ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିହାର ବିଧାନସଭାରୁ ଓଡ଼ିଶା ଆସିଲା ୧୦୦ ବର୍ଷର ପୁରୁଣା ନଥି

ଭୁବନେଶ୍ୱର : ୧୯୨୨ ମସିହାରେ ତତ୍‌କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୁସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ୱନାଥ କର, ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖ ନେତୃବୃନ୍ଦଙ୍କ ଦ୍ୱାରା ଉପସ୍ଥାପିତ ତର୍କ-ବିବରଣୀ ଓଡ଼ିଶା ବିଧାନସଭାକୁ ଉପଲବ୍ଧ ହୋଇଛି । ଦୀର୍ଘ ୧୦୦ ବର୍ଷ ପରେ ବିହାର ବିଧାନସଭାରୁ ଏସବୁ ପୁରୁଣା ନଥି ଅଣାଯାଇପାରିଛି । ଏପରି ଗୁରୁତ୍ୱପୂର୍ଣ୍ଣ ସଂଗ୍ରହଣରୁ ଅନେକ ଅନାଲୋଚିତ ପ୍ରସଙ୍ଗ ମିଳିବ ଓ ସେସବୁ ଗବେଷକ ତଥା ଭବିଷ୍ୟତ ପିଢ଼ିକୁ ନୂତନ ଦିଗ୍‌ଦର୍ଶନ ଦେବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ବିଧାନସଭାରେ କେବଳ ୧୯୩୭ ମସିହାଠାରୁ ବିଧାୟକମାନଙ୍କ ବିବରଣୀ ରହିଛି । ତତ୍‌କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଶାର ନେତୃବୃନ୍ଦଙ୍କ ବକ୍ତବ୍ୟର ବିବରଣୀ ଓଡ଼ିଶାରେ ଉପଲବ୍ଧ ନଥିଲା । ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଶ୍ରୀରାମ ଦାଶ ୧୯୭୯ ମସିହାରେ ବିଧାନସଭା ଗ୍ରନ୍ଥାଗାରକୁ ଆସି ଏହି ତଥ୍ୟ ଖୋଜି ନପାଇବା ପରେ ନଥିପତ୍ର ସଂଗ୍ରହ କରିବାକୁ ବିଧାନସଭା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିଦିନଠାରୁ ଏହି ନଥି ସଂଗ୍ରହଣ ଉଦ୍ୟମ ଜାରି ରହିଥିଲା ।

୨୦୦୧ ମସିହାରେ ସାମ୍ବାଦିକ ଶ୍ରୀ ଦାଶ ତତ୍‌କାଳୀନ ବିଧାନସଭା ବାଚସ୍ପତି ଶରତ କୁମାର କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତତ୍‌କାଳୀନ ସଚିବ ଜଗଦୀଶ୍‌ ପ୍ରସାଦ ଦାଶ ଜନୈକ କର୍ମଚାରୀ ରବି ନାରାୟଣ ମିଶ୍ରଙ୍କୁ ଏଥି ପାଇଁ ପାଟନା ପଠାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଲୋକସଭାର ତତ୍‌କାଳୀନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ସହିତ ସାମ୍ବାଦିକ ଶ୍ରୀ ଦାଶ ଯୋଗାଯୋଗ କରିଥିଲେ ମଧ୍ୟ ବିହାରରୁ କୌଣସି କାଗଜପତ୍ର ଆସିପାରିନଥିଲା ।

୨୦୨୧ରେ ପୁନଶ୍ଚ ଓଡ଼ିଶା ବିଧାନସଭାର ତତ୍‌କାଳୀନ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦେଇଥିଲେ । ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ଏ ସଂପର୍କରେ ବିହାର ବିଧାନସଭା ସହ ଯୋଗାଯୋଗ କରିଥିଲେ ଏବଂ ସଚିବ ଶ୍ରୀ ଶତପଥୀ ନଥିପତ୍ର ସଂପର୍କରେ ବିହାର ବିଧାନସଭା ସଚିବଙ୍କୁ ଚିଠି ଲେଖିଥିଲେ । ଗବେଷଣା ଅଧିକାରୀ ଶ୍ରୀ ଜୟକୃଷ୍ଣ ପ୍ରଧାନ ଓ ସ୍ୱତନ୍ତ୍ର କାର୍ୟ୍ୟକାରୀ ଅଧିକାରୀ (ଗବେଷଣା)  ଅମୂଲ୍ୟ କୁମାର ସ୍ୱାଇଁଙ୍କୁ ଏଥି ନିମନ୍ତେ ବିହାରର ରାଜଧାନୀ ପାଟନା ପଠାଯାଇଥିଲା । ଶ୍ରୀ ପ୍ରଧାନ ଓ ଶ୍ରୀ ସ୍ୱାଇଁ ପାଟନାରେ ରହି ବିହାର ବିଧାନ ପରିଷଦରେ ଉପଲବ୍ଧ ବିବରଣୀ ସହ ବିଭିନ୍ନ ତଥ୍ୟ ସଂଗ୍ରହ କରି ଓଡ଼ିଶା ଫେରିଲେ । ଏହା ଫଳରେ ଓଡ଼ିଶା ବିଧାନସଭାକୁ ୧୦୦ ବର୍ଷ ତଳର ପୁରୁଣା ନଥି ପହଞ୍ଚିପାରିଛି ।

ପ୍ରକାଶଯୋଗ୍ୟ ଯେ ତତ୍‌କାଳୀନ ମାଡ୍ରାସ ପ୍ରେସିଡେନ୍‌ସୀରେ ସ୍ୱର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ ଦ୍ୱାରା ଉପସ୍ଥାପିତ ଓଡ଼ିଶା ସଂପର୍କିତ ତଥ୍ୟ ସଂଗ୍ରହଣ ପାଇଁ ତାମିଲନାଡୁ ବିଧାନସଭା ସହ ମଧ୍ୟ ଓଡ଼ିଶା ବିଧାନସଭା ପକ୍ଷରୁ ଯୋଗାଯୋଗ କରାଯାଇଛି । ତେଣୁ ବିଭିନ୍ନ ତଥ୍ୟ ଓଡ଼ିଶା ବିଧାନସଭାକୁ ତାମିଲନାଡୁରୁ ଆସିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି ।ବରିଷ୍ଠ ସାମ୍ବାଦିକ ଶ୍ରୀ ଦାଶଙ୍କ ନିରବଚ୍ଛିନ୍ନ ପ୍ରୟାସ ସାଙ୍ଗକୁ ବିଧାନସଭା ସଚିବ ଶ୍ରୀ ଶତପଥୀ ଓ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକଙ୍କ ନିଷ୍ଠାପର ଉଦ୍ୟମ ବଳରେ ଏହି ଐତିହାସିକ ନଥିପତ୍ର ହାସଲ କରାଯାଇପାରିଥିବାରୁ ବାଚସ୍ପତି ଶ୍ରୀ ଆରୁଖ ଆନନ୍ଦ ପ୍ରକାଶ କରିଛନ୍ତି ଓ ସଂପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.