ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ନେଇଛି ‘୫-ଟି’ ଓ ‘ମୋ ସରକାର’

ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ
ଶାସନ ବ୍ୟବସ୍ଥାରେ ଜନଭାଗୀଦାରି ସର୍ବମାନ୍ୟ ଓ ସର୍ବୋତ୍କୃଷ୍ଟ। ଏକ ଉତ୍ତରଦାୟୀ ଜନମଙ୍ଗଳକାରୀ ସରକାର ସର୍ବଦା ଜନଭାବନା, ଜନସୁବିଧାକୁ ନିଜ ପ୍ରତିଟି ଯୋଜନା ଏବଂ କାର୍ଯ୍ୟକ୍ରମର କେନ୍ଦ୍ରରେ ରଖି ଶାସନ ବ୍ୟବସ୍ଥାକୁ ଗତିଶୀଳ କରିଥାନ୍ତି। ନିଜର ପ୍ରତିଟି ଯୋଜନାରେ ସାଧାରଣ ଲୋକଙ୍କୁ ସାମିଲ କରିବାରେ ହିଁ ସରକାରଙ୍କୁ ସଫଳତା ମିଳିଥାଏ। ସରକାର ଲୋକପ୍ରିୟ, ଆସ୍ଥାଭାଜନ ହୁଏ। ଏହାକୁ ହୃହୟଙ୍ଗମ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶେଷକରି ନିଜ ପଞ୍ଚମ ପାଳିରେ ୫-ଟି ଓ ମୋ ସରକାର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ତ୍ୱରିତ୍ ସେବା ପ୍ରଦାନରେ ସମଗ୍ର ଦେଶକୁ ଏକ ନୂଆ ଦିଗ ଦେଖାଇଛନ୍ତି। ସେହିପରି ଦୁର୍ନୀତିଖୋରଙ୍କ ପାଇଁ ୫-ଟି ଛାଟ ଏବଂ ଏହାର ମନ୍ତ୍ରକୁ ଅନୁସରଣ କରି ବିକାଶ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିବାରେ ରାଜ୍ୟ ସରକାର ଖୁବ୍ ସଫଳ ହେଉଛନ୍ତି। ସମଗ୍ର ଦେଶ ପାଇଁ ୫-ଟି ଏବଂ ମୋ ସରକାର ମଡେଲ ଅନୁକରଣୀୟ ବୋଲି ଏବେ ବିଭିନ୍ନ ଫୋରମରେ ଆଲୋଚନା ଆରମ୍ଭ ହୋଇଛି।

