ବିଧାୟକଙ୍କ ଆରାମ୍ ପାଇଁ ଏସି କେବିନ୍‌ରୁ ବିଦାହେଲେ ଅର୍ଦ୍ଧଦଗ୍ଧ ଶିଶୁକନ୍ୟା

ଦେବଗଡ଼଼: ଦେବଗଡ଼଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଚିକିତ୍ସାଳୟର ଶୀତତାପ ନିୟନ୍ତ୍ରିତ କକ୍ଷରେ ନିଅାଁରେ ପୋଡ଼ି ଗୁରୁତର ଥିବା ଜଣେ ୭ ବର୍ଷୀୟା ଶିଶୁକନ୍ୟାକୁ ରଖାଯାଇଥିଲା। କିନ୍ତୁ ରାତାରାତି ତାକୁ ସେଠାରୁ ବାହାର କରି ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଦେବଗଡ଼଼ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଉକ୍ତ କକ୍ଷ ଯୋଗାଇ ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ବାରକୋଟ ବ୍ଲକ ଚକ୍ରପାଲି ଗ୍ରାମର ଗୋବିନ୍ଦ ନାୟକଙ୍କ ଝିଅ ସ୍ନେହା (୭) ଜନ୍ମର ମାତ୍ର ୭ ମାସ ପରେ ମା’ଛେଉଣ୍ଡ ହୋଇଯାଇଥିଲା। ଗୋବିନ୍ଦ ମଧ୍ୟ ଅନ୍ୟ ଜଣେ ଘର ଛାଡ଼ି ଅନ୍ୟ ଜଣେ ମହିଳାଙ୍କ ସହ ଚାଲିଯିବା ଅସହାୟ ସ୍ନେହାର ଦାୟିତ୍ୱ ଜେଜେବାପା ଓ ଜେଜେମା’ ନେଇଥିଲେ। ଗତ ଜାନୁଆରୀ ମାସରେ ନିଅାଁ ପୁଉଁଥିବାବେଳେ ସ୍ନେହା ପିନ୍ଧିଥିବା ଡ୍ରେସରେ ନିଅାଁ ଲାଗିଯିବାରୁ ସେ ଗୁରୁତର ଭାବେ ପୋଡ଼ି ଯାଇଥିଲା। ପଡ଼ୋଶୀଙ୍କ ସହାୟତାରେ ସ୍ନେହାକୁ ଜେଜେବାପା ଦେବଗଡ଼଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ କିଛିଦିନ ଚିକିତ୍ସା ହେବା ପରେ ଆବଶ୍ୟକ ଅଧିକ ଅର୍ଥ ଯୋଗାଡ଼ କରି ନ ପାରିବାରୁ ସ୍ନେହାକୁ ଜେଜେବାପା ଘରକୁ ଫେରାଇ ଆଣିଥିଲେ। ହେଲେ ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଆଜବେଷ୍ଟସ ଘରେ ଗରମ ବାତାବରଣରେ ସ୍ନେହାର ଘା’ ଗୁରୁତର ହେଉଥିବା ଦେଖି ତାକୁ ବଞ୍ଚାଇବା ପାଇଁ ଜେଜେ ବହୁ ଲୋକଙ୍କୁ ଗୁହାରି କରିଥିଲେ।

ଏହି ଘଟଣା ଜିଲ୍ଲା ପ୍ରଶାସନ ଦୃଷ୍ଟିରେ ପଡ଼ିବା ପରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ପ୍ରଶାସନ ସ୍ନେହାକୁ ଚକ୍ରପାଲି ଗ୍ରାମସ୍ଥିତ ତାଙ୍କ ଘରୁ ଗତ ୨୫ ତାରିଖରେ ଉଦ୍ଧାର କରି ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରଖାନା ପକ୍ଷରୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯିବା ସହ ସ୍ନେହାକୁ ଡାକ୍ତରଖାନାର ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ କ୍ୟାବିନରେ ରଖାଯାଇଥିଲା। ସେହିପରି ବ୍ଲକ ଓଏଲଏମ କର୍ମଚାରୀ ସଂଗ୍ରହ କରିଥିବା ୩୦ ହଜାର ଟଙ୍କା ଓ ବଡିଓ ଆକାଶ ସାହୁ ବ୍ୟକ୍ତିଗତ ଭାବେ ୧୦ ହଜାର ଟଙ୍କା ସ୍ନେହାର ଜେଜେମା’ ଓ ଜେଜେବାପାଙ୍କୁ ଡାକ୍ତରଖାନାକୁ ଯାଇ ଦେବାସହ ତାଙ୍କର ଭଲମନ୍ଦ ବୁଝିଥିଲେ।

ତେବେ ଗତ ୧ ତାରିଖରେ ଗିରଫ ବିଧାୟକ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତା ୭ ତାରିଖକୁ ଧାର୍ଯ୍ୟ ହୋଇଥିବାବେଳେ ସେ ହଠାତ୍‍ ଅସୁସ୍ଥ ହୋଇପଡ଼ିବାରୁ ଜେଲ୍‍ କର୍ତ୍ତୃପକ୍ଷ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଡାକ୍ତରଖାନା କ୍ୟାବିନର ଗୋଟିଏ କୋଠରି ଶୀତତାପ ନିୟନ୍ତ୍ରିତ ଥିବାରୁ ସେଠାରେ ପୂର୍ବରୁ ଚିକିତ୍ସାଧୀନ ଗୁରୁତର ସ୍ନେହାକୁ କାଢ଼ି ଉକ୍ତ କ୍ୟାବିନ୍‍ ବିଧାୟକଙ୍କୁ ଦିଆଯାଇଛି। ଏହି ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

Leave a comment