ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୂଅ ସଫା କଲାବେଳେ ଅଘଟଣ; ଭିଣୋଇଙ୍କୁ ରକ୍ଷା କରିବାକୁ ଯାଇ ଶ୍ୱାସ ରୁଦ୍ଧରେ ଶଳା ମୃତ

ତେଲକୋଇ: ଭିତରେ ପଶି ସଫା କରୁଥିଲେ କୂଅ । ଶ୍ଵାସ ରୁଦ୍ଧ ହେବାରୁ ଚିତ୍କାର କଲେ । ଡାକ ଶୁଣି ଭିଣୋଇକୁ ଉଦ୍ଧାର କରିବାକୁ କୂଅ ଭିତରକୁ ପଶିଗଲା ଶଳା ଓ ଭିଣୋଇକୁ ଉଦ୍ଧାର କଲା । ହେଲେ ସେଇ କୂଅ ଭିତରେ ଶ୍ଵାସ ରୁଧରେ ଜୀବନ ହାରିଲେ ଶଳା । ଅନ୍ୟପଟେ ଭିଣୋଇଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ବାଦିବିଲ ଗ୍ରାମରେ ଦେଖିବାକୁ ମିଳିଛି । ମୃତକ ଶଳା ହେଲେ କାଳିଆହତା ଗ୍ରାମର ନିରଞ୍ଜନ ମହାନ୍ତ (୩୫) ଓ ଗୁରୁତର ଭିଣୋଇ ହେଲେ ବାଦିବିଲ ଗ୍ରାମର ବ୍ରହ୍ମାନନ୍ଦ ମହାନ୍ତ (୩୫) ।

ତେବେ ସୂଚନା ଅନୁଯାୟୀ ବ୍ରହ୍ମାନନ୍ଦଙ୍କ ଘରେ ଥିବା କୂଅ ଗ୍ରୀଷ୍ମ ଦିନେ ଶୁଖି ଯାଉଥିବାରୁ କୂଅକୁ ଗଭୀର ଖୋଳିବା ପାଇଁ ନିଜେ ପାଣି ମୋଟର ଲଗାଇ ପାଣି ସୁଖାଉ ଥିଲେ । ପାଣି ଶୁଖିବା ପରେ ନିଜେ କୂଅକୁ ଓଲ୍ହାହି ଥିଲେ । ଅମ୍ଳଜାନ ଅଭାବରୁ ବ୍ରହ୍ମାନନ୍ଦଙ୍କ ଶ୍ୱାସରୁଦ୍ଧ ହେବାରୁ ସେ ଚିତ୍କାର କରି ପରିବାର ଲୋକଙ୍କୁ ଡାକି ଥିଲେ । ପାଖରେ ଶଳା ନିରଞ୍ଜନ ଥିବାରୁ ସଙ୍ଗେ ସଙ୍ଗେ କୂଅରେ ଝୁଲୁ ଥିବା ଦଉଡ଼ିରେ ଭିଣୋଇଙ୍କୁ ଉଦ୍ଧାର କରିବାକୁ କୂଅ ଭିତରକୁ ଚାଲି ଯାଇଥିଲେ । ସଙ୍ଗେ ସଙ୍ଗେ ଭିଣୋଇଙ୍କୁ ଦଉଡ଼ିରେ ବାନ୍ଧି ଦେଇଥିଲେ ଓ ବାହାରେ ଥିବା ଲୋକେ ତାଙ୍କୁ ଉପରକୁ ଉଠାଇ ଆଣିଥିଲେ । ପରେ ନିରଞ୍ଜନଙ୍କୁ ଉଦ୍ଧାର କରିବାକୁ ଲୋକ ମାନେ ସଙ୍ଗେ ସଙ୍ଗେ ଦଉଡ଼ିକୁ କୂଅ ଭିତରକୁ ପକାଇ ଥିଲେ । ମାତ୍ର ନିରଞ୍ଜନ ସେତେବେଳେ ସଂଜ୍ଞାହୀନ ହୋଇ ପଡିଥିବାରୁ ଦଉଡ଼ିକୁ ଆଉ ଧରି ପାରି ନଥିଲେ । ଫଳରେ କୂଅ ଭିତରେ ନିରଞ୍ଜନଙ୍କ ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଛି । ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟ ପଟେ ଭିଣୋଇ ବ୍ରହ୍ମାନନ୍ଦଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.