ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓରମାସ୍‌‌ ଓ ମିଶନ ଶକ୍ତିର ମିଳିତ ମିଶନ, ଓଡ଼ିଶାର ‘ଶିଆଳି ଥାଳି’ରେ ଖାଇବ ଦିଲ୍ଲୀ

ଭୁବନେଶ୍ୱର : ଓଡ଼ିଶାର ଶିଆଳି ପତ୍ରର ପ୍ଲେଟ୍‌‌ ଯିବ ଦିଲ୍ଲୀ। ଦିଲ୍ଲୀର ବିଭିନ୍ନ ବଡବଡ଼ ହୋଟେଲ, ଟିଫିନ୍‌‌ ଷ୍ଟଲରେ ଶିଆଳିପତ୍ର ଥାଳି ଓ ଦନାରେ ଖାଇବା ବଢ଼଼ାଯିବ। ଓରମାସ୍‌‌ ଓ ମିଶନଶକ୍ତି ପକ୍ଷରୁ ମିଳିତ ଉଦ୍ୟମ ସଫଳତା ଆଣିଛି। ଦିଲ୍ଲୀର ଏକ ଘରୋଇ ସଂସ୍ଥା ଓଡ଼ିଶାର ଶିଆଳି ପତ୍ର ପ୍ଲେଟ୍‌‌ ନେବ। ଓଡ଼ିଶାରେ ୮ଜିଲ୍ଲାରେ ଶିଆଳି ପତ୍ରରୁ ପ୍ଲେଟ୍‌‌ ଓ ଦନା ପ୍ରସ୍ତୁତ କରାଯାଉଛି। ମିଶନ୍‌‌ଶକ୍ତି ଅଧୀନରେ ୧୨ରୁ ଊର୍ଦ୍ଧ୍ବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଶିଆଳି ପତ୍ର ପ୍ଲେଟ ତିଆରି କରୁଛନ୍ତି। ମହିଳାମାନେ ଜଙ୍ଗଲରୁ ଶିଆଳିପତ୍ର ଆଣି ପ୍ଲେଟ୍‌‌ ପ୍ରସ୍ତୁତ କରୁଛନ୍ତି। ଓର୍‌‌ମାସ ପକ୍ଷରୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଶିଆଳି ପତ୍ର ଓ ପ୍ଲେଟ୍‌‌ର ମାର୍କେଟିଂ ବ୍ୟବସ୍ଥା କରାଯାଇ ସ୍ୱାବଲମ୍ବୀ କରାଯିବ। ହାତ ତିଆରି ସିଲେଇ ଶିଆଳି ପତ୍ର ପ୍ଲେଟ୍‌‌କୁ ସେହି ଏଜେନ୍ସି କିଣି ନେବା ପାଇଁ ଓର୍‌‌ମାସ୍‌‌ ପକ୍ଷରୁ ବ୍ୟବସ୍ଥା କରାଯାଉଛି।

ମେସିନ୍‌‌ ସିଲେଇ ନୁହେଁ, ଦେଶୀ ଉପାୟରେ ସିଲେଇ କରି ପ୍ରସ୍ତୁତ କରାଯାଇଥିବା ଶିଆଳି ପତ୍ର ପ୍ଲେଟ୍‌‌ ବାହାର ରାଜ୍ୟକୁ ଯିବ। ଅଧିକ ଶିଆଳି ପତ୍ର ପ୍ଲେଟ୍‌‌ ଉତ୍ପାଦିତ ହେଉଥିବା ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ରପ୍ତାନୀ କରାଯିବ। ବିଶେଷକରି ପ୍ରଥମ କରି ବୌଦ୍ଧ ଓ ଦେବଗଡ଼ର ମହିଳା ଉତ୍ପାଦକ ଗୋଷ୍ଠୀଙ୍କଠାରୁ ଏହି ସଂସ୍ଥା ଶିଆଳି ପ୍ଲେଟ୍‌‌ କିଣି ନେବେ। ପ୍ରତି ପ୍ଲେଟକୁ ୧ଟଙ୍କା ହିସାବରେ ସେମାନେ ଲକ୍ଷାଧିକ ପ୍ଲେଟ୍‌‌ ନେବେ ବୋଲି ଆଲୋଚନା ହୋଇଛି। କେବଳ ସ୍ଥାନୀୟ ବଜାରରେ ବିକ୍ରି ହେଉଥିବା ଶିଆଳି ପ୍ଲେଟ ରାଜ୍ୟ ବାହାରକୁ ଯାଇ ବିକ୍ରି ହେବ। ବୌଦ୍ଧ, ଦେବଗଡ଼, କନ୍ଧମାଳ ଜିଲ୍ଲାରେ ଅଧିକ ଶିଆଳି ପତ୍ର ପ୍ଲେଟ୍‌‌ ଉତ୍ପାଦିତ ହେଉଥିବାବେଳେ ରାୟଗଡ଼ା, ଗଜପତି, ନବରଙ୍ଗପୁର, କୋରାପୁଟ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଶିଆଳି ପତ୍ରରୁ ହାତ ସିଲେଇ ପ୍ଲେଟ୍‌‌ ପ୍ରସ୍ତୁତ କରୁଛନ୍ତି। ମହିଳମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଓର୍‌‌ମାସ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ବର୍ଷକୁ ଋତୁ ଅନୁଯାୟୀ ୨-୩ମାସ କେବଳ ଏହି ଶିଆଳି ପତ୍ର ହେଉଥିବାରୁ ମା’ମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ କରାଯାଇଛି। ଏଥିରେ ମହିଳା ଉତ୍ପାଦକ କମ୍ପାନୀ ଓ ମହିଳା ଉତ୍ପାଦକ ଗୋଷ୍ଠୀର ମହିଳାମାନେ ଏହିସବୁ ପ୍ଲେଟ୍‌‌ ତିଆରି କରି ଏଜେନ୍ସିକୁ ଦେବେ। ଏଜେନ୍ସିର ଆବଶ୍ୟକତା ଅନୁସାରେ ପ୍ଲେଟ୍‌‌କୁ ମହିଳାମାନେ ସିଧାସଳଖ ଯୋଗାଇବେ। ଏଥିପାଇଁ ମା’ମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଏହା ଦ୍ୱାରା ମହିଳାମାନେ ସାମାଜିକ ଓ ଅର୍ଥନୈତିକସ୍ତରରେ ସ୍ୱାବଲମ୍ବୀ ହୋଇପାରିବେ। ମାର୍ଚ୍ଚ ସୁଦ୍ଧା ଏହି ଶିଆଳି ପ୍ଲେଟ୍‌‌କୁ ଦିଲ୍ଲୀକୁ ପଠାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାର ଏସ୍‌‌ଏଚ୍‌‌ଜିଙ୍କଠାରୁ ଶିଆଳି ପ୍ଲେଟ୍‌‌ ଯୋଗାଣର ବ୍ୟବସ୍ଥା କରାଯିବ। ବଜାରକୁ ଆଧାରକରି ଦର ନିର୍ଦ୍ଧାରଣରେ ଓରମାସ ସହଯୋଗ କରିବ। ଏହି ଏଜେନ୍ସି ବିଭିନ୍ନ ସ୍ଥାନରେ ହୋଟେଲ, ଟିଫିନ୍‌‌ ଷ୍ଟଲ ଆଦିରେ ଏହାର ବ୍ୟବହାର ପାଇଁ ପଠାଯିବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଓର୍‌‌ମାସ ସହିତ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଓଡ଼ିଶାର ଶିଆଳି ପତ୍ର ପ୍ଲେଟ୍‌‌ ଓ ଦନା ମାର୍କେଟିଂ କରିବାରେ ଓରମାସ ହେଉଛି ପ୍ରଥମ ଅନୁଷ୍ଠାନଭାବେ କାର୍ଯ୍ୟ କରୁଛି। ଲୋକେ ଧୀରେ ଧୀରେ ଇକୋ ଫ୍ରେଣ୍ଡଲି ସାମଗ୍ରୀକୁ ଆପଣାଉଥିବାବେଳେ ଓଡ଼ିଶାର ଶିଆଳି ପ୍ଲେଟ୍‌‌ର ଚାହିଦା ବାହାର ରାଜ୍ୟରେ ରହିଛି। ଓରମାସ ପକ୍ଷରୁ ବଜାର ବ୍ୟବସ୍ଥା ସହ ନୂଆ ଢାଞ୍ଚାରେ ପ୍ଲେଟ୍‌‌ ପ୍ରସ୍ତୁତ ତାଲିମ ମଧ୍ୟ ଦିଆଯାଇଛି। ପୂର୍ବରୁ ନବରଙ୍ଗପୁର ଜିଲ୍ଲାରୁ ହାଇଦ୍ରାବାଦ୍‌‌କୁ ଶିଆଳି ପତ୍ର ପଠାଯାଉଥିଲା। ମା’ମାନଙ୍କୁ ମିଶନ୍‌‌ ଶକ୍ତି ଓ ଓରମାସ ମାଧ୍ୟମରେ ସଶକ୍ତ କରିବା ସହ ସେମାନଙ୍କ ରୋଜଗାରକୁ ବଢ଼ାଇବା ପାଇଁ ପ୍ରୟାସ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଓରମାସ ପକ୍ଷରୁ ଏହି ଘରୋଇ ସଂସ୍ଥା ସହିତ ଆଲୋଚନାରେ ସିଇଓ ଗୁହା ପୁନମ୍‌‌ ତାପସ କୁମାରଙ୍କ ସମେତ ଅନ୍ୟ ଅଧିକାରୀ ଓ ଏସ୍‌‌ଏଚ୍‌‌ଜି ମହିଳାମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.