ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାନବ ସମ୍ବଳ ପରିଚାଳନାରେ ୫-ଟି ନୀତି: ନଭେମ୍ବର ୩୦ ସୁଦ୍ଧା ଇ-ସର୍ଭିସ୍ବୁକ୍ ଅପଡେଟ୍ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମାନବ ସମ୍ବଳ ପରିଚାଳନାରେ ୫-ଟି ନୀତି ପ୍ରୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀମାନଙ୍କର ଇ-ସର୍ଭିସ୍ବୁକ୍ର ସଦ୍ୟତନକରଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି କାର୍ଯ୍ଯର ଅଗ୍ରଗତି ବିଷୟ ଅନୁଧ୍ୟାନ କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଇ-ସର୍ଭିସ୍ବୁକ୍ ସରକାରୀ କର୍ମଚାରୀ ମାନଙ୍କ ଉତ୍ତମ ପରିଚାଳନାରେ ବହୁ ଭାବେ ସହାୟକ ହେବା ସହ ଅବସର ନେଉଥିବା କର୍ମଚାରୀମାନଙ୍କର ପେନ୍ସନ୍ ସମ୍ବନ୍ଧିତ ଦେୟ ପ୍ରଦାନକୁ ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବ । ଏହା ଉଭୟ କର୍ମଚାରୀ ଏବଂ ସରକାରୀ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ବୃତ୍ତିଗତ କରିବ ।

ନଭେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନେ ନିଜ ନିଜ ବିଭାଗ କର୍ମଚାରୀ ମାନଙ୍କର ଇ-ସର୍ଭିସ୍ବୁକ୍ କାର୍ଯ୍ଯର ସଦ୍ୟତନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହା ନହେଲେ ଡିସେମ୍ବର ମାସଠାରୁ ସଂପୃକ୍ତ କର୍ମଚାରୀ ଏବଂ ବିଭାଗୀୟ ନୋଡାଲ୍ ଅଧିକାରୀଙ୍କ ଦରମା ମିଳିବାରେ ବାଧା ସୃଷ୍ଟିହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ଜଣାଇଥିଲେ ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ ପୁର୍ତ୍ତ, କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଅବକାରୀ, ଶିଳ୍ପ, ପର୍ୟ୍ୟଟନ, ଗୃହ, ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଇସ୍ପାତ୍ ଓ ଖଣି, ନଗର ଓ ଗୃହ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ଶ୍ରମ ଓ ନିୟୋଜନ ଆଦି ବିଭାଗର ପ୍ରାୟ ୯୫ ପ୍ରତିଶତ କର୍ମଚାରୀମାନଙ୍କର ଇ-ସର୍ଭିସ୍ବୁକ୍ ସଦ୍ୟତନ କରାସରିଛି । ସେହିପରି ବାଲେଶ୍ୱର, ବରଗଡ଼, ଭଦ୍ରଖ, ଝାରସୁଗୁଡ଼ା, କୋରାପୁଟ, ମାଲ୍କାନାଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ପ୍ରାୟ ୯୨ ପ୍ରତିଶତ କାର୍ଯ୍ଯ ଶେଷ ହୋଇଛି । ଅନ୍ୟ ବିଭାଗ ଏବଂ ଜିଲ୍ଲାମାନେ ହାରାହାରି ୭୦ ପ୍ରତିଶତ କାର୍ଯ୍ଯ ଶେଷ କରିଛନ୍ତି । ବୈଠକରେ ମୁଖ୍ୟତଃ ଇ-ସର୍ଭିସ୍ବୁକ୍ ସଫଟ୍ଓୟାରର କାର୍ଯ୍ଯକାରିତା, ସେଥିରେ ତଥ୍ୟ ସନ୍ନିବେଶ କରିବା, ଡାଟା ଏଣ୍ଟ୍ରି କାର୍ଯ୍ଯ ଆଦି ସମ୍ବନ୍ଧିତ ବିଷୟ ଆଲୋଚନା ହୋଇଥିଲା । ବିଭିନ୍ନ ଜିଲ୍ଲା ଏବଂ ବିଭାଗର ନୋଡାଲ୍ ଅଧିକାରୀମାନେ ନିଜ ନିଜର ଅଭିଜ୍ଞତା ଓ ସମସ୍ୟା ବିଷୟ ଜଣାଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ସେବୁର ଆଶୁ ସମାଧାନ କରିଥିଲେ ।

Leave A Reply

Your email address will not be published.