ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୬ ରୁ ଅଷ୍ଟମ ଆଉଟରିଚ୍‍ ଅନ୍ତର୍ଜାତୀୟ ରେଡିଓ ମେଳା, ପ୍ରଦର୍ଶିତ ହେବ ୪ହଜାର ପୁରୁଣା ରେଡିଓ

ଭୁବନେଶ୍ବର : ଚଳିତମାସ ୧୬ ଓ ୧୭ ତାରିଖରେ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବ ‘ଅଷ୍ଟମ ଆଉଟରଚି୍‍ ଅନ୍ତର୍ଜାତୀୟ ରେଡିଓ ମେଳା’। ମେଳାରେ ହଜାର ହଜାର ସଂଖ୍ୟକ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ, ବିଭିନ୍ନ ପ୍ରକାର ୱାକି ଟକି ସହ ହାମ୍‍ ରେଡିଓର ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିବ। ବିଭିନ୍ନ ରେଡିଓ ଚ୍ୟାନେଲ ମେଳାରେ ନିଜର ଷ୍ଟଲ ଖୋଲିବେ ବୋଲି ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରତିବର୍ଷ ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ହେଉଥିବା ଏହି ମେଳା ଏଥର ଦୁଇ ମାସ ବିଳମ୍ୱରେ ଅନୁଷ୍ଠିତ ହେବ।

ପ୍ରତିବର୍ଷ ପରି ଏଥର ଅନ୍ତର୍ଜାତୀୟ ରେଡିଓ ମେଳାରେ ସାମିଲ ହେବେ ବିଭିନ୍ନ ରାଜ୍ୟର ଲାଇସେନ୍ସପ୍ରାପ୍ତ ହାମ୍‍ ରେଡିଓ ଅପରେଟର। ଏହି ଅପରେଟରମାନେ ହାମ୍‍ ରେଡିଓ ସମେତ ଏମରଜେନ୍ସି ରେଡିଓର ପ୍ରଦର୍ଶନୀ ଆୟୋଜନ କରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସମିତି (ଓସଡମା) ପକ୍ଷରୁ ଓଡ୍ରାଫ ଓ ହାମ ରେଡିଓ ଅପରେଟରମାନଙ୍କ ସହାୟତାରେ ଏହି ଷ୍ଟଲ ଖୋଲାଯିବ। ମେଳାର ସବୁଠୁ ଆକର୍ଷଣ ପାଲଟିବ ପ୍ରଦର୍ଶିତ ହେବାକୁ ଥିବା ପୁରୁଣା ରେଡିଓ। ବିଭିନ୍ନ ସ୍ଥାନରୁ ରେଡ଼ିଓ ସଂଗ୍ରାହକମାନେ ୪ ହଜାରରୁ ଅଧିକ ରେଡିଓ ପ୍ରଦର୍ଶିତ କରିବେ। ଏହାସହ ରେଡିଓ ଶ୍ରୋତାମାନଙ୍କ ଦ୍ୱାରା ଏକ ଶ୍ରୋତା ସମ୍ମିଳନୀ ଆୟୋଜିତ ହେବ। କାର୍ସିନୋଭା କ୍ୟାନ୍ସର ହସ୍ପିଟାଲ ପକ୍ଷରୁ ମେଳାରେ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇ ଦର୍ଶକମାନଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ୱାଦ ପଠନ, ଫ୍ୟାସନ ସୋ, ଉପସ୍ଥାପକ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଦେଶର ଅନ୍ୟତମ ଲୋକପ୍ରିୟ ରେଡିଓ ଜକି ଆରଜେ ପ୍ରବୀଣ ଓ ଅରିତ୍ର, କାନପୁରର ଆରଜେ ରାଘବ ଓ ଇନ୍ଦୋରର ଆରଜେ ଭିନୀ ଏଥର ମେଳାରେ ଯୋଗ ଦେବା ସହ ରେଡିଓରେ କ୍ୟାରିଅର କରିବାକୁ ଚାହୁଥିବା ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ। ଏହି ଅବସରରେ ୨୦୨୧ ମସିହା ପାଇଁ ଆର୍‍ଜେ ରାଘବଙ୍କୁ ଲୋକପ୍ରିୟ ରେଡିଓ ପ୍ରସାରକ ଭାବେ ଓ ଲୋକସେବାରେ ରେଡିଓର ଶ୍ରେଷ୍ଠ ବ୍ୟବହାର ପାଇଁ ଆରଜେ ଭିନୀଙ୍କୁ ସମ୍ମାନିତ କରାଯିବ ଏବଂ କଣ୍ଠଶିଳ୍ପୀ ଅମ୍ରିତା ନାୟକଙ୍କୁ ‘ଉପେନ୍ଦ୍ର ପାହାଡ଼ସିଂହ ମେମୋରିଆଲ ଆୱାର୍ଡ’ ସହ ଅର୍ଥରାଶି ପ୍ରଦାନ କରାଯିବ। ଏହା ବ୍ୟତୀତ କରୋନା ମହାମାରୀ ସମୟରେ ରାଜ୍ୟର ବିଭିନ୍ନ ରେଡିଓ ଷ୍ଟେସନରେ କାର୍ଯ୍ୟକରି ଲୋକମାନଙ୍କୁ ସଚେତନ କରିଥିବା ରେଡ଼ିଓ ଉପସ୍ଥାପକଙ୍କୁ ‘କରୋନା ଯୋଦ୍ଧା ସମ୍ମାନ’ ଏବଂ କିମ୍ୱଦନ୍ତୀ ରେଡ଼ିଓ ବ୍ୟକ୍ତିତ୍ୱ ନଦିଆ ବିହାରୀ ମହାନ୍ତିଙ୍କ ସ୍ମୃତିରେ ‘ନଦିଆ ବିହାରୀ ମହାନ୍ତି ସ୍ମାରକୀ ସମ୍ମାନ’ ବିଶିଷ୍ଟ ରେଡିଓ ବ୍ୟକ୍ତିତ୍ୱ ଦୀପକ ସାମନ୍ତରାୟଙ୍କୁ ପ୍ରଦାନ କରାଯିବ ବୋଲି ଆୟୋଜକ ସଂସ୍ଥାର ମୁଖ୍ୟ ଶ୍ରୀ ପତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.