ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁହଁ ଫେରାଉଛନ୍ତି ଦର୍ଶକ, ହଲ୍‌ରେ ତିଷ୍ଠିବା ପାଇଁ ସଂଘର୍ଷ କରୁଛି ଓଡ଼ିଆ ଫିଲ୍ମ

ଭୁବନେଶ୍ୱର : ହଲ୍‍କୁ ଆସିପାରୁନି ଭଲ ଓଡ଼ିଆ ଚଳଚ୍ଚିତ୍ର। ଦିନ ଥିଲା ଗୋଟିଏ ଲେଖାଏଁ ଚଳଚ୍ଚିତ୍ର ଶହେ ଦିନ ପର୍ଯ୍ୟନ୍ତ ହଲ୍‍ରେ ପଡ଼ୁଥିଲା। ହେଲେ ଏବେ ଗୋଟିଏ ଦିନରେ ଉଠିଯାଉଛି ଓଡ଼ିଆ ସିନେମା। ସିନେମା ହଲ୍‍କୁ ଆଉ ଆଗଭଳି କାହାଣୀପୂର୍ଣ୍ଣ ଓଡ଼ିଆ ସିନେମା ଆସୁନି। ତେଲୁଗୁ ଚଳଚ୍ଚିତ୍ର ‘ବାହୁବଲୀ’, ‘କେଜିଏଫ୍‍-୨’, ‘ପୁଷ୍ପା’ ଭଳି ଚଳଚ୍ଚିତ୍ର ନିକଟରେ ହଲ୍‍କୁ ଆସି କମ୍‍ ଦିନ ମଧ୍ୟରେ କୋଟି କୋଟି ଟଙ୍କାର ବ୍ୟବସାୟ କରିପାରିଛନ୍ତି। ହେଲେ ଓଡ଼ିଆ ସିନେମା ରୋଜଗାର କରିବା ତ ଦୂରର କଥା ହଲ୍‍କୁ ବି ଆସିପାରୁନାହିଁ।

ଧୀରେ ଧୀରେ ଅସ୍ତିତ୍ୱ ହରାଇବାକୁ ବସିଲାଣି ଓଡ଼ିଆ ସିନେମା। ୮୬ ବର୍ଷ ପରେ ବି ଓଡ଼ିଆ ସିନେମା ଆଜି ସଂଘର୍ଷ କରୁଛି। ନା ନିର୍ମାଣ ହୋଇପାରୁଛି ଅଧିକ ବଜେଟ୍‍ର ଓଡ଼ିଆ ଚଳଚ୍ଚିତ୍ର ନା ହୋଇପାରୁଛି ଗୁଣବତ୍ତା ଚଳଚ୍ଚିତ୍ର। ବାହାର ରାଜ୍ୟରେ ନିଜ ଭାଷାର ଚଳଚ୍ଚିତ୍ର ରିଲିଜ୍‍ ହେବାପରେ ହଲ୍‍ରେ ପଡ଼ିବାପରେ ଦର୍ଶକଙ୍କ ଭିଡ଼ ଜମୁଛି। ମାତ୍ର ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ତାହା ହୋଇପାରୁନାହିଁ। ମହାମାରୀରେ ସିନେମା ହଲ୍‍ଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ତଥା ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିଲା। ଏବେ ଶତପ୍ରତିଶତରେ ସିନେମା ହଲ୍‍ ଚାଲୁଥିଲେ ବି ଓଡ଼ିଆ ସିନେମା ପଡୁ ନ ଥିବା କହିଲେ ଚଳେ। ଏବେସୁଦ୍ଧା ମାତ୍ର ୩-୪ଟି ଚଳଚ୍ଚିତ୍ର ହଲ୍‍କୁ ଆସିଛି। ତାହା ପୁଣି ଗୋଟିଏ କିମ୍ବା ୨ଦିନ ମଧ୍ୟରେ ହଲ୍‍ରୁ ଉଠିଯାଇଛି।

