ସ୍କୁଲରୁ ମନ୍ଦିର, ଡାକ୍ତରଖାନାରୁ ଷ୍ଟାଡିୟମ, ଆହାର କେନ୍ଦ୍ରରେ ଖାଇଲେ, ମିଶନ ଶକ୍ତି ମାଙ୍କ ହାତ ତିଆରି ମାଣ୍ଡିଆ ଚା ପିଇଲ….. ଏମିତି ଥିଲା ‘୫-ଟି’ ସଚିବଙ୍କ ନବରଙ୍ଗପୁର ଗସ୍ତର ଦ୍ବିତୀୟ ଦିନ

ନବରଙ୍ଗପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘୫-ଟି’ ସଚିବ ଭିକେ ପାଣ୍ଡିଆନ୍ ଗତକାଲିଠୁ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ଗସ୍ତ ନବରଙ୍ଗପୁର ଜିଲ୍ଲା ପାଇଁ ବିକାଶର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିବା ବେଳେ ‘୫-ଟି’ ସଚିବ ମଧ୍ୟ ବିଭିନ୍ନ ସ୍ଥାନ ବୁଲି ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଥିବା ବିକାଶ କାର୍ଯ୍ୟ ନବରଙ୍ଗପୁରରେ କେତେ ବାଟ ଆଗେଇଛି ? ଲୋକଙ୍କର କ’ଣ ରହିଛି ସମସ୍ୟା ? ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ଗ୍ରାଉଣ୍ଡରେ କେତେ କାର୍ଯ୍ୟକାରୀ ହେଉଛି, ସମୀକ୍ଷା କରିଛନ୍ତି ‘୫-ଟି ସଚିବ ଭିକେ ପାଣ୍ଡିଆନ । ଦୁଇଦିନିଆ ଗସ୍ତରେ ନବରଙ୍ଗପୁର ଯାଇ ସ୍କୁଲ, ଡାକ୍ତରଖାନା ଓ ବିଭିନ୍ନ ଧାର୍ମିକସ୍ଥଳୀ ଅନୁଧ୍ୟାନ କରିବା ସହିତ ଲୋକଙ୍କ ସହିତ ସିଧାସଳଖ କରିଛନ୍ତି ଆଲୋଚନା । ଏହି ସମୟରେ ତେଲ ଜଳସେଚନ ପ୍ରକଳ୍ପ ସହିତ ଏକାଧିକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।
ଶୁକ୍ରବାର ତାଙ୍କ ଗସ୍ତର ପ୍ରଥମ ଦିନରେ ସେ ନବରଙ୍ଗପୁର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଆଜି ମଧ୍ୟ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସହ କଥା ହୋଇ ଆଗକୁ କଣ କରାଯିବ ତାହାକୁ ନେଇ ଆଲୋଚନା କରିଛନ୍ତି। ଆଜି ‘୫-ଟି ସଚିବ ଭିକେ ପାଣ୍ଡିଆନ ସ୍ମାର୍ଟ କ୍ଲାସ ରୁମରେ ପିଲାଙ୍କୁ ଭବିଷ୍ୟତର ମନ୍ତ୍ର ଦେଇଛନ୍ତି । ମାଆଙ୍କ ହାତ ତିଆରି ଖାଦ୍ୟ ଖାଇ ମହିଳାଙ୍କ ମନୋବଳ ବଢାଇଛନ୍ତି । ଦୁଇଦିନିଆ ଗସ୍ତରେ ଲୋକଙ୍କ କଥା ଶୁଣିଛନ୍ତି ଆଉ ଅଟକିଥିବା ବିକାଶର ଗତିକୁ ବଳ ଦେଇଛନ୍ତି ।
ସକାଳୁ ସକାଳୁ ନବରଙ୍ଗପୁର ବ୍ଲକ ମାଣ୍ଡାଡୋଙ୍ଗରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ପାଣ୍ଡିଆନ । ଏହାପରେ ଜଟାବାହାଲ SSD ହାଇସ୍କୁଲରେ ପହଞ୍ଚି ଥିଲେ । ସେଠାରେ ପିଲାଙ୍କୁ କିଛି ସମୟ ପାଠ ପଢାଇବା ପରେ ଲୋକଙ୍କ ସମସ୍ୟା ଉପରେ ଦରଖାସ୍ତ ଗ୍ରହଣ କରି ସମାଧାନ ପ୍ରତିଶ୍ରୁତି ଦେଇଥିଲେ । ଝରିଗାଁ ବ୍ଲକ ବିଡ୍ରିଗୁଡ଼ାରେ ମା’ ଘାଟଘୋଷଣୀଙ୍କୁ ଦର୍ଶନ କରି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନ ମାନ୍ୟତା ଦାବି କଥା ଶୁଣି ସମାଧାନ ପ୍ରତିଶ୍ରୁତି ଦେଇଥିଲେ ।
ସେଠାରୁ ଉମରକୋଟ ଇଣ୍ଡୋର ଷ୍ଟାଡିୟମ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ । ବିଭିନ୍ନ ସଂଗଠନ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ RMCରେ ମିଶନ ଶକ୍ତି ମହିଳାଙ୍କୁ ଭେଟିଥିଲେ । ମାଆଙ୍କ ହାତ ତିଆରି ଟେରାକୋଟା, ଅଳଙ୍କାର ଓ ଘରସଜା ଜିନିଷ ଦେଖିବା ସହ ବଜାର ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସେଠାରେ ମାଣ୍ଡିଆ ଚା ପିଇଥିଲେ ପାଣ୍ଡିଆନ । ଏହାସହ SHGଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ । ପରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଆହାର କେନ୍ଦ୍ରକୁ ଯାଇ ସାଧାରଣ ଲୋକଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ ।
ପୂଜାରିଗୁଡ଼ାରେ ଭାସ୍କେଲ ଡ୍ୟାମର ଅନୁଧ୍ୟାନ କରି ପୋଡାଗଡ଼ରେ ନଳ ରାଜାଙ୍କ ବିଭିନ୍ନ ଶିଳା ଲିପି ଦେଖିବା ସହ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାସହ ଭୈରବୀ ଓ ଚାଉରିଆ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ୫ଟି ସଚିବ । ସେହିପରି ଝରିଗାଁ ବ୍ଲକ ସତିଘାଟରେ ଜଳସେଚନ ବ୍ୟବସ୍ଥାର ତଦାରଖ କରିଥିଲେ । ନକ୍ସା ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ୧୫ ଦିନରେ ପ୍ରକଳ୍ପକୁ ଅନୁମୋଦନ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି । ସେଠାରୁ ଚନ୍ଦାହାଣ୍ଡି ବ୍ଲକ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହିତ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ଗୋଟିଏ ପରେ ଗୋଟିଏ ଜିଲ୍ଲା । ଫୋକସରେ ରାଜ୍ୟର ଉନ୍ନତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାଗସ୍ତରେ ଯାଇ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ । ଗ୍ରାଉଣ୍ଡରେ ଲୋକଙ୍କ ସମସ୍ୟା ଶୁଣି ସମାଧାନର ରାସ୍ତା ବାହାର କରୁଥିବାରୁ ଫାଇଭ-ଟି ସଚିବଙ୍କୁ ପ୍ରଶଂସା କରିଛନ୍ତି ଜନସାଧାରଣ ।
ଅନ୍ୟପଟେ ଗିତକାଲି ଗସ୍ତର ପ୍ରଥମ ଦିନରେ ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ନେଇ ଆଲୋଚନା କରିଥିଲେ। ଏହି ସମୟରେ କମିଟିର କର୍ମକର୍ତ୍ତା ତାପସ ତ୍ରିପାଠୀଙ୍କ ସମେତ ୫ଜଣ ମିଶି ମନ୍ଦିରର ଉନ୍ନତିକରଣ ଏବଂ ମନ୍ଦିର ଚତୁଃପାର୍ଶ୍ବ ଆଲୋକୀକରଣ ବ୍ୟବସ୍ଥା ନିମନ୍ତେ ଏକ ଅନୁରୋଧ ପତ୍ର ‘୫-ଟି’ ସଚିବଙ୍କୁ ପ୍ରଦାନ କରିଛନ୍ତି। ଏହାପରେ ଶ୍ରୀ ପାଣ୍ଡିଆନ୍ ସ୍ଥାନୀୟ ସର୍କିଟ ହାଉସ୍ଠାରେ ପହଞ୍ଚି ସେଠାରେ ୨୫ରୁ ଊର୍ଦ୍ଧ୍ବ ଶିକ୍ଷାନୁଷ୍ଠାନ ଏବଂ ୨୦ରୁ ଊର୍ଦ୍ଧ୍ବରୁ ଧର୍ମାନୁଷ୍ଠାନର ୧୩୧ ଜଣ କର୍ମକର୍ତ୍ତାଙ୍କ ଅଭିଯୋଗ ଶୁଣିଥିଲେ।
ଏହି ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ, ଜତି ସମାଜ, ଅନୁସୂଚିତ ଜନଜାତି ଓ ଜାତି ବର୍ଗ, ଧାର୍ମିକ ଅନୁଷ୍ଠାନ ଆଦିର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ସହ ଆଲୋଚନା କରିଥିଲେ। ଏହାର କିପରି ତୁରନ୍ତ ସମାଧାନ ହୋଇପାରିବ ସେନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ‘୫-ଟି’ ସଚିବଙ୍କୁ ନିଜସ୍ୱ ଅଭିଯୋଗ ଦେବାପରେ ଖୁସି ଅନୁଭବ କରିବା ସହ ବର୍ତ୍ତମାନ ଆମ ଅଭିଯୋଗରେ ନିଶ୍ଚିତ ସମାଧାନ ହେବା ନେଇ ସେମାନେ ଅଶା ପ୍ରକାଶ କରିଛନ୍ତି। କେବଳ ନବରଙ୍ଗପୁର ନୁହେଁ ରାୟଗଡ଼଼ା ଜିଲ୍ଲାରୁ ମଧ୍ୟ ଶତାଧିକ ଜନତା ଆସି ତାଙ୍କୁ ସାକ୍ଷାତ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ଏଥିସହ ‘୫-ଟି’ ସଚିବଙ୍କ ଉପରେ ଆମର ପୂର୍ଣ୍ଣ ଭରସା ରହିଛି ବୋଲି ବିଭିନ୍ନ ଧର୍ମାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ବୃନ୍ଦ ଆଶା ପ୍ରକଟ କରିଛନ୍ତି।