ରିଲିଜ୍ ହେଲା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କଣ୍ଠଦାନ କରିଥିବା ସଙ୍ଗୀତ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’, ଦେଖନ୍ତୁ ଭିଡିଓ….
ଭୁବନେଶ୍ୱର : ଆଜି ଉତ୍କଳ ଦିବସ ଅବସରରେ ରିଲିଜ୍ ହୋଇଛି ଓଡ଼ିଆ ଭାବୋଦ୍ଦୀପକ ସଙ୍ଗୀତ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’। ଗୁରୁବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ଗୀତକୁ ଉନ୍ମୋଚନ କରିଛନ୍ତି। ଏଥିରେ ରାଜ୍ୟପାଳ କଣ୍ଠଦାନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ପ୍ରଦାନ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଆ ଭାବ ଉଦ୍ଦୀପକ ଗୀତରେ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ।
ଭାରତରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ରାଜ୍ୟପାଳ ଏକ ଦେଶାତ୍ମବୋଧକ ସଙ୍ଗୀତରେ କଣ୍ଠଦାନ କରିଛନ୍ତି। ଯାହା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର କଥା। ଏହି ଗୀତଟି ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବସିତ। ଧାନ ଓଳିଆ, ସବାରୀ, ଶଗଡ଼, ଗାଈ ଗୋଠ ଆଦି ଓଡ଼ିଆ କଥା, ଶବ୍ଦ ଲୁଚି ଯାଉଥିବା ବେଳେ ଏହାକୁ ବଞ୍ଚାଇବାକୁ ଏହି ଗୀତଟି ରଚନା କରାଯାଇଛି। ଗୀତଟିକୁ ବସନ୍ତରାଜ ସାମଲ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ଭିଜୁଆଲ ନିର୍ଦ୍ଦେଶନା ଦେଇଛନ୍ତି ଜୟା ବିଶ୍ୱାସ।
ଏଥିରେ ଓଡ଼ିଶାର ଆଗଧାଡ଼ିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ୍ ନନ୍ଦ, ସୋନମ୍ ଦାସ, ଆଶୁତୋଷ ମହାନ୍ତି, ସବିଶେଷ ମିଶ୍ର, ବିଶ୍ୱଜିତ୍ ମହାପାତ୍ର, ଦେବକୃପା ମିଶ୍ର, ଅଳକା ଅଭିଲେଖା, ସମୀକ୍ଷା ମିଶ୍ର, ଲୋପାମୁଦ୍ରା ଦାଶ, ଶିୟା ମିଶ୍ର, ପ୍ରଜ୍ଞା ପ୍ରସ୍ମିତା ହୋତା, ଶଶାଙ୍କ ଶେଖର, ବସନ୍ତରାଜ ସାମଲ ଏବଂ ଶ୍ରୀଚରଣ ମହାନ୍ତି ପ୍ରମୁଖ ୧୪ଜଣ କଣ୍ଠଶିଳ୍ପୀ କଣ୍ଠଦାନ କରିବା ସହ ଅଭିନୟ କରିଛନ୍ତି। ଗତ ଫେବୃଆରୀ ୨୮ରେ ନୀଳାଦ୍ରିବିହାରର ଏକ ଷ୍ଟୁଡ଼ିଓରେ ଗୀତଟିର ଡବିଂ ହୋଇଥିଲା।ତେବେ ଏଡି ଗୀତର ନିର୍ମାତା ପ୍ରତ୍ୟେକ ଓଡ଼ିଆ ଏବଂ ଓଡ଼ିଶାବାସୀ ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ।