ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବରିଷ୍ଠ ନାଗରିକଙ୍କ ଆଶା ପୂରଣ କରୁଛନ୍ତି ରାଜ୍ୟ ସରକାର: ଆଜି ତୀର୍ଥଯାତ୍ରାରେ ଗଲେ ଆଉ ୯୭୦ଜଣ ବରିଷ୍ଠ ନାଗରିକ

ବାଲେଶ୍ୱର: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଷ୍ଟେସନରୁ ୯୭୦ ତୀର୍ଥଯାତ୍ରୀଙ୍କୁ ନେଇ ହରିଦ୍ୱାର-ଋଷିକେଶ ଅଭିମୁଖେ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ। ତୀର୍ଥରେ ବାଲେଶ୍ୱର ଜିଲ୍ଲାରୁ ୨୨୬ ଜଣ ତୀର୍ଥଯାତ୍ରୀ ଓ ୭ ଜଣ ଏସକର୍ଟ ଅଫିସର, ଭଦ୍ରକରୁ ୧୪୬ ତୀର୍ଥଯାତ୍ରୀ ଏବଂ ୫ ଜଣ ଏସକର୍ଟ ଅଫିସର, ଯାଜପୁରରୁ ୧୭୮ ତୀର୍ଥଯାତ୍ରୀ ଓ ୫ ଜଣ ଏସକୋର୍ଟ ଅଫିସର, କେନ୍ଦୁଝରରୁ ୧୭୫ ତୀର୍ଥଯାତ୍ରୀ ଓ ୫ ଜଣ ଏସକର୍ଟ ଅଫିସର ଏବଂ ମୟୂରଭଞ୍ଜରୁ ୨୪୫ ତୀର୍ଥଯାତ୍ରୀ ଏବଂ ୮ ଜଣ ଏସକର୍ଟ ଅଫିସର ଯାଇଛନ୍ତି।

ଗତକାଲିଠୁ ବାଲେଶ୍ୱରର ବମପଦାସ୍ଥିତ ନୋସିରେ ସମସ୍ତ ୫ଟି ଜିଲ୍ଲାର ସମୁଦାୟ ୯୭୦ଜଣ ତୀର୍ଥଯାତ୍ରୀ ଏବଂ ୩୦ ଜଣ ଏସକର୍ଟ ଅଫିସର ରହିଥିଲେ। ପ୍ରତି ଜିଲ୍ଲା ପ୍ରଶାସନ ଉକ୍ତ ଜିଲ୍ଲାର ତୀର୍ଥଯାତ୍ରୀ ଓ ଏସକର୍ଟ ଅଫିସରଙ୍କୁ ଗାଡ଼ି କରି ବାଲେଶ୍ୱରରେ ପହଞ୍ଚାଇଥିଲେ। ସେହିପରି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକକୁ ଏନେଇ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରତି ବ୍ଲକରୁ ଗାଡ଼ି କରି ସେମାନଙ୍କୁ ଆଣି ନୋସିରେ ପହଞ୍ଚାଇଥିଲେ। ପରେ ସମସ୍ତଙ୍କର ପଞ୍ଜୀକରଣ କରି ଆଇ କାର୍ଡ ପ୍ରଦାନ କରି ରୁମ୍‌‌କୁ ପଠାଯାଇଥିଲା। ସେମାନଙ୍କ ରହିବା, ଖାଇବା ବ୍ୟବସ୍ଥା ନୋସିରେ କରାଯାଇଛି। ଏଥିସହିତ ସନ୍ଧ୍ୟା ସମୟରେ ସେମାନଙ୍କ ପାଇଁ ସ୍ନାକ୍ସ ଏବଂ ସ୍ୱତନ୍ତ୍ର ଭାବେ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାତିରେ ରାତ୍ରି ଭୋଜନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଋଷିକେଶ ଓ ହରିଦ୍ୱାର ଅଭିମୁଖେ ଯିବା ପାଇଁ ସୋମବାର ଦିନ ଅର୍ଥାତ୍‌‌ ୨୦ ତାରିଖ ସକାଳ ବ୍ରେକଫାଷ୍ଟ ପରେ ବାଲେଶ୍ୱର ରେଳଷ୍ଟେସନରେ ପହଞ୍ଚିଥିଲେ। ଏହି ଅବସରରେ ଷ୍ଟେସନରେ ୩ଟା ଗ୍ରୁପ୍‌‌ ସଂକୀର୍ତ୍ତନ, ଶଙ୍ଖ ଧ୍ୱନି, ବେଦ ପାଠ ଓ ସାଂସ୍କୃତିକ ନୃତ୍ୟ ଆଦି ଆୟୋଜନ କରାଯାଇ ତୀର୍ଥଯାତ୍ରୀଙ୍କୁ ରେଳ ଷ୍ଟେସନରେ ସ୍ୱାଗତ କରାଯାଇଥିଲା। ପରେ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ସଭା ଆୟୋଜିତ ହୋଇଥିଲା

