ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୂତାଣୁକୁ ଚିହ୍ନଟ କରି ମେସେଜ୍ ପଠାଇବ ସ୍ମାର୍ଟ ମାସ୍କ

ପବନରେ ଅନେକ ରେସ୍ପିରେଟରି ଭାଇରସ୍‌ ଥାଏ, ଯାହାକି କୋଭିଡ୍‌ ଓ ଏଚ୍‌୧ଏନ୍‌୧ ଇନ୍‌ଫ୍ଲୁଏଞ୍ଜା ସୃଷ୍ଟି କରିବାର ମୁଖ୍ୟ କାରଣ। କୌଣସି ସଂକ୍ରମିତ ବ୍ୟକ୍ତି କାଶିବା, ଛିଙ୍କିବା କିମ୍ବା କଥାହେବା ସମୟରେ ଭାଇରସ୍‌ ଓ ଏରୋସୋଲ୍‌ ମଲିକ୍ୟୁଲ୍‌ ପବନର ସଂସ୍ପର୍ଶରେ ଆସିଥାଏ। ଏହି ଭାଇରସ୍‌ଯୁକ୍ତ ମଲିକ୍ୟୁଲ୍‌ ପବନରେ ଅଧିକ ସମୟ ପର୍ଯ୍ୟନ୍ତ ଥାଏ। ଏଥିରୁ ରକ୍ଷା ପାଇବା ପାଇଁ ସାଂଘାଇ ଟୋଙ୍ଗଜି ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏକ ସ୍ମାର୍ଟ ମାସ୍କ ତିଆରି କରିଛନ୍ତି। ଏହି ମାସ୍କ ଦ୍ବାରା ବ୍ୟକ୍ତିର ଆଖପାଖରେ ଥିବା କୌଣସି ଭୂତାଣୁ ଚିହ୍ନଟ ହୋଇପାରିବ ଏବଂ ୧୦ ମିନିଟ୍‌ ଭିତରେ ଏହାର ମେସେଜ୍‌ ମୋବାଇଲ୍‌କୁ ଆସିବ। ଏହି ପଦ୍ଧତି ଦ୍ବାରା ଅନାବଶ୍ୟକ ମାସ୍କ ପିନ୍ଧିବାର ହାନିକାରକ ପ୍ରଭାବକୁ ମଧ୍ୟ ଏଡ଼ାଇ ଦେଇ ହେବ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ସଠିକ୍‌ ଭେଣ୍ଟିଲେସନ୍‌ ହେଉନଥିବା ସ୍ଥାନ, ଲିଫ୍ଟ, ବନ୍ଦ ହୋଇ ରହିଥିବା କୋଠରି ଆଦିରେ ସଂକ୍ରମଣର ଭୟ ଅଧିକ ଥାଏ। ତେଣୁ ଏଭଳି ସ୍ଥାନଗୁଡ଼ିକରେ ସ୍ମାର୍ଟ ମାସ୍କ ଅଧିକ ଉପାଦେୟ ହୋଇପାରିବ। ଏହି ମାସ୍କକୁ ଏଭଳି ଡିଜାଇନ୍‌ କରାଯାଇଛି, ଯେଉଁଥିରେ ଭବିଷ୍ୟତର କୌଣସି ହାନିକାରକ ଭାଇରସ୍‌କୁ ଚିହ୍ନଟ କରିବା ପାଇଁ ଏଥିରେ ଥିବା ସେନ୍ସର୍‌କୁ ପରିବର୍ତ୍ତନ କରାଯାଇପାରିବ। ଏବେ ଭାଇରସ୍‌ ଚିହ୍ନଟ ଓ ମେସେଜ୍‌ ପଠାଇବାର ସମୟକୁ କମ୍‌ କରିବା ପାଇଁ ଉନ୍ନତ ଧରଣର ପଲିମର୍‌ ଓ ଟ୍ରାଞ୍ଜିଷ୍ଟର୍‌ ଉପରେ ଗବେଷଣା କରାଯାଉଛି। ଭୂତାଣୁ ପବନ ସଂସ୍ପର୍ଶରେ ଆସିଲେ, ମାସ୍କରେ ଥିବା ଆୟନ୍‌-ଗେଟେଡ୍‌ ଟ୍ରାଞ୍ଜିଷ୍ଟର୍‌ ସିଗନାଲ୍‌କୁ ବୃଦ୍ଧି କରିଥାଏ। ଏହାକୁ ପିନ୍ଧିଥିବା ବ୍ୟକ୍ତି ଫୋନ୍‌ ମାଧ୍ୟମରେ ଏହି ମେସେଜ୍‌ ପାଇଯିବେ। ଭବିଷ୍ୟତରେ ଏହି ମାସ୍କ କ୍ୟାନ୍ସର୍‌ ଓ ହୃଦ୍‌ ସମ୍ବନ୍ଧୀୟ ରୋଗର ଚିହ୍ନଟ କରିବା ପାଇଁ ଏକ ମେଡିକାଲ୍‌ ଉପକରଣ ଭାବେ ବ୍ୟବହାର କରାଯାଇପାରିବ। ଏହି ସ୍ମାର୍ଟ ମାସ୍କ ଦ୍ବାରା ଅନ୍ୟାନ୍ୟ ଭୂତାଣୁଜନିତ ରୋଗ ଚିହ୍ନଟ ହୋଇପାରିବ କି ନାହିଁ, ତାହାକୁ ନେଇ ଅଧିକ ଗବେଷଣା କରାଯାଉଛି।

Leave A Reply

Your email address will not be published.