ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସେବା ମନୋଭାବ ପାଇଁ ବାଧକ ସାଜିନି ବୟସ; ସମାଜ ପାଇଁ ଉଦାହରଣ ସାଜିଛନ୍ତି ଭଦ୍ରକର ୯୦ ବର୍ଷୀୟ ସଚ୍ଚୀନ୍ଦ୍ର

ଭଦ୍ରକ(ଉମାକଲ୍ୟାଣ ମହାପାତ୍ର): ମାନବ ସେବା ଠାରୁ ବଡ଼ ଧର୍ମ ନାହିଁ। କିନ୍ତୁ ଏହାକୁ ବୁଝିବା ଓ କାମରେ ଲଗାଇବା ହିଁ ସବୁ ବଡ଼କଥା। ଜୀବନର ବ୍ୟସ୍ତତାରୁ ବାହାରି ଅନ୍ୟମାନଙ୍କୁ ସହାୟତା କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା କମ କିନ୍ତୁ ସେମାନଙ୍କ କାମର କଳନା କରିବା କଷ୍ଟକର। ଭଦ୍ରକ ଜିଲ୍ଲା ବାସୁଦେବପୁରର ସଚ୍ଚୀନ୍ଦ୍ର ବେହେରା। ବୟସ ୯୦ ହେଲାଣି; ହେଲେ ତାଙ୍କର ଦୃଢ଼ ମନୋବଳ ଆଗରେ ଯୁବକ ବି ହାରିଯିବେ। କେଉଁଠି ଅପମୃତ୍ୟୁ ହେଲେ ଶବ ନେବା ପାଇଁ ଗାଡ଼ିବାଲା ରାଜି ହୁଅନ୍ତି ନାହିଁ। କିନ୍ତୁ ସଚ୍ଚୀନ୍ଦ୍ର ତାଙ୍କ ଜିପ୍‌‌ ନେଇ ପହଞ୍ଚନ୍ତି। ଶବକୁ ଡାକ୍ତରଖାନା ଓ ସେଠାରୁ ଆଣି ପୁଣି ଘରେ ପହଞ୍ଚାନ୍ତି। ନା ଭୟ ଅଛି ନା ଘୃଣା; ୪୦ ବର୍ଷ ହେଲା ଏହାକୁ ସେ ତପସ୍ୟା ଭାବେ ଗ୍ରହଣ କରିଛନ୍ତି। ସେ ୨ ହଜାରରୁ ଅଧିକ ଶବ ଡାକ୍ତରଖାନା ନେଇଛନ୍ତି ଓ ଶବ ବ୍ୟବଚ୍ଛେଦ ପରେ ସସମ୍ମାନେ ଆଣି ଘରେ ପହଞ୍ଚାଇଛନ୍ତି। କରୋନା ସଂକ୍ରମଣ ସମୟରେ ବି ସେ ଏ କାମ କରିବାରୁ ବିରତି ନେଇ ନ ଥିଲେ।

କିଛି ଲୋକ ସ୍ୱତଃପ୍ରବୃତ୍ତ ଭାବେ ଏ କାମକୁ ବାଛି ନିଅନ୍ତି। ଆଉ କେତେକ ଲୋକଙ୍କୁ ପ୍ରେରଣା ମିଳିଥାଏ। ସଚ୍ଚୀନ୍ଦ୍ରଙ୍କୁ ଏ ମହାନ କାମ ପାଇଁ ପ୍ରେରଣା ମିଳିଥିଲା ଏ ମାଟିର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପାଖରୁ। ୪୦ ବର୍ଷ ତଳେ ସଚ୍ଚୀନ୍ଦ୍ର ବିଜୁ ବାବୁଙ୍କୁ ଇରମ ଅଞ୍ଚଳର ଏକ ସଭାକୁ ତାଙ୍କ ଗାଡ଼ିରେ ବସାଇ ନେଇଥିଲେ। ସେଠାରେ ଜଣେ ଶିଶୁ ପାଣିରେ ବୁଡ଼ି ପ୍ରାଣ ହରାଇଥିଲା। କିନ୍ତୁ କେହି ତାର ମୃତଦେହକୁ ଡାକ୍ତରଖାନା ନେବାକୁ ରାଜି ହୋଇ ନ ଥିଲେ। ବିଜୁବାବୁ ଗାଡ଼ିରୁ ଓହ୍ଲାଇ ପଡ଼ି ସଚ୍ଚୀନ୍ଦ୍ରକୁ ମୃତଦେହ ଡାକ୍ତରଖାନାରେ ପହଞ୍ଚାଇବାକୁ କହିଥିଲେ। କେବେ ଶବ ନେବା ପାଇଁ ମନା ନ କରିବା ପାଇଁ ବିଜୁ ବାବୁ ସେଦିନ କହିଦେଇଯାଇଥିଲେ। ତାଙ୍କ କଥାକୁ ବେଦର ଗାର ଭାବେ ମାନିନେଇ ସଚ୍ଚୀନ୍ଦ୍ର ସେଦିନଠାରୁ ଏ କାମକୁ ତାଙ୍କ ଜୀବନର ତପସ୍ୟା ବୋଲି ଭାବି ନେଇଛନ୍ତି। ସେ ଘଟଣାର ୫ ଦିନ ପରେ ବିଜୁ ବାବୁ ୫ ହଜାର ଟଙ୍କା ପଠାଇଥିବା ସଚ୍ଚୀନ୍ଦ୍ର ସବୁବେଳେ କହନ୍ତି।

ଶବ ବୋହିବାରେ କେହି କିଛି ଅର୍ଥ ଦେଲେ ତାକୁ କେବଳ ଜିପ୍‌‌ ମରାମତିରେ ଲଗାନ୍ତି। ପରିବାର ଖର୍ଚ୍ଚ ସେ କିଛି ବୁଝନ୍ତି ନାହିଁ; ପିଲାମାନେ ତୁଲାନ୍ତି। ଘରେ ତାଙ୍କ ପତ୍ନୀ, ୫ପୁଅ, ବୋହୂ ଅଛନ୍ତି। ୫ଝିଅଙ୍କୁ ସେ ବାହା କରେଇ ଦେଇଛନ୍ତି। ୯୦ବର୍ଷ ବୟସରେ ବି ସଚ୍ଚୀନ୍ଦ୍ର ବିନା ଚଷମାରେ ଜିପ୍‌‌ ନିଜେ ଚଲାନ୍ତି। ତାଙ୍କ ଜିପ୍‌‌ର ଇନ୍ସୁରାନ୍ସ, ଫିଟ୍‌‌ନେସ ଓ ନିଜ ଡ୍ରାଇଭିଂଲାଇସେନ୍ସ ଆଦିକୁ ସବୁ ଅପଟୁଡେଟ୍‌‌ କରି ରଖିଛନ୍ତି। ସଚ୍ଚୀନ୍ଦ୍ର ତାଙ୍କ ଜିପ୍‌‌ରେ ଚାରି ଚାରିଜଣ ମୁଖ୍ୟମନ୍ତ୍ରୀଙ୍କୁ ବୁଲାଇଛନ୍ତି। ପ୍ରବାଦପୁରୁଷ ବିଜୁବାବୁ, ନୀଳମଣି ରାଉତରାୟ, ନନ୍ଦିନୀ ଶତପଥୀ ଓ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ସେ ଜିପ୍‌‌ରେ ବସାଇଥିବା ସଚ୍ଚୀନ୍ଦ୍ର କହିଛନ୍ତି।

Leave A Reply

Your email address will not be published.