ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ବାସ୍ଥ୍ୟ ସେବାରେ ସମସ୍ୟା ସାଜିବନି ଡାକ୍ତର ଅଭାବ : ଖୁବ୍‌ଶୀଘ୍ର ପୂରଣ ହେବ ୮ ହଜାର ଡାକ୍ତର ପଦବୀ

ଭୁବନେଶ୍ୱର: ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯତ୍‌‌ପରୋନାସ୍ତି ଉଦ୍ୟମ କରୁଛି। କିନ୍ତୁ ସବୁଠାରୁ ବଡ଼ ସମସ୍ୟା ସାଜିଥିବା ଡାକ୍ତର ଅଭାବ ଏବେ ଦୂର ହେବାକୁ ଯାଉଛି। ମେଡିକାଲ କଲେଜ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ଡାକ୍ତରଙ୍କ ଉପଲବ୍ଧି ସୁନିଶ୍ଚିତ କରାଯିବ। ଖୁବ୍‌‌ କମ୍‌‌ ଦିନ ଭିତରେ ତିନିଟି ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗ ୮ ହଜାର ଡାକ୍ତରଙ୍କୁ ନିଯୁକ୍ତି ଦେବ। ଏଥିପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଗତବର୍ଷ ସୁଦ୍ଧା ରାଜ୍ୟରେ ପ୍ରାୟ ୪୦% ଡାକ୍ତର ପଦବୀ ଖାଲି ପଡ଼ିଥିଲା। ଗତବର୍ଷ ବିଭିନ୍ନ ବର୍ଗରେ ଡାକ୍ତର ନିଯୁକ୍ତି ହୋଇଥିଲା। ତେବେ ଅତିରିକ୍ତ ୩ ହଜାର ଡାକ୍ତର ପଦବୀ ସୃଷ୍ଟି କରାଯାଇ ଥିବା ବେଳେ ସେଥିରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ଆଉ ୫ ହଜାର ଏମ୍‌‌ବିବିଏସ୍‌‌ ଡାକ୍ତର ପଦବୀ ସୃଷ୍ଟି କରାଯିବ। ଏହା ପୂର୍ବରୁ ଅର୍ଥ ବିଭାଗ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରି ସାରିଛି। ତେଣୁ ଚଳିତ ବର୍ଷ ସୁଦ୍ଧା ଏଥିରୁ ଅର୍ଦ୍ଧାଧିକ ପଦବୀ ପୂରଣ ହେବା ସମ୍ଭାବନା ଅଛି। ୨୦୨୪ ସୁଦ୍ଧା ରାଜ୍ୟରେ ଡାକ୍ତର ଅଭାବ ପୂରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଆମେ ରାଜ୍ୟରେ ୯୦% ଏମ୍‌‌ବିବିଏସ୍‌‌ ପଦବୀ ପୂରଣ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ପ୍ରାୟ ୮ ହଜାର ଡାକ୍ତର ପଦବୀ ପୂରଣ ହେବ। କାରଣ ଏଥିପାଇଁ ବିଧିବଦ୍ଧ ଅନୁମତି ମିଳି ସାରିଛି। ଡାକ୍ତରଖାନାକୁ ଆସୁଥିବା ଲୋକଙ୍କ ଶତପ୍ରତିଶତ ସନ୍ତୁଷ୍ଟି ହାସଲ ଉପରେ ଆମେ ଗୁରୁତ୍ୱ ଦେଉଛୁ।

ସେଥିପାଇଁ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହିତ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପର୍ଯ୍ୟପ୍ତ ଉପଲବ୍ଧତା ଜରୁରୀ। ତେଣୁ ବର୍ଷକ ମଧ୍ୟରେ ଡାକ୍ତର ଅଭାବ ପ୍ରାୟତଃ ଦୂର ହୋଇଯିବ ବୋଲି ଶ୍ରୀମତି ପଣ୍ଡିତ ବିଶ୍ୱାସବ୍ୟକ୍ତ କରିଛନ୍ତି। ଏମ୍‌‌ସ, ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି, ଆମ ଦେଶରେ ଆରମ୍ଭରୁ ଡାକ୍ତରଙ୍କ ଅଭାବ ରହି ଆସିଛି। ଶତ ପ୍ରତିଶତ ରୋଗୀ ସେବା ସୁନିଶ୍ଚିତ କରିବା ଦିଗରେ ଏହା ଡେଉଛି ସବୁଠାରୁ ବଡ଼ ପ୍ରତିବନ୍ଧକ। ତେବେ ପୂର୍ବାପେକ୍ଷା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଦୂର ହେବାରେ ଲାଗିଛି। ଏହି ପ୍ରକ୍ରିୟା ଜାରି ରହିଲେ ଡାକ୍ତର ଅଭାବ ଦୂର ହେବାରେ ସମସ୍ୟା ରହିବ ନାହିଁ। ନିଯୁକ୍ତି ପାଉଥିବା ଡାକ୍ତରମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ସମେତ ସବ୍‌‌ ଡିଭିଜନ୍‌‌ ହସ୍ପିଟାଲ, ପିଏଚ୍‌‌ସି, ସିଏଚ୍‌‌ସିରେ ନିୟୋଜିତ କରାଯାଉଛି। ଯଦ୍ଦ୍ୱାରା ନିଜ ଆଖ ପାଖ ଅଞ୍ଚଳରେ ଥିବା ଡାକ୍ତରଖାନାରେ ଚିକିତ୍ସା ମିଳିବ ଏବଂ ସେମାନେ ଆଉ ସହରର ମୁଖ୍ୟ ଚିକିତ୍ସାଳୟକୁ ଆସିବା ପାଇଁ ବାଧ୍ୟ ହେବେ ନାହିଁ।

