ନୂତନ ବିଏମସି ବିଲ୍ଡିଂ ଏବଂ ଓ’ ହବ୍‌ ପରିଦର୍ଶନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ଆଇଟି ଟାୱାର ପରିଦର୍ଶନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ସତ୍ୟନଗରଠାରେ ନିର୍ମାଣାଧୀନ ବିଏମସିର ନୂଆ ବିଲଡ଼ିଂ ଏବଂ ଓ’ ହବ୍ ନିର୍ମାଣ କାର୍ଯ୍ଯର ସମୀକ୍ଷା କରିଛନ୍ତି । ଏହି ୨ଟି ନୂଆ ବିଲଡ଼ିଂର ନିର୍ମାଣକାର୍ଯ୍ଯ ଶୀଘ୍ର ଶେଷ ହୋଇ କାର୍ଯ୍ଯକ୍ଷମ ହେବା ଉପରେ ଗୁରୁତ୍ବ ଦେଇଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାରେ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡିଲଏଟ ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହି ଦୁଇଟି କମ୍ପାନୀ ଡେଭଲମ୍ପମେଣ୍ଟ ସେଣ୍ଟର ପ୍ରତିଷ୍ଠା କଲେ ବହୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୨୦୨୨ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଦୁଇଟି ଯାକ ସେଣ୍ଟର କାର୍ଯ୍ଯକ୍ଷମ କରିବାକୁ ଲକ୍ଷ ରଖାଯାଇଛି । ଏହାସହ ସେ ଭୁବନେଶ୍ବର ସ୍ମାର୍ଟସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ଯର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ସାଧାରଣ ଲୋକଙ୍କ ପାଇଁ ମିଟିଂ ହଲ୍, କ୍ୟାଣ୍ଟିନ ଓ ପାର୍କିଂ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ବ ଦେଇଛନ୍ତି । ଓ’ ହବ୍‌ରେ ଦ୍ବିତୀୟ ଟାୱାର ନିର୍ମାଣକୁ ସେ ପ୍ରାଧାନ୍ୟ ଦେଇଛନ୍ତି ।

bmc-and-o-hub

 

ସେଠାରେ ଇନକ୍ୟୁବେସନ ସେଣ୍ଟର ସହ ଷ୍ଟାଟଅପ ପାଇଁ ଆବଶ୍ୟକ ଜାଗା ଯୋଗାଇବାକୁ ଗୁରୁତ୍ବ ଦେଇଛନ୍ତି । ଇନଫୋସିଟି ଅଞ୍ଚଳରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା କରିବାକୁ ଫାଇବ ଟି ସଚିବ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଆଇଟି କମ୍ପାନୀ ଗୁଡ଼ିକର ପାର୍କିଂ ସମସ୍ୟା ଦୂର ହେବ ।

୫ଟି ସଚିବଙ୍କ ଏହି ଗସ୍ତ ସମୟରେ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା, ବୈଶୟିକ ଓ ପ୍ରଯୁକ୍ତବିଦ୍ୟା ସଚିବ ମନୋଜ ମିଶ୍ର, ଭୁବନେଶ୍ବର ସ୍ମାର୍ଟସିଟି ଲିମିଟଚେଡର ଅଧ୍ୟକ୍ଷ ସଞ୍ଜୟ ସିଂ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a comment