ମଧ୍ୟାହ୍ନ ୧୨ଟା ୪୫ ବେଳକୁ ପତାକା ଦେଖାଇାପରେ ସ୍ୱତନ୍ତ୍ର ଟ୍ରେନ ବାଲେଶ୍ୱର ଷ୍ଟେସନରୁ ଛାଡିଥିଲା। ୬ ଦିନ ପରେ ଅର୍ଥାତ୍‌‌ ୨୫ ତାରିଖ ଦିନ ସକାଳେ ୯ଟା ୩୦ ମିନିଟ୍‌‌ ସମୟରେ ଟ୍ରେନ ପୁଣି ବାଲେଶ୍ୱରରେ ପହଞ୍ଚିବାର ଯୋଜନା ରହିଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଜିଲ୍ଲା ପ୍ରଶାସନ ସହାୟତାରେ ବାଲେଶ୍ୱରରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ର ଆୟୋଜନ କରାଯାଉଛି। ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ନୋଡାଲ ଅଫିସର ନିଲୁ ମହାପାତ୍ର ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ଗଗନ ସାହୁଙ୍କ ସମନ୍ୱୟରେ ସମସ୍ତ କାମ ହେଉଛି। ସମସ୍ତ କାର୍ଯ୍ୟ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୪୦ ଜଣ ସରକାରୀ କର୍ମଚାରୀ ନିୟୋଜିତ କରାଯାଇଥିଲା। ତୀର୍ଥଯାତ୍ରା ଯିବାଠୁ ଫେରିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି। ସେମାନେ ଫେରିବା ପରେ ପ୍ରତି ଜିଲ୍ଲାରୁ ଆସିଥିବା ଗାଡ଼ି ତୀର୍ଥଯାତ୍ରୀ ଓ ଏସକର୍ଟ ଅଫିସରଙ୍କୁ ନେଇ ଛାଡିବେ। ବାଲେଶ୍ୱରରେ ପ୍ରତି ବ୍ଲକରୁ ଗାଡ଼ି ଆସି ତୀର୍ଥଯାତ୍ରୀଙ୍କୁ ଘରେ ଛାଡିବେ। ୨୧ ତାରିଖ ରାତିରେ ସେଠାରେ ପହଞ୍ଚିବା ପରେ ୨୨ ଓ ୨୩ ତାରିଖ ଦୁଇ ଦିନ ବୁଲିବେ। ପୁଣି ୨୪ ତାରିଖରେ ଟ୍ରେନରେ ବସିବା ପରେ ୨୫ ତାରିଖ ଦିନ ବାଲେଶ୍ୱର ଷ୍ଟେସନରେ ପହଞ୍ଚିବେ ବୋଲି ସହକାରୀ ନିର୍ଦ୍ଦେଶକ ଗଗନ ସାହୁ କହିଛନ୍ତି।

Leave A Reply

Your email address will not be published.