ଜଣେ ବ୍ୟକ୍ତିଙ୍କ ଉଦ୍ୟମରେ ୬୧ ଏକର ଜଙ୍ଗଲ ସୁରକ୍ଷା, ଲଣ୍ଡା ପାହାଡ଼କୁ ଜଙ୍ଗଲରେ ପରିଣତ କରିଛି ଗର୍ଜନପାଟ ବନସୁରକ୍ଷା ସମିତି

ବରଗଡ଼: ବରଗଡ଼ ଜିଲା ଅମ୍ବାଭନା ବ୍ଳକର ରାମଖୋଲ ଗ୍ରାମର ବାସିନ୍ଦା ହେଉଛନ୍ତି ଭୈରବ ପାତ୍ର । ସେ ଜଣେ ପ୍ରକୃତି ପ୍ରେମୀ । ହୀରାକୁଦ ଜଲଭଣ୍ଡାର ଉପରମୁଣ୍ଡରେ ରହିଛି ରାମଖୋଲ ଗାଁ । ଦିନେ ଏହି ଅଞ୍ଚଳ ଘଞ୍ଚ ଜଙ୍ଗଳରେ ପରିପୂର୍ଣ୍ଣ ଥିଲା । ମାତ୍ର ଅସି ଦଶକ ବେଳକୁ ଏହି ଅଞ୍ଚଳରେ ଜଙ୍ଗଳ ଅବକ୍ଷୟ ଦେଖାଯାଇ ରାମଖୋଲ ଏକ ଲଣ୍ଡା ପାହାଡ଼ରେ ପରିଣତ ହୋଇଥିଲା ।ପରିବେଶ ଓ ଜୈବବିବିଧତା ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ଦେଖି ପ୍ରକୃତି ପ୍ରେମୀ ଭୈରବ ପାତ୍ର ଚିନ୍ତିତ ହୋଇ ପଡ଼ିଥିଲେ । ଗାଁର ଯୁବକ ମାନଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ସେ ପ୍ରୋତ୍ସାହିତ କରିଥିଲେ । ତାଙ୍କରି ଉଦ୍ୟମରେ ଗଢ଼ିଉଠିଥିଲା ‘ ରାମଖୋଲ ବନ ସୁରକ୍ଷା ସମିତି’ । ଏହା ହେଉଛି ବରଗଡ଼ ଜିଲାର ପ୍ରଥମ ତଥା ସବୁଠାରୁ ସଫଳ ବନ ସଂରକ୍ଷଣ ସମିତି ।

ସୂଚନାଯୋଗ୍ୟ ଯେ ୧୯୮୭ ସାଧାରଣତନ୍ତ୍ର ଦିବସରୁ ବରଗଡ଼ ଜିଲା ଅମ୍ବାଭନା ବ୍ଳକର ଦୁର୍ଗମ ରାମଖୋଲ ଅଞ୍ଚଳର ଗ୍ରାମବାସୀ ଭୈରବ ପାତ୍ରଙ୍କ ଉଦ୍ୟମରେ ଏକ ବନସୁରକ୍ଷା ସମିତି ଗଠନ କରି ଗର୍ଜନପାଟ ଗ୍ରାମଜଙ୍ଗଲର ସୁରକ୍ଷା ନନିଜ ହାତକୁ ନେଇଥିଲେ । ଦିନରାତି ପାଳି କରି ସେମାନେ ଜଙ୍ଗଲକୁ ଜଗି ରହିବା ଦ୍ୱାରା ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ହୋଇ ପାରିଥିଲା । ଏହା ଫଳରେ ଖାତା ନମ୍ବର ୪୫ ପ୍ଳଟ ନମ୍ବର ୧,୮୪, ୧୭୭, ୧୮ ଏରିଆରେ ଥିବା ୬୧ ଏକର ୨୨ ଡ଼ିସମିଲ ଅଞ୍ଚଳର ପଥର ଚଟାଣ ଡ଼ୁଙ୍ଗୁରୀଟି ଏକ ସମୃଦ୍ଧ ଜଙ୍ଗଲରେ ପରିଣତ ହୋଇଥିଲା । ତତ୍‍କାଳୀନ ସାମାଜିକ ବନୀକରଣ ବିଭାଗ ସହାୟତାରେ ସେଠାରେ ବାଉଁଶ ଚାରା ରୋପଣ ସହ ଅନ୍ୟାନ୍ୟ ଗଛ ଲଗାଯାଇଥିଲା । ୧୯୯୫ରେ ବିଧିବଦ୍ଧ ରୂପେ ସେଠାରେ ବନସୁରକ୍ଷା ସମିତି ଏବଂ ୨୦୦୬ରେ ହୀରାକୁଦ ବନପ୍ରାଣୀ ଡ଼ିଭିଜନ ପକ୍ଷରୁ ଇକୋ ଡ଼େଭେଲପମେଣ୍ଟ କମିଟି ଗଠନ କରାଯିବା ପରେ ଡ଼େବ୍ରିଗଡ଼ ଅଭୟାରଣ୍ୟର ୩୭୫ ଏକର ଜମିର ସୁରକ୍ଷା ଦାୟିତ୍ୱ ଗ୍ରାମ କମିଟିକୁ ଦିଆଯାଇଥିଲା ।

