ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ: ବିଦା ହେଲେ ଆଉ ୬ ଅଧିକାରୀ

ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି

ଭୁବନେଶ୍ୱର: ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇ ଆସିଛନ୍ତି । ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏଥିରେ ୩ ଜଣ ଏକଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କ ସମେତ ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ରହିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଏହି ୬ ଜଣଙ୍କ ମଧ୍ୟରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରର ୩ ଜଣ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ରହିଛନ୍ତି । ଏମାନଙ୍କ ମଧ୍ୟରୁ ସରୋଜ କୁମାର ଦାସଙ୍କ କାର୍ୟ୍ୟଶୈଳୀ ଆଦୌ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ଅତୀତର ରେକର୍ଡରୁ ଜଣାଯାଇଛି ଯେ କାର୍ୟ୍ୟ କ୍ଷେତ୍ରରେ ଅତ୍ୟନ୍ତ ଅପାରଗ ଥିଲେ। ତାଙ୍କ କାର୍ୟ୍ୟଶୈଳୀରେ ଅସଙ୍ଗତି, ନିଷ୍ଠାର ଅଭାବ ଏବଂ ଅପାରଗତା ଯୋଗୁ ସେ ଜଣେ ସରକାରୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ଜନସ୍ୱାର୍ଥର ପରିପନ୍ଥୀ । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଦୟାନିଧି ସାମଲଙ୍କ କାର୍ଯ୍ଯ କଳାପ ମଧ୍ୟ ସନ୍ତୋଷଜନକ ନୁହେଁ । ତାଙ୍କର କାର୍ଯ୍ଯ କଳାପ ଜଣେ ଦାୟିତ୍ୱବାନ ସରକାରୀ କର୍ମଚାରୀଙ୍କ କାର୍ୟ୍ୟର ପରିପନ୍ଥୀ ଓ ଜନସ୍ୱାର୍ଥ ବିରୋଧୀ । ଏହା ସହିତ ଅପାରଗତା ଓ ଅସାଧୁତା ଆଦି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏକଜିକ୍ୟୁଟିଭ୍ ଇଞ୍ଜିନିୟର କରୁଣାକର ଘଡାଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ଜଣେ ଯୋଗାଣକାରୀଙ୍କୁ ସେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ । ତାଙ୍କର କାର୍ୟ୍ୟକଳାପ ସନ୍ତୋଷଜନକ ନୁହେଁ ଏବଂ ତାଙ୍କ ବିରୋଧରେ ଅସାଧୁତାର ପ୍ରମାଣ ମଧ୍ୟ ରହିଛି । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅନୁଗୁଳ ଜିଲ୍ଲା ପୋଲିସ ଇନ୍‌ସପେକ୍ଟର ରତ୍ନାକର ମଲ୍ଲିକଙ୍କୁ ଅପାରଗତା କାରଣକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ନୂଆପଡ଼ା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲ ରହିଛି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ତାଙ୍କ ନିକଟରୁ ୬.୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇ ତାଙ୍କୁ ଜେଲ୍‌କୁ ପଠାଯାଇଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅନୁଗୁଳ ଜିଲ୍ଲାର ପୂର୍ବତନ କଲ୍ୟାଣ ଅଧିକାରୀ ଚାରୁଲତା ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ଜିଲ୍ଲା କଲ୍ୟାଣ ଅଧିକାରୀ ଭାବରେ ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡିଥିଲେ। ସେ କାର୍ୟ୍ୟରୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

Leave A Reply

Your email address will not be published.