‘କୁରୁକ୍ଷେତ୍ର’, ‘ମିଷ୍ଟର କହ୍ନେୟା’ ଓ ‘ମନ ମୋର କାଗଜଗୁଡ଼ି’ ଚଳଚ୍ଚିତ୍ର ସିନେମା ହଲ୍‍ରେ ପଡ଼ିଥିଲା। ଶେଷଥର ପାଇଁ ‘ମନ ମୋର କାଗଜଗୁଡ଼ି’ ଓଡ଼ିଆ ଚଳଚ୍ଚିତ୍ର ମାର୍ଚ୍ଚରେ ହଲ୍‍କୁ ଆସିଥିଲା। ବହୁଭାଷାର ଚଳଚ୍ଚିତ୍ର କୋଟି କୋଟି ଟଙ୍କା କମାଉଥିବାବେଳେ ଓଡ଼ିଆ ଚଳଚ୍ଚିତ୍ର ମୁଣ୍ଡ ଟେକିପାରୁନାହିଁ। କିଛି ଚଳଚ୍ଚିତ୍ର କେବଳ ପ୍ରିମିୟର୍‍ ଶୋ’ ହୋଇ ରହିଛି। ଓଡ଼ିଆ ଚଳଚ୍ଚିତ୍ରର ଏଭଳି ଅବସ୍ଥା ଯୋଗୁଁ ଦର୍ଶକ ବି ଓଡ଼ିଆ ଚଳଚ୍ଚିତ୍ର ପ୍ରତି ମୁହଁ ଫେରାଇବାକୁ ଲାଗିଲେଣି। ଭଲ ମାନର ଚଳଚ୍ଚିତ୍ର ହେଉନଥିବା କାରଣରୁ ହେଉ ଅବା ପ୍ରୋତ୍ସାହନ ମିଳୁନଥିବାରୁ ସ୍ଥିତି ବିଗିଡ଼ିବାରେ ଲାଗିଛି। ଓଡ଼ିଶାରେ ଓଡ଼ିଆ ଦର୍ଶକ ଅନ୍ୟ ଭାଷାର ଡବିଂ ସିନେମାକୁ ଦେଖିବାକୁ ପସନ୍ଦ କରୁଛନ୍ତି। ଅଥଚ ଓଡ଼ିଆ ସିନେମା ପ୍ରତି ମୁହଁ ଫେରାଉଛନ୍ତି। ମୌଳିକ କଥାବସ୍ତୁକୁ ନେଇ ଚଳଚ୍ଚିତ୍ର ହେଉନଥିବାରୁ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଏସ୍‍ କମ୍ପେ୍ଲକ୍ସ ମ୍ୟାନେଜର ରବୀନ୍ଦ୍ର କୁମାର ସାହୁ କହିଛନ୍ତି, ମୌଳିକ କାହାଣୀ ଆଉ ଓଡ଼ିଆ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁନି।

