା ଓ ଉଖୁଡ଼ାର ଦୋକାନ ଖୋଲେ। ପ୍ରବଳ ଭିଡ଼ ବି ହୁଏ। ଏହି ବ୍ୟବସାୟ ପାଇଁ ଗ୍ରାମବାସୀ ବାଲିଆପାଳ ଉପରେ ନିର୍ଭରଶୀଳ ଥିଲେ ହେଁ ନିଜ ଗ୍ରାମରେ ଚାଷ ପାଇଁ ଆଗ୍ରହ ଦେଖାଇ ନାହାନ୍ତି। କୃଷି ବିଭାଗ ମଧ୍ୟ ଅଞ୍ଚଳର ଚାହିଦା ପାଇଁ ବିକଳ୍ପ ଚାଷ ପ୍ରତି ନଜର ଦେଇନାହିଁ। ଦିନକୁ ଦିନ କଞ୍ଚାମାଲ ଦରବୃଦ୍ଧି ତୁଳନାରେ ପ୍ରସ୍ତୁତ ସାମଗ୍ରୀ ଦର ବୃଦ୍ଧି ହେଉ ନ ଥିବାରୁ ପୂର୍ବଭଳି ବ୍ୟବସାୟରେ ଲାଭ ହେଉ ନାହିଁ ବୋଲି ଦିବାକର ସାହୁ, କଟିଆ ବେହେରା, ପଙ୍କଜ ବେହେରା, ଭଗିରଥ ପ୍ରଧାନ ଓ ଭାସ୍କର ବେହେରା ପ୍ରମୁଖ କହିଛନ୍ତି। ବାପା, ଜେଜେବାପା ସମୟରେ ଭାରରେ କାନେ୍ଧଇ ମେଳାସ୍ଥାନକୁ ଯାଇ ମିଳୁଥିବା ଲାଭ ବର୍ତ୍ତମାନ ଆଉ ନାହିଁ। ମେଳାରେ ଚାଟ, ଗୁପଚୁପ, ଲସି ଓ ଫାଷ୍ଟଫୁଡ଼ ବେପାର ପାରମ୍ପରିକ ବ୍ୟବସାୟ ପ୍ରତି ବାଧକ ସାଜିଛି; ତଥାପି ବୃତ୍ତିଗତ ବ୍ୟବସାୟକୁ ଆମେ ବଞ୍ଚାଇ ରଖିଛୁ ବୋଲି ସଭିଏଁ କହିଛନ୍ତି।