ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଁରେ ଏକତା, ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ନୂଆପଡ଼ା ଜିଲ୍ଲାର ‘ଶାନ୍ତିବନ’

ସେବିତବ୍ୟେ ମହାବୃକ୍ଷଃ..ଫଳ ଛାୟା ସମନ୍ୱିତଃ।
ୟଦି ଦୈବାତ ଫଳମ୍‌‌ ନାସ୍ତି; ଛାୟା କେନ ନିବାର୍ଯ୍ୟତେ।।

ନୂଆପଡ଼ା (ଘନଶ୍ୟାମ ଭୋଇ): ସଂସ୍କୃତରେ ଲିଖିତ ଏ ବାଣୀ ପୂରା ସତ। ଗୋଟେ ବୃକ୍ଷ ଫଳ ଓ ଛାୟା ପ୍ରଦାନ କରିଥାଏ। ଦୁର୍ଭାଗ୍ୟବଶତଃ ଯଦି ଏହି ବୃକ୍ଷ ଫଳ ପ୍ରଦାନ କରି ନ ପାରେ ତେବେ ଛାଇ ନିଶ୍ଚିତ ଦେବ। ନୂଆପଡ଼ା ଜିଲ୍ଲାର କୁଲିଆବନ୍ଧ ପଞ୍ଚାୟତର ସଦର ଗାଁରେ ଥିବା ୨ଶହ ଏକରର ଜଙ୍ଗଲ ‘ଶାନ୍ତିବନ’ ୩ଶହ ପରିବାରକୁ ଆହାର ଯୋଗାଇଛି। ଖାଲି ସେତିକି ନୁହେଁ, ଗାଁରେ ଏକତା, ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା କ୍ଷେତ୍ରରେ ମଧ୍ୟ ଶାନ୍ତିବନ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି।

ଏ ଜଙ୍ଗଲର ତିଆରି କରିବା ସହ ଏହାର ରକ୍ଷଣାବେକ୍ଷଣାର ଦାୟିତ୍ୱ ନେଇଛି ଗାଁର ଯୁବକ ସଂଘ। ସବୁକ୍ଷେତ୍ରରେ ବିକଶିତ ଏ ଗାଁର ପରିଚୟ ଶାନ୍ତିବନ। ପ୍ରାୟ ୩୮ ବର୍ଷ ତଳେ ହୋଇଥିବା ଏ ପ୍ରୟାସ ଆଜି ପାଖାପାଖି ୨ଶହ ଏକର ଜମିରେ ପରିବ୍ୟାପ୍ତ। ଗାଁର ଉତ୍ତର-ପଶ୍ଚିମ ଦିଗରେ ରହିଛି ଶାନ୍ତିବନ। ଏଠାରେ ୨ଲକ୍ଷରୁ ଊର୍ଦ୍ଧ୍ବ ଗଛ ରହିଛି। ଗାଁର ପୂର୍ବ ଦିଗରେ ରହିଛି ବେପସନ ପୁରରା ନାମକ ଆଉ ଏକ ବିସ୍ତୀର୍ଣ୍ଣ ଜଙ୍ଗଲ। ଏଠାରେ ମଧ୍ୟ ହାରାହାରି ୨ଶହ ଏକର ଜମିରେ ଏଥିରେ ଚାର, ମହୁଲ, ଶାଗୁଆନ ଭଳି ମୂଲ୍ୟବାନ ବୃକ୍ଷରାଜି ରହିଛି।

୩୮ବର୍ଷ ତଳେ ଗାଁରେ ୫୦ଜଣ ଆଗଧାଡ଼ିର ଯୁବକଯୁବତୀମାନଙ୍କୁ ନେଇ ଶାସ୍ତ୍ରୀଜୀ ଯୁବକ ସଂଘ ଗଠନ କରାଯାଇଥିଲା। ସେତେବେଳର ସରପଞ୍ଚ ମୂରଲୀଧର ରଣା ସଭାପତି ରହିଥିବାବେଳେ ହୀରାଲାଲ ପଟେଲ ସମ୍ପାଦକ ରହିଥିଲେ। ତତ୍କାଳୀନ କଳାହାଣ୍ଡି ଜିଲ୍ଲାର ନେହେରୁ ଯୁବକ ସଂଘର ସହାୟତା କ୍ରମେ ଦେଢ଼ ଲକ୍ଷ ବିଭିନ୍ନ ଗଛର ଚାରା ଆଣି ଯୁବକମାନେ ଗାଁର ଚତୁଃପାର୍ଶ୍ବରେ ଲଗାଇଥିଲେ। ପରବର୍ତ୍ତୀ ସମୟରେ ପୁଣି ଗଛ ଆଣି ଲଗାଇ ଚାଲିଲେ। ଗ୍ରାମବାସୀଙ୍କ ସେବା ଯତ୍ନ ପରେ ଗଛ ବଢି ବିରାଟ ଜଙ୍ଗଲର ରୂପ ନେଲା। ଜଙ୍ଗଲ ପ୍ରତି ଗାଁଲୋକଙ୍କ ମମତା ସମସ୍ତ ପରିବାର ମଧ୍ୟରେ ଏକ ମଜଭୁତ ସମ୍ପର୍କର ସେତୁ ଭାବେ କାମ କରିଥିଲା। ଯୁବକ ସଂଘ ଏବଂ ଗ୍ରାମବାସୀ ନିଷ୍ପତ୍ତି ନେଲେ ଯେ ପ୍ରତି ପରିବାର ୧୦ଟି ଗଛର ସେବା ଯତ୍ନ କରିବେ। ସେଥିରୁ ଉପାର୍ଜିତ ଜଙ୍ଗଲ ଜାତ ଦ୍ରବ୍ୟ ଯଥା ଚାର, ମହୁଲ ସଂଗ୍ରହ କରି ତାଙ୍କର ଗୁଜୁରାଣ ମେଣ୍ଟାଇବେ। ଆଉ ସେୟା ହିଁ କରି ଚାଲିଛନ୍ତି ସମସ୍ତ ଗ୍ରାମବାସୀ।

ଗାଁର ଚାରିଆଡେ ସବୁଜ ବନାନୀ ଏବେ ବି ଘେରି ରହିଛି। ଶାନ୍ତିବନ ଗ୍ରାମବାସୀଙ୍କ ସୁଖଦୁଃଖର ସାଥୀ ହୋଇ ରହିଛି। ମନିହାର ମାଝୀ, ଲୋହିତ ଶବର, ସଂକୀର୍ତ୍ତନ ଶବର, ଚର୍ତୁ ସିଂ ବେମାଲା, ଶ୍ୟାମଲାଲ ପଟେଲ, ସେବିକା ମଞ୍ଜରୀ ପଟେଲ, ଦୀନମଞ୍ଜରୀ ଶବର, ଚୁନୁ ମାଝୀ, ଭୋଲାନାଥ ମାଝୀ, ଅଧୀନ ମାଝୀ, ଗୋଙ୍ଗୁ ହରିଜନ, ବିଶେଶ୍ୱର ବେମାଲ, ରାଖାନ ଗଉଡ, ଆଧାର ପଟେଲ, ମାୟାରାମ ପଟେଲ, ଘନଶ୍ୟାମ ପେଟଲ, ଥାନସିଂ ଠାକୁର ପ୍ରମୁଖ ସକ୍ରିୟ ସଦସ୍ୟ ଏ ଜଙ୍ଗଲର ସୁରକ୍ଷା ପାଇଁ ସବୁବେଳେ ତତ୍ପର। ଏହା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ।

Leave A Reply

Your email address will not be published.