କରୋନା ପାଇଁ ହଲ୍‍ ବି ମାନ୍ଦାରେ ଚାଲିଥିଲା। ଭଲ ପ୍ରଯୋଜନା ସଂସ୍ଥାର ଓଡ଼ିଆ ଚଳଚ୍ଚିତ୍ର ଆସିଲେ ଆଗଭଳି ଓଡ଼ିଆ ଚଳଚ୍ଚିତ୍ର ଚାଲିବ। ବର୍ତ୍ତମାନ ଗୋଟିଏ ଦିନରେ ଓଡ଼ିଆ ଚଳଚ୍ଚିତ୍ର ହଲ୍‍ରେ ପଡ଼ି ଉଠିଯାଉଛି। ସେହିପରି ରଜ, ଦଶହରା ସମୟରେ ଓଡ଼ିଆ ଚଳଚ୍ଚିତ୍ର କେବଳ ସିନେମା ହଲ୍‍ରେ ଚାଲୁଥିଲା। ମାତ୍ର ଏବେ ଓଡ଼ିଆ ଚଳଚ୍ଚିତ୍ର ଆସିବା ବି ବନ୍ଦ ହୋଇଗଲାଣି। ଏମିତିକି ଓଡ଼ିଆ ଚଳଚ୍ଚିତ୍ରର ପ୍ରିମିୟର୍‍ ଶୋ’ ଆଉ ହଲ୍‍ରେ ପ୍ରଯୋଜନା ସଂସ୍ଥାମାନେ କରିବାକୁ ମଙ୍ଗୁନାହାଁନ୍ତି। ବର୍ତ୍ତମାନ ଓଡ଼ିଶାରେ ମଲ୍ଟିସ୍କ୍ରିନ୍‍ ଏବଂ ସିଙ୍ଗଲ୍‍ ସ୍କ୍ରିନ୍‍ ମିଶିକି ପାଖାପାଖି ୮୦ଟି ହଲ୍‍ ରହିଛି। କିନ୍ତୁ ମଲ୍ଟିସ୍କ୍ରିନ୍‍ ହଲ୍‍ରେ ଓଡ଼ିଆ ସିନେମା ପଡୁନାହିଁ।

ସେହିପରି ବରିଷ୍ଠ ନିର୍ଦ୍ଦେଶକ ପ୍ରଣବ ଦାସ କହିଛନ୍ତି, ଓଡ଼ିଆ ସିନେମା କେବଳ ନିଜ କାରଣରୁ ଫସିକି ରହିଛି। ନିଜ ଷ୍ଟୋରୀଠାରୁ ଦୂରେଇ ଯାଇ କପି କରିବା ଓଡ଼ିଆ ସିନେମାରେ ଆରମ୍ଭ ହେବା ଦିନରୁ ଭଲ ସିନେମା ଆସୁନାହିଁ। ଫଳରେ ଓଡ଼ିଆ ସିନେମାର ଗୁରୁତ୍ୱ ରହିଲାନାହିଁ। ଛୋଟ ଛୋଟ ପ୍ରକୃତ କାହାଣୀକୁ ନେଇ ବି ସିନେମା କରାଗଲେ ଭଲ ହୁଅନ୍ତା। କପି ପେଷ୍ଟ୍‍ ଯୋଗୁଁ ଓଡ଼ିଆ ସିନେମା ଆଉ ବିଲ୍‍କୁଲ୍‍ ଚାଲୁନାହିଁ। ବରଂ ଯାତ୍ରା ଭଲରେ ଚାଲିଛି। ଯେତେ ପର୍ଯ୍ୟନ୍ତ ପ୍ରକୃତ କାହାଣୀକୁ ନେଇ ଚଳଚ୍ଚିତ୍ର ନ କରିଛେ, ସେତେ ପର୍ଯ୍ୟନ୍ତ ଓଡ଼ିଆ ସିନେମାର ଉତ୍‍ଥାନ ହେବ ନାହିଁ। ମଝିରେ କିଛି ପ୍ରଯୋଜକ ଏବଂ ନିର୍ଦ୍ଦେଶକ ସଉକରେ ଚଳଚ୍ଚିତ୍ର ନିର୍ମାଣ କରିଲେ। ଓଡ଼ିଶା ବାହାରୁ ଆସୁଥିବା ନିର୍ଦ୍ଦେଶକ, ଯେଉଁମାନଙ୍କର କି ଓଡ଼ିଆ ସଂସ୍କୃତି ସାହିତ୍ୟ ଉପରେ କୌଣସି ଧାରଣା ନାହିଁ, ସେମାନଙ୍କୁ ବାଦ୍‍ ଦେଇ ଭଲ ଷ୍ଟାର, ଭଲ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ନେଇ ଓଡ଼ିଆ ସିନେମା କରିବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି।

Leave A Reply

Your email address will not be published.