ମାନଚିତ୍ରରୁ ଲିଭିଯିବ ୫ ଗାଁ, ନଦୀଗର୍ଭରେ ଲୀନ ହେଉଛି ଚାଷଜମି

ବେତନଟୀ: ବେତନଟୀ ଥାନା ବାରିପଦା ସଦର ବ୍ଲକ୍‍ ଅଧୀନ ହାତୀକୋଟ ପଞ୍ଚାୟତରେ ବୁଢାବଳଙ୍ଗ ନଦୀ କ୍ରମଶଃ କୂଳ ଖାଇ ଖାଇ ଚାଲିଥିବା ବେଳେ ଏବେ ଏହା ଅତ୍ୟନ୍ତ ବିପଦଜନକ ସ୍ଥିତିରେ ପହଞ୍ଚିଛି। ଗତ ଏକ ଦଶନ୍ଧି ମଧ୍ୟରେ ନଦୀବନ୍ଧ ନଦୀଗର୍ଭରେ ଲୀନ ହୋଇଥିବା ବେଳେ ଏଥିରେ ଆଡିବନ୍ଧ ରାସ୍ତା ସମେତ ଗାଁର ଅର୍ଦ୍ଧାଧିକ ଅଂଶ ନିଶ୍ଚିହ୍ନ ହୋଇଗଲାଣି। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଉପରେ କାହାରି ନିୟନ୍ତ୍ରଣ ରହି ନ ଥାଏ। ତେବେ ପ୍ରାକୃତିକ ବିପର୍ଯ୍ୟୟରେ ହାନି ହେଉଥିବା ଧନଜୀବନର ସୁରକ୍ଷା ଏବଂ ବିପନ୍ନ ହେଉଥିବା ବିଭିନ୍ନ ସମ୍ପଦର ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ତଦନୁଯାୟୀ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇ ମୁକାବିଲା କରାଯାଇଥାଏ। ଯଦ୍ୱାରା ଧନଜୀବନ କ୍ଷୟକ୍ଷତିର ପରିମାଣକୁ ହ୍ରାସ କରାଯାଇପାରିବା ସହିତ ବିପର୍ଯ୍ୟୟର ମୁକାବିଲା କରାଯାଇଥାଏ। ମାତ୍ର ଦୁର୍ଭାଗ୍ୟର କଥା ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିକୁ ହ୍ରାସ କରିବା ଏବଂ ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନିକସ୍ତରରେ ପ୍ରତ୍ୟେକ ବର୍ଷ ପ୍ରସ୍ତୁତି ବୈଠକ କରାଯାଉଥିଲେ ସୁଦ୍ଧା ତୃଣମୂଳସ୍ତରରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟାଜନିତ କ୍ଷୟକ୍ଷତି ଘଟିଚାଲିଛି।

ମୟୂରଭଞ୍ଜର ବଡନଦୀ ବୁଢାବଳଙ୍ଗରେ ପ୍ରତ୍ୟେକ ବର୍ଷ ବନ୍ୟା ଆସୁଥିବା ବେଳେ ନଦୀକୂଳ ଲଙ୍ଘିବା ସହିତ କୂଳ ଖାଇବା କିଛି ନୂଆ କଥା ନୁହଁ। ତେବେ ନଦୀ ପ୍ରତ୍ୟେକ ବର୍ଷ କୂଳ ଖାଇ ଖାଇ ଗାଁ ଅଭିମୁଖେ ମାଡିଚାଲିଥିବା ବେଳେ ପଥରପ୍ୟାଚିଂ କରାଯାଉ ନ ଥିବାରୁ ଏବେ ସାଂଘାତିକ ସ୍ଥିତିରେ ପହଞ୍ଚିଛି ନଦୀବନ୍ଧ। ପ୍ରତ୍ୟେକ ବର୍ଷ ବୁଢାବଳଙ୍ଗର ବର୍ଷାଜଳ କୂଳ ଖାଇବା ସହିତ ନଦୀବନ୍ଧକୁ ଦୁର୍ବଳ କରିସାରିଲାଣି। ଜନବସତିମୁହାଁ ନଦୀ ଅଗ୍ରସର ହେଉଥିବା ବେଳେ ଏବେ ନଦୀକୂଳିଆ ଲୋକ ପ୍ରମାଦ ଗଣିବା ଆରମ୍ଭ କରିଦେଲେଣି। ଶେଷରେ ପ୍ରଶାସନ ପକ୍ଷରୁ ନଦୀବନ୍ଧକୁ ସୁଦୃଢ କିମ୍ବା ପଥରପ୍ୟାଚିଂ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ତେବେ ଯେଉଁଭଳି ଭାବେ ନଦୀବନ୍ଧ ନଦୀଗର୍ଭରେ ଲୀନ ହୋଇ ହୋଇ ଚାଲିଛି ଆଉ ଦଶନ୍ଧି ମଧ୍ୟରେ ପୁରା ଗାଁ ନଦୀଗର୍ଭରେ ଲୀନ ହେବାରେ କୌଣସି ଦ୍ୱିମତ ନାହିଁ। ଯେଉଁଥିପାଇଁ ଏବେ ନଦୀକୂଳିଆ ଲୋକମାନେ ଗାଁ ଛାଡି ଅନ୍ୟତ୍ର ଘର କରିବା ଆରମ୍ଭ କରିଦେଲେଣି। ନଦୀବନ୍ଧ ନଦୀଗର୍ଭରେ ଲୀନ ହୋଇଚାଲିଥିବା ବେଳେ