ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘରବିକ୍ରି ଆଳରେ ୬.୫ କୋଟି ଠକେଇ

ଭୁବନେଶ୍ୱର/ଖଣ୍ଡଗିରି : ରାଜଧାନୀରେ ପୁଣି ଏକ ବଡ଼ଧରଣର ଠକେଇ ସାମ୍‍ନାକୁ ଆସିଛି। କ୍ୟାପିଟାଲ ଥାନା ଅନ୍ତର୍ଗତ ଗଙ୍ଗନଗର ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଘର ବିକ୍ରି ନାଁରେ ୬.୫ କୋଟି ଟଙ୍କା ଠକି ନେଇଛନ୍ତି। ଏଭଳି ଠକେଇର ଶିକାର ହୋଇଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଧୀନସ୍ଥ କେ ରେଗିଡି ସାହିର ରୀତାଞ୍ଜଳି ସାହୁ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ଖବର ଅନୁସାରେ, ଅଭିଯୋଗକାରିଣୀ ରୀତାଞ୍ଜଳି ଗଙ୍ଗନଗର ଅଞ୍ଚଳର ବିଭୁଦତ୍ତ ପଟେଲଙ୍କୁ ଭୁବନେଶ୍ୱରରେ ଏକ ଘର କିଣାଇ ଦେବା ପାଇଁ କହିଥିଲେ। ଗଙ୍ଗନଗର ମୌଜାର ଖାତା ନଂ ୧୧୦/୧ ଓ ପ୍ଲଟ ନଂ ୨୮ରେ ଥିବା ଘରଟି ବିକ୍ରି କରିବା ପାଇଁ ବିଭୁଦତ୍ତ ୩ଟି ଚୁକ୍ତି କରିଥିଲେ। ମୋଟ ୫୦୨୬ ବର୍ଗଫୁଟ ଜମି ସହ ଘର ବିକ୍ରି ପାଇଁ ବିଭୁଦତ୍ତ ଚୁକ୍ତି ମାଧ୍ୟମରେ ୨୦୧୯ ମସିହା ଜୁନ ମସିହାଠାରୁ ୨୦୨୧ ମସିହା ଡିସେମ୍ୱର ମାସ ମଧ୍ୟରେ ମୋଟ ୧୪ଟି ପର୍ଯ୍ୟାୟରେ ରୀତାଞ୍ଜଳିଙ୍କ ଠାରୁ ୬ କୋଟି ୫୦ ଲକ୍ଷ ୪୮ ହଜାର ଟଙ୍କା ନେଇଥିଲେ। ଏପରିକି ନିଜ ସ୍ତ୍ରୀଙ୍କର ଦେହ ଖରାପ ଅଛି ଓ ତାଙ୍କ ଚିକିତ୍ସା ପାଇଁ ଟଙ୍କାର ଆବଶ୍ୟକତା ଅଛି କହି ଏଭଳି ଭାବେ ଲକ୍ଷଲକ୍ଷ ଟଙ୍କା ଲୁଟି ଚାଲିଥିଲେ। ଭୁବନେଶ୍ୱରରେ ଘର କିଣିବା ପାଇଁ ରିତାଞ୍ଜଳୀ ତାଙ୍କ ହିଞ୍ଜିଳିକାଟୁ ଓ ବ୍ରହ୍ମପୁରରେ ଥିବା ଦୁଇଟି ଘରକୁ ବ୍ୟାଙ୍କରେ ବନ୍ଧକ ରଖିଥିଲେ ଓ ଉକ୍ତ ଟଙ୍କାକୁ ଆଣି ବିଭୁଦତ୍ତଙ୍କୁ ଦେଇଥିଲେ। କିନ୍ତୁ ଟଙ୍କା ନେବା ପରେ ବିଭୁଦତ୍ତ ତାଙ୍କୁ ଆଉ ଧରାଛୁଆଁ ଦେଇ ନ ଥିଲେ। ରୀତାଞ୍ଜଳି ଘର ଓ ଜମି ରେଜିଷ୍ଟ୍ରେସନ୍‍ କରିବା କଥା କହିବାରୁ ବିଭୁଦତ୍ତ ଗୋଟିଏ ପରେ ଗୋଟିଏ ତାରିଖ ଦେଇ ଦିନ ଗଡାଇ ଚାଲିଥିଲେ। ବାରମ୍ୱାର କହିବା ପରେ ମଧ୍ୟ ବିଭୁଦତ୍ତ ଘର ଓ ଜମି ରେଜିଷ୍ଟ୍ରେସନ୍‍ ନ କରିବାରୁ ରିତାଞ୍ଜଳୀଙ୍କ ମନରେ ସନ୍ଦେହ ଉପୁଜିଥିଲା।

ସେ ଯାଞ୍ଚ କରିବା ପରେ ସାଂଘାତିକ କଥା ପଦାକୁ ଆସିଥିଲା। ବିଭୁଦତ୍ତ ବିକ୍ରି କରିବାକୁ ଚୁକ୍ତି କରିଥିବା ଜମି ଓ ଘର ବ୍ୟାଙ୍କରେ ବନ୍ଧକ ଥିବା ଅଭିଯୋଗକାରିଣୀ ଜାଣିବାକୁ ପାଇଥିଲେ। ଘଟଣା ବିଷୟରେ ଜାଣିବା ପରେ ରୀତାଞ୍ଜଳି ଅଭିଯୋଗ କରିଥିଲେ ଓ ଚଳିତ ମାସ ୧୦ ତାରିଖ ମଧ୍ୟରେ ଘର ଓ ଜମି ରେଜିଷ୍ଟ୍ରେସନ କରିଦେବେ ବୋଲି ବିଭୁଦତ୍ତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରୀତାଞ୍ଜଳି ତାଙ୍କୁ ଯୋଗାଯୋଗ କରିବାରୁ ବିଭୁଦତ୍ତ ତାଙ୍କୁ ଗାଳିଗୁଲଜ କରିବା ସହିତ ଘର ରେଜିଷ୍ଟ୍ରେସନ କରିବ ନାହିଁ କି ଟଙ୍କା ଫେରେଇବ ନାହିଁ ବୋଲି ଧମକ ଦେଇଥିଲା। ଏଥିସହିତ ଅଧିକ ମୁଣ୍ଡ ଖେଳେଇଲେ ରୀତାଞ୍ଜଳି ଓ ତାଙ୍କ ସ୍ୱାମୀଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲା। ଏକ ବଡ଼ଧରଣର ଠକେଇର ଶିକାର ହୋଇଥିବା ଜାଣି ମହିଳା ଜଣଙ୍କ ଏନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.