MO SARKAR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା ଉପରେ ଗୁରୁତ୍ୱାରୋପ କରି ଆସିଛନ୍ତି। ଅପାରଗ, ଦୁର୍ନୀତିଖୋର୍ଙ୍କୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ୫-ଟି ଏବେ ମାଷ୍ଟରଷ୍ଟ୍ରୋକ୍ ସାବ୍ୟସ୍ତ ହୋଇଛି। ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକ ହୁଅନ୍ତୁ କି ଆଇଏଏସ ବିଜୟ କେତନ ଉପାଧ୍ୟାୟ କିମ୍ବା ଦଳୀୟ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଦୁର୍ନୀତି, ଅପାରଗତା ଅଭିଯୋଗ ଆସିଲେ ବିନା ବାଛବିଚାରରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଯାବତ୍ ରାଜ୍ୟ ସରକାର ଦୁର୍ନୀତିରେ ସମ୍ପୃକ୍ତ ଥିବା କାରଣରୁ ୧୬୪ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଖାଲି ଦୁର୍ନୀତିର ମୂଳୋତ୍ପାଟନ ନୁହେଁ, ବରଂ ପ୍ରଶାସନିକ କଳକୁ ଚଳଚଞ୍ଚଳ ଏବଂ ବିକାଶ ପ୍ରକ୍ରିୟାକୁ ଗତିଶୀଳ କରିବା ଦିଗରେ ୫-ଟି ମନ୍ତ୍ର ଏବେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଟାଇମ୍, ଟେକ୍ନୋଲୋଜି, ଟିମ୍ୱାର୍କ, ଟ୍ରାନ୍ସପାରେନ୍ସି ଏବଂ ଟ୍ରାନ୍ସଫର୍ମେଶନ୍ର ନୀତିକୁ ଅନୁସରଣ କରି ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ଆରମ୍ଭ କରିଛନ୍ତି। ୫-ଟି ନୀତିକୁ ଅନୁସରଣ କରାଯାଇ ରାଜ୍ୟ ଶିକ୍ଷା କ୍ଷେତ୍ରରେ ଏକ ବଳିଷ୍ଠ ପରିବର୍ତ୍ତନର ସୂତ୍ରପାତ ହୋଇସାରିଛି। ଏଯାବତ୍ ରାଜ୍ୟବ୍ୟାପୀ ୪ ହଜାରରୁ ଊର୍ଦ୍ଧ୍ବ ହାଇସ୍କୁଲର ଲୋକାର୍ପଣ ରୂପାନ୍ତରଣ ସରିଥିବା ବେଳେ ଖୁବଶୀଘ୍ର ଆଉ ୪ ହଜାର ହାଇସ୍କୁଲ ନୂଆ ରୂପ ନେବ। ସେହିପରି ୫-ଟି ନୀତିର ଦୃଢ଼ ଅନୁପାଳନ କରି ଓଡ଼ିଶା ବିତ୍ତୀୟ ପରିଚାଳନା କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଉଦାହରଣ ସ୍ୱରୂପ ରାଜ୍ୟରେ ଖଣି ରାଜସ୍ୱ ସଂଗ୍ରହରେ ରାଜ୍ୟ ସରକାରଙ୍କୁ ୨୦୨୧-୨୨ ଆର୍ଥିକ ବର୍ଷରେ ଐତିହାସିକ ସଫଳତା ମିଳିଛି। ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ଖଣି ରାଜସ୍ୱର ପରିମାଣ ୪୮ ହଜାର ୨୫୫ କୋଟି ଟଙ୍କା ପାର କରିଛି। ସେହିପରି ଲଘୁ ଘଣିଜ ଦ୍ରବ୍ୟରୁ ମିଳିଥିବା ରାଜସ୍ୱକୁ ମିଶାଇଲେ ଏହା ପ୍ରାୟ ୫୦ ହଜାର କୋଟି ଟଙ୍କା ଛୁଉଁଛି। ଯାହାଫଳରେ ଓଡ଼ିଶାର ନିଜସ୍ୱ ଅର୍ଥନୀତି ଅନେକାଂଶରେ ଦୃଢ଼ ହୋଇପାରିଛି। ଆଗକୁ ଆହୁରି ଅଧିକ ଖଣି ନିଲାମ ହେବାକୁ ଥିବାବେଳେ ରାଜ୍ୟ ସରକାର ବିଗତ ଆର୍ଥିକ ବର୍ଷରେ ସଂଗୃହୀତ ରାଜସ୍ୱଠାରୁ ଅଧିକ ପରିମାଣ ରାଜସ୍ୱ ସଂଗ୍ରହ କରିପାରିବେ। ସେହିପରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ, ଥାନାଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ସର୍ବୋତ୍କୃଷ୍ଟ ସେବା ପ୍ରଦାନ; ୫-ଟି ଓ ମୋ ସରକାର ରାଜ୍ୟରେ ଏକ ଅଭୂତପୂର୍ବ ସୁଖଦ ପରିବର୍ତ୍ତନ ଆଣୁଛି ବୋଲି ସମୀକ୍ଷକମାନେ ମତବ୍ୟକ୍ତ କରନ୍ତି।

କ୍ଷେତକୁ ଜଳ, ଚାଷୀଙ୍କ ଆୟ ଦିଗୁଣ
କୃଷି ଆମ ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ହୋଇଥିବା ବେଳେ ଉନ୍ନତ ଜଳସେଚନ ବ୍ୟବସ୍ଥା ଏହାର ପ୍ରମୁଖ ଆବଶ୍ୟକତା ଏବଂ ଉପାଦାନ ଅଟେ। ଜଳସେଚନରେ ସମୃଦ୍ଧ ରାଜ୍ୟ, ରାଷ୍ଟ୍ର ନିଜ ଅର୍ଥନୀତିକୁ ବଳିଷ୍ଠ କରିବାରେ ସଫଳ ହୋଇପାରିଛନ୍ତି। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ସବୁବେଳେ ପ୍ରଶଂସିତ ହୋଇଆସିଛି। ଅଧିକରୁ ଅଧିକ ଚାଷ ଜମିରେ ଯେପରି ସେଚ ସାମର୍ଥ୍ୟ ସୃଷ୍ଟି ହୋଇପାରିବ, ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ସବୁବେଳେ ଗୁରୁତ୍ୱାରୋପ କରି ଆସିଛନ୍ତି। ବିଶେଷକରି ୫-ଟି ନୀତିର ଅନୁସରଣ କରି ଯେପରି ବିଭିନ୍ନ ଜଳସେଚନ ସମ୍ବନ୍ଧୀୟ ପ୍ରକଳ୍ପକୁ ସମୟାନୁଯାୟୀ ଶେଷ କରାଯାଇପାରିବ ସେନେଇ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ଅଛନ୍ତି। ଏପରିକି ଜମିରେ ସେଚ ସାମର୍ଥ୍ୟ ସୃଷ୍ଟି ପାଇଁ ସରକାର ଗ୍ରହଣ କରୁଥିବା ସମସ୍ତ କାର୍ଯ୍ୟକ୍ରମ ସଠିକ୍ ସମୟରେ ସମାପନ ହୁଏ, ତାହେଲେ ରାଜ୍ୟରେ କୃଷି କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବା ସହ କୃଷକଙ୍କ ଆୟ ବହୁ ଗୁଣିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।