ଲୋକଙ୍କ ସହାୟତାରେ ଜଙ୍ଗଲ ସୁରକ୍ଷା ଓ ପରିଚାଳନା ଦୃଷ୍ଟିରୁ ରାମଖୋଲ ଅଞ୍ଚଳର ବନ ସୁରକ୍ଷା ସମିତି କେବଳ ବରଗଡ଼ ଜିଲା କାହିଁକି ସାମଗ୍ରୀକ ରୂପେ ରାଜ୍ୟର ଏକ ସଫଳ ପଦକ୍ଷେପ ।କେବଳ ରାମଖୋଲ ଅଞ୍ଚଳରେ ପ୍ରକୃତୀ ପ୍ରେମୀ ଭୈରବ ପାତ୍ରଙ୍କ ଉଦ୍ୟମରେ ଦୁଇ ଶହରୁ ଉର୍ଦ୍ଧ୍ୱ ପ୍ରଜାତିର ବନୈଷଧି ସଂରକ୍ଷିତ କରାଯାଇ ପାରିଛି । ଲକଡ଼ାଉନ ସମୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବାୟୋଟେକନୋଲୋଜି ବିଭାଗ ଓ ଅଗ୍ରଗାମୀ ବାୟୋ ଡ଼ାଇଭରସିଟି ସେଲର ମିଳିତ ଉଦ୍ୟମରେ ଏଠାରେ ବିରଳ ବନୌଷଧିର ସନ୍ଧାନ କରାଯାଇଥିଲା । ସଭିଏଁ ଭୈରବ ପାତ୍ରଙ୍କ ଏତାଦୃଶ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ ।

ରାମଖୋଲର ଗର୍ଜନପାଟ ବନ ସୁରକ୍ଷା ସମିତି ଜୈବ ବିବିଧତା ସୁରକ୍ଷାରେ ଅଗ୍ରଣୀ ଭୂମିକା ନେଇଥିଲେ ହେଁ ବନ ବିଭାଗ ପକ୍ଷରୁ ଯେତିକି ସହଯୋଗ ଓ ସହାୟତା ମିଳିବା କଥା ସେତିକି ମିଲୁନଥିବା ଜଣାପଡ଼ିଥିଲା । ଏପରିକି ଏହି ଅଞ୍ଚଳକୁ ‘ଆମ ଜଙ୍ଗଲ’ (ଏଜେୱାଇ) ଯୋଜନାରେ ସାମିଲ କରିବାକୁ ରାମଖୋଲର ଗର୍ଜନପାଟ ବନ ସୁରକ୍ଷା ସମିତି ଦାବି କରି ଆସୁଛି । ଏଥି ସକାଶେ ପଲ୍ଲୀସଭା, ଗ୍ରାମସଭା ଏପରିକି ସବଡ଼ିଭିଜନାଲ କମିଟିରେ ପାସ କରାଯାଇଥିଲେ ହେଁ ଜଙ୍ଗଲ ବିଭାଗ ଏହାକୁ ଏ ପର୍ଯ୍ୟନ୍ତ ତାହାକୁ ଅର୍ନ୍ତଭୁକ୍ତ କରି ନଥିବା ଜଣାପଡ଼ିଛି ।