ଡାକ୍ତର ଅଭାବ ଦୂର ପାଇଁ ଓଡ଼ିଶା ସରକାର ବାହାର ରାଜ୍ୟର ମେଡିକାଲ ଗ୍ରାଜୁଏଟ୍‌‌ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ଚାକିରୀ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସେହିପରି ଓଡ଼ିଶା ମେହିକାଲ ହେଲଥ୍‌‌ ସର୍ଭିସ୍‌‌ (ଓଏମ୍‌‌ଏଚ୍‌‌ଏସ୍‌‌) ରୁଲ୍‌‌-୨୦୧୭ରେ ସଂଶୋଧନ କରି ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଅଧିକ ଦରମାରେ ନିଯୁକ୍ତି ପ୍ରଦାନ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଗତ ନଭେମ୍ବର ମାସରେ ସରାକର ୨୦୦୦ ମେଡିକାଲ ଅଫିସର ପଦବୀ ସୃଷ୍ଟି କରିଥିଲେ। ଏହାକୁ ମିଶାଇ ରାଜ୍ୟରେ ଓଏମ୍‌‌ଏଚ୍‌‌ଏସ୍‌‌ କ୍ୟାଡର୍‌‌ରେ ଅନୁମୋଦିତ ଡାକ୍ତର ପଦବୀ ସଂଖ୍ୟା ୧୦ ହଜାର ୫୦୦ରୁ ଅଧିକ ରହିଛି। ଏଥିରେ ଜେନେରାଲ ଡ୍ୟୁଟି ଏବଂ ସ୍ପେଶାଲିଷ୍ଟ ମେଡିକାଲ ଅଫିସର ପଦବୀ ଅନ୍ତର୍ଭୁକ୍ତ। ସମ୍ପ୍ରତି ସରକାରୀ ମେଡିକାଲ କଲେଜରେ ୧୪୫୦ ଏମ୍‌‌ବିବିଏସ୍‌‌ ସିଟ୍‌‌ ସହିତ ୫୫୦ ପିଜି ସିଟ୍‌‌ରେ ପାଠ ପଢ଼଼ା ହେଉଛି।

ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, କଟକ ଶିଶୁ ଭବନ ଏବଂ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ଥିବା ପିଜି ଇନ୍‌‌ଷ୍ଟିଚ୍ୟୁଟ୍‌‌ରେ ପିଜି ପାଠ୍ୟକ୍ରମ ରହିଛି। ଓଡ଼ିଶା ମେଡିକାଲ ଟିଚର୍ସ ଆସୋସିଏସନ୍‌‌ (ଓମ୍‌‌ଟା)ର ସଭାପତି ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆମର ଡାକ୍ତର ଅଭାବ ପୂରଣ କରିବା ଆବଶ୍ୟକ। ଡାକ୍ତରଖାନାରେ ଚିକିତ୍ସା ହେଉ ଅବା ମେଡିକାଲ କଲେଜରେ ପାଠ ପଢ଼଼ା ସବୁଠି ଅଭିଜ୍ଞ ଏବଂ ବରିଷ୍ଠ ଡାକ୍ତରଙ୍କର ଆବଶ୍ୟକତା ରହିଛି। ତେବେ ଖୁସିର କଥା ଯେ ମୁଖ୍ୟମନ୍ତ୍ରୀ ଏଭଳି ଏକ ଜରୁରୀ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ମେଡିକାଲ ଅଫିସର ଏବଂ ଶିକ୍ଷକ ପଦବୀ ପୂରଣ ଲାଗି ପଦକ୍ଷେପ ନେଉଛନ୍ତି। ପୂର୍ବାପେକ୍ଷା ସ୍ଥିତିରେ ବହୁତ ସୁଧାର ଆସିଛି ଏବଂ ଶୀଘ୍ର ବଡ଼ ପରିବର୍ତ୍ତନ ଆଶା କରାଯାଉଛି ବୋଲି ଡା ପଣ୍ଡା ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.