ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚରମ ସୀମାରେ ଋଷ୍-ୟୁକ୍ରେନ୍ ବିବାଦ: ଭାରତୀୟଙ୍କୁ ଆଣିବା ପାଇଁ ୟୁକ୍ରେନ୍ ଗଲା ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ: ଚରମ ସୀମାରେ ପହଞ୍ଚିଛି ଋଷ୍-ୟୁକ୍ରେନ୍ ବିବାଦ। ମଧ୍ୟରାତ୍ରୀରେ ପୁଟିନଙ୍କ ସମ୍ବୋଧନ ପରେ ଆହୁରି ବିଗିଡ଼ିଛି ସ୍ଥିତି । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ବିଦ୍ରୋହୀଙ୍କ କବଜାରେ ଥିବା ପୂର୍ବ ୟୁକ୍ରେନର ଦୁଇ ପ୍ରାନ୍ତକୁ ପୁଟିନ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିବା ସହ ସୈନ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡୋନେସ୍କ ଓ ଲୁଗାନସ୍କୁ ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେବା ଆଇନରେ ଦସ୍ତଖତ କରିଛନ୍ତି ଭ୍ଲାଦିମିର ପୁଟିନ । ଏହା ସହ ମସ୍କୋକୁ ବ୍ଲାକମେଲ କରିବା ଚଳିବ ନାହିଁ ବୋଲି ସେ ଖୋଲା ଧମକ ଦେଇଛନ୍ତି ।

ଏସବୁ ଭିତରେ ଭାରତ ସରକାର ୟୁକ୍ରେନରେ ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ପଠାଇଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖି ଭାରତ ସରକାର ନିଜ ଦେଶର ନାଗରିକଙ୍କୁ ସ୍ଥିତି ସ୍ୱାଭାବିକ ନ ହେବା ଯାଏ ସ୍ୱଦେଶ ଫେରି ଆସିବାକୁ କହିଥିଲେ। ହେଲେ ଠିକଣା ସମୟରେ ବିମାନ ଟିକେଟ ମିଳୁ ନଥିବାରୁ ସେଠାରେ ରହିଥିବା ଭାରତୀୟ ନାଗରିକ ଓ ଶିକ୍ଷାର୍ଥୀ କେମିତି ଆସିବେ, ତା’କୁ ନେଇ ଚିନ୍ତାରେ ପଡ଼ିଥିଲେ। ଏବେ ଭାରତ ସରକାର ସେମାନଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ପଠାଇଛନ୍ତି। ବି-୭୮୭ ବିମାନରେ ୨୦୦ ସିଟ୍ ରହିଛି। ଏହାକୁ କେବଳ ସ୍ୱତନ୍ତ୍ର ଅପରେସନ ବେଳେ ବ୍ୟବହାର କରାଯାଇ ଥାଏ। ଆଜି ସକାଳୁ ଏହା ୟୁକ୍ରେନ ଅଭିମୁଖେ ଉଡ଼ାଣ ଭରିଛି। ସେଠାରୁ ଭାରତୀୟଙ୍କୁ ଧରି ଆଜି ରାତିରେ ବିମାନଟି ନୂଆଦିଲ୍ଲୀରେ ପହଞ୍ଚିବ।

 

Leave A Reply

Your email address will not be published.