ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିମେଣ୍ଟ ବ୍ୟବସାୟୀଙ୍କ ହତ୍ୟା ଘଟଣାରେ ଅଶାନ୍ତ ହଂସପୁର: ରାସ୍ତାରୋକ ବେଳେ ପୁଲିସ-ଗ୍ରାମବାସୀ ମୁହାଁମୁହିଁ, ଆତ୍ମହତ୍ୟା କଲେ ଭାବୀ ପତ୍ନୀ

ଚମାଖଣ୍ଡି ଓ ଗଞ୍ଜାମ ଥାନା ଅଧିକାରୀଙ୍କୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା

ଛତ୍ରପୁର: ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କ ହତ୍ୟା ଘଟଣାରେ ଅପରାଧି ଗିରଫ ହୋଇ ନଥିବାରୁ ଏବେ ପୁଲିସ ଏବଂ ଗ୍ରାମବାସୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କୃଷ୍ଣଙ୍କ ମୃତ୍ୟୁକୁ ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାକାରୀ ଧରା ପଡ଼ିନଥିବା ବେଳେ ଆଜି ତାଙ୍କର ଭାବୀ ପତ୍ନୀ ଆରତୀ ଆତ୍ମହତ୍ୟା କରିବା ପରେ ହଂସପୁର ଅଶାନ୍ତ ହୋଇଛି। ଏହି ଅଭାବନୀୟ ଘଟଣା ହଂସପୁର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ପୁଲିସ ମାଷ୍ଟର ମାଇଣ୍ଡ କିମ୍ବା ହତ୍ୟାକାରୀଙ୍କୁ ଗିରଫ ନ କରିବା ଯୋଗୁଁ ଆଜି ହଂସପୁର ଗ୍ରାମବାସୀ ଛତ୍ରପୁର ଓ ତାରାତାରିଣୀ ମୁଖ୍ୟରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପରେ ପୁଲିସ ପକ୍ଷରୁ ଲାଠିଚାର୍ଜ ଆଶଙ୍କା କରି ଗ୍ରାମବାସୀ ପୁଲିସ ଗାଡ଼ି ଭଙ୍ଗାରୁଜା କରିବା ସହ ଘଟଣାସ୍ଥଳରେ ଥିବା ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ଏବଂ ଗଞ୍ଜାମ ଥାନା ଅଧିକାରୀ ଭି ସ୍ୱରୂପ କିଶାନ୍‍ଙ୍କୁ ପଥର ମାଡ଼ କରିଥିଲେ। ଏଥିରେ କିଛି ପୁଲିସ୍‍ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଚମାଖଣ୍ଡି ଥାନାଧିକାରୀଙ୍କ ଗାଡ଼ି ସହ ଏକ ପିସିଆର ଭ୍ୟାନ୍‍ କ୍ଷତିଗ୍ରସ୍ତ ହୋଇଛି। ପରିସ୍ଥିତି ଆୟତ୍ତ କରିବା ପାଇଁ ପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ରହି ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି। ତୁରନ୍ତ କୃଷ୍ଣଙ୍କୁ ନ୍ୟାୟ ଏବଂ ଏତଲାରେ ଉଲ୍ଲେଖ ଥିବା ୪ଜଣକୁ ତୁରନ୍ତ ଗିରଫ ଦାବି କରାଯାଇଥିଲା। ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

କୃଷ୍ଣଚନ୍ଦ୍ରଙ୍କ ହତ୍ୟାକୁ ତିନି ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ଏଯାବତ୍‍ କାହାରିକୁ ଗିରଫ କରିନି କି ଘଟଣାର ପର୍ଦ୍ଦାଫାସ ହୋଇନି। ତାଙ୍କ ବାହାଘର ମେ ୧୩ ତାରିଖରେ ଆରତୀ ପ୍ରଧାନଙ୍କ ସହ ହେବାର ଥିଲା। ଭାବୀ ସ୍ୱାମୀଙ୍କ ମୃତ୍ୟୁରେ କୌଣସି କାର୍ଯ୍ୟାନୁଷ୍ଠାନ ଏଯାବତ ଗ୍ରହଣ କରାଯାଇ ନ ଥିବାରୁ ଆରତୀ ପ୍ରଧାନ ସୋମବାର ସକାଳେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ବିଷପାନ କରିବା ପୂର୍ବରୁ ଆରତୀ ମୃତ କୃଷ୍ଣଙ୍କ ଭଣଜା ରାକେଶ କୁମାର ସାହୁଙ୍କ ଫୋନରେ ମେସେଜ ମଧ୍ୟ ଦେଇଥିଲେ। ଯେଉଁଥିରେ ‘ମୁଁ ମଲା ପରେ ବୋଧେ ତମ ମାମୁଁଙ୍କୁ ଉଚିତ ନ୍ୟାୟ ମିଳିବ’ ବୋଲି ଉଲ୍ଲେଖ ଥିଲା। ଏହା ପରେ ସେ ବିଷପାନ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅଞ୍ଚଳବାସୀ ଉତ୍‍କ୍ଷୀପ୍ତ ହୋଇଥିବାବେଳେ ହତ୍ୟା ଘଟଣାକୁ ତିନି ଦିନ ବିତିଯାଇଥିଲେ ସୁଦ୍ଧା ଛତ୍ରପୁର ପୁଲିସ କାହାରିକୁ ଗିରଫ କରିପାରିନଥିବାରୁ ପୁଣି ଏକ ଜୀବନ ଦୀପ ଲିଭିଯାଇଥିବା ଦର୍ଶାଇ ହଂସପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଛତ୍ରପୁର ଓ ତାରାତାରିଣୀ ମୁଖ୍ୟରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। କୃଷ୍ଣଙ୍କୁ ନ୍ୟାୟ ପ୍ରଦାନ ଏବଂ ଏତଲାରେ ଉଲ୍ଲେଖ ଥିବା ୪ଜଣକୁ ତୁରନ୍ତ ଗିରଫ ଦାବି କରାଯାଇଥିଲା। ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି। ଛତ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ବେଳେ ସେମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ମହିଳା ଓ ପୁରୁଷମାନେ ହୋହାଲ୍ଲା କରି ପୁଲିସକୁ ଘଉଡ଼ାଉ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ପୁଲିସ୍‍ ଲାଠିଚାର୍ଜ କରିବା ଆଶଙ୍କା କରି ଆଗତୁରା ଗ୍ରାମବାସୀ ପୁଲିସ୍‍ ଓ ଗାଡ଼ି ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଅଳ୍ପଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଥିବା ଦୁଇ ଦୁଇଟି ଜୀବନ ଚାଲିଯିବାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପ୍ରତିବାଦରେ ଆଜି ସକାଳୁ ଗ୍ରାମବାସୀ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ସୂଚନା ଥାଉକି, ଚଳିତ ମାସ ୨୨ ତାରିଖ ବିଳମ୍ୱିତ ରାତିରେ ହଂସପୁର ଗ୍ରାମ ନିକଟ ଟୋଲେକେଶ୍ୱର ମନ୍ଦିର ନିକଟରେ ସେହି ଗ୍ରାମର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା ଫୋନ ଯୋଗେ ଆରତୀଙ୍କ ସହ କଥା ହେଉଥିବା ବେଳେ ତାଙ୍କ ପଛପଟୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ପରେ ଘର ଲୋକ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.