ଏଠାରେ ପ୍ରକାଶଯୋଗ୍ୟ ଯେ ଜାପାନ ଇଣ୍ଟରନେସନାଲ କୋଅପରେସନ ଏଜେନ୍ସି (ଜିକା) ସହାୟତାରେ ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡ଼େଭେଲପମେଣ୍ଟ ପ୍ରୋଜେକ୍ଟ (ଓଏଫଏସଡ଼ିପି) ମାଧ୍ୟମରେ ଜନସହଯୋଗରେ ଜଙ୍ଗଲର ଯୌଥ ପରିଚାଳନା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ଓ ପରିଚାଳନା ଯୋଜନା କରାଯାଇଥିଲା । ଏଥି ସକାଶେ ପୂର୍ବ ପ୍ରଚଳିତ ଓଡ଼ିଶା ଭିଲେଜ ଫରେଷ୍ଟ ରୁଲ ୧୯୮୫ ଏବଂ ଜଏଣ୍ଟ ଫରେଷ୍ଟ ମେନେଜମେଣ୍ଟ ରିଜ୍ୟୁଲେସନ ୧୯୮୮, ୧୯୯୦, ୧୯୯୩, ୧୯୯୬, ୨୦୦୧ ୨୦୧୧ ଏବଂ ୨୦୧୫ର ସଂଶୋଧନ ଅନୁସାରେ ନୂତନ ରୂପେ ଜଏଣ୍ଟ ଫରେଷ୍ଟ ମେନେଜମେଣ୍ଟ କମିଟି (ଜେଏଫଏମସିଏସ) ଗଠନ କରାଯାଇଥିଲା । ବନସୁରକ୍ଷା ସମିତି (ଭିଏସଏସ) ଏବଂ ଇକୋ ଡ଼େଭେଲପମେଣ୍ଟ କମିଟି (ଇଡ଼ିସି) ଗଠନ କରାଯାଇ ରାଜ୍ୟର ୧୧୬୮୦୦୦ ହେକ୍ଟର ଜଙ୍ଗଲର ଯୌଥ ପରିଚାଳନା ଦାୟିତ୍ୱ ସେମାନଙ୍କୁ ପ୍ରଦାନ କରାଯାଇଛି । ଏହି ସମୟରେ ଜଙ୍ଗଲ ପରିଚାଳନା ଏବଂ ଜଙ୍ଗଲଜାତ ଦ୍ରବ୍ୟର ବ୍ୟବହାର ନେଇ ନିଦ୍ଧିଷ୍ଟ ଗାଇଡ଼ଲାଇନ ପ୍ରସ୍ତୁତ ହୋଇଛି ।ଏହି କମିଟି ଗୁଡ଼ିକର ସୁପରିଚାଳନା ଓ ତଦାରଖ ଦାୟିତ୍ୱ ଜଙ୍ଗଲ ବିଭାଗର ।ମୁଖ୍ୟତଃ ଜଙ୍ଗଲ ପରିଚାଳନା ନେଇ ଅନେକ ସମସ୍ୟା ରହିଛି । ମାତ୍ର ଏହାକୁ ସୁଚାରୁ ରୂପେ କାର୍ଯ୍ୟକରିବାରେ ତୃଣମୂଳ ସ୍ତରରେ ବିଭାଗୀୟ ଅଧିକାରୀ ଓ ପ୍ରଶାସନର ଆନ୍ତରିକତାର ଅଭାବ ରହିଥିବା ଅଭିଯୋଗ ହେଉଛି ।

Leave a comment