irrigation

ଉଠାଜଳସେଚନ ଲାଗି ୧୦ ହଜାର କୋଟି
ରାଜ୍ୟ ସରକାର ଜଳସମ୍ପଦ କ୍ଷେତ୍ରରେ ବ୍ୟାପକ ଅର୍ଥ ବିନିଯୋଗ କରୁଥିବା ବେଳେ ରାଜ୍ୟବ୍ୟାପୀ ବୃହତ୍ ଜଳସେଚନ ପ୍ରକଳ୍ପ, ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପର ନିର୍ମାଣ ଜାରି ରହିଛି। ପାର୍ବତୀ ଗିରି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଅଧୀନରେ ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ଆଉ ୨ ଲକ୍ଷ ୬୩ ହଜାର ୮୦୧ ହେକ୍ଟର ଜମିରେ ସେଚ ସାମର୍ଥ୍ୟ ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ମୋଟ ୧୦ ହଜାର ୭୫୯ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି।

check dam

୧ ଲକ୍ଷ ଗଭୀର ନଳକୂପ ଖନନ ଲକ୍ଷ୍ୟ
ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଗଭୀର ବୋରୱେଲ କାର୍ଯ୍ୟକ୍ରମକୁ ଅଧିକ ସଘନ କରିବା ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରାୟ ୯୭ ହଜାର ବୋରୱେଲ୍କୁ କାର୍ଯ୍ୟକ୍ଷମ କରାଯାଇ ଚାଷୀମାନଙ୍କୁ ହସ୍ତାନ୍ତର କରାଯାଇଛି। ଗୋଟିଏ ବୋରୱେଲରୁ ଉତ୍ପାଦିତ ଜଳରେ ପ୍ରାୟ ୫ ହେକ୍ଟର ଜମିକୁ ବିଭିନ୍ନ ପ୍ରକାର ଚାଷ ପାଇଁ ପାଣି ଯୋଗାଯାଇ ପାରୁଛି। ଆସନ୍ତା ୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟବ୍ୟାପୀ ପ୍ରାୟ ୧ ଲକ୍ଷ ନୂଆ ବୋରୱେଲ୍ ଖନନ କରି ପ୍ରାୟ ୫ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ବର୍ଷତମାମ ଜଳସେଚନ ଯୋଗାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥବା ଜଣାପଡ଼ିଛି।

୩ ବର୍ଷରେ ୧୨୮୦ ଚେକଡ୍ୟାମ୍
ରାଜ୍ୟରେ କ଼ୃଷିକ୍ଷେତ୍ରରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ବଳିଷ୍ଠ ଅବଦାନ ରହିଛି। ଏହିକ୍ର ମରେ ଜଳସମ୍ପଦ ବିଭାଗ ପକ୍ଷରୁ ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଭାଗୀୟ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଆସନ୍ତା ୩ ବର୍ଷ ମଧ୍ୟରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ଅତିରିକ୍ତ ୭୩ ହଜାର ୧୪୨ ହଜାର ହେକ୍ଟର ଚାଷଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ସେହିପରି ଆସନ୍ତା ୩ ବର୍ଷ ମଧ୍ୟରେ ବିଭାଗ ପ୍ରାୟ ୧୨୮୦ଟି ଚେକ୍ଡ୍ୟାମ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହାଦ୍ୱାରା ଜଳସେଚନ ସମସ୍ୟାକୁ ବହୁଗୁଣରେ ହ୍ରାସ କରାଯାଇପାରିବ ବୋଲି ଆଶା କରାଯାଉଛି।

Leave a comment