ପେଟ ପାଇଁ ବନାରସରୁ ପୁରୀ ଯାତ୍ରା

ଭୁବନେଶ୍ୱର : ପେଟପାଟଣା ପାଇଁ ଟାଇଁଟାଇଁ ଖରା ବି ସେମାନଙ୍କୁ ଜଣାପଡ଼ୁ ନ ଥିଲା। ମୁଣ୍ଡରେ ଥିଲା ପଗଡ଼ି ଆଉ ହାତରେ ଥିଲା ଓଟର ଲଗାମ। ଆଗେ ଆଗେ ଚାଲୁଥାନ୍ତି ଚାଳକ ଓ ପଛରେ ଯାଉଥାନ୍ତି ଓଟ। ରୋଜଗାର ଆଶାରେ ବନାରସରୁ ଓଡ଼ିଶା ମୁହାଁ ହୋଇଛନ୍ତି ୪ ଓଟ ଚାଳକ। ଓଟରେ ପିଲାମାନଙ୍କୁ ସବାରୀ କରି ପରିବାର ପୋଷୁଥିବା ବେଳେ କରୋନା ପରେ ପୂର୍ବଭଳି ରୋଜଗାର ନହେବାରୁ ପୁରୀ ଅଭିମୁଖେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା। କିଛି ସମୟର ବର୍ତ୍ତାଳାପରେ ସେମାନେ ବଖାଣିଥିଲେ କରୋନା ସମୟର କରୁଣ କାହାଣୀ।
ମହାମାରୀ କରୋନା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ଅଣ୍ଟା ଭାଙ୍ଗିଦେଇଥିବା ବେଳେ ଛୋଟ ବ୍ୟବସାୟୀମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି।

ବିଶେଷକରି ଘୋଡ଼ା, ଓଟ ଚଳାଇ ଦି ପଇସା ରୋଜଗାରରେ ପରିବାର ଭରଣପୋଷଣ କରୁଥିବା ବ୍ୟବସାୟୀମାନେ ପୁଣି ଥରେ ସଳଖି ଛିଡ଼ା ହେବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ବାଧ୍ୟହୋଇ ଅନେକ ନିଜ ରାଜ୍ୟ ଛାଡ଼ି ବ୍ୟବସାୟ ଆଶାରେ ଓଡ଼ିଶା ମୁହଁ ହୋଇଛନ୍ତି ବୋଲି କହିଛନ୍ତି। ହାମାରୀ ପରେ ଆର୍ଥିକ ସଙ୍କଟରେ କିଭଳି ଜୀବନ ବିତାଉଛନ୍ତି ତାହାକୁ ବର୍ଣ୍ଣନା କରିଥିଲେ। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଓଟ ଚଳାଇ ରୋଜଗାର କରୁଥିବା ବେଳେ କରୋନା ସମୟରେ ପର୍ଯ୍ୟଟନସ୍ଥଳୀଗୁଡ଼ିକ ବନ୍ଦ ରହିବାରୁ ଏମାନଙ୍କ ରୋଜଗାର ବାଟ ବନ୍ଦ ହୋଇଯାଇଥିଲା। ମହାମାରୀ କାରଣରୁ୨ବର୍ଷ ଧରି ହାତବାନ୍ଧି ବସି ରହିଥିଲେ। ଏମିତିକି ଓଟମାନଙ୍କ ପେଟକୁ ଦାନା ଦେବା ସେମାନଙ୍କ ପାଇଁ ସମ୍ଭବ ହୋଇ ନ ଥିଲା।

ବର୍ତ୍ତମାନ ପରିସ୍ଥିତି ସୁଧୁରିବା ପରେ ବି ବ୍ୟବସାୟ ଭଲ ହେଉ ନ ଥିବାରୁ ପୁରୀରେ ଅଧିକ ପର୍ଯ୍ୟଟକ ଆସୁଥିବାରୁ କିଛି ରୋଜଗାର କରିବା ଲକ୍ଷ୍ୟରେ ଏଠାକୁ ଆସିଥିବା ସେମାନେ କହିଥିଲେ। ପ୍ରତିବର୍ଷ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ରାୟପୁର ଆଦି ସ୍ଥାନରେ ୨ରୁ ୩ମାସ ଲେଖାଏଁ ରହି ସେଠାରେ ଛୋଟ ପିଲାମାନଙ୍କୁ ସବାରୀ କରି ଦିନକୁ ୩୦୦ରୁ ୪୦୦ଟଙ୍କା ରୋଜଗାର କରିଥାନ୍ତି। ୪ମାସ ପୂର୍ବରୁ ବନାରସରୁ ବାହାରିଥିବା ଏହି ୪ଜଣିଆ ଦଳ ଝାଡ଼ଖଣ୍ଡ, ରାଉରକେଲା, ଢେଙ୍କାନାଳ ଦେଇ ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହାପରେ ପୁରୀ ଅଭିମୁଖେ ଯାଇଥିଲେ। ବର୍ଷା ଋତୁ ଯାଏ ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକମାନଙ୍କୁ ସବାରୀ କରିବେ ବୋଲି ଓଟ ଚାଳକ ବିଜୟ ଶଙ୍କର କହିଛନ୍ତି।

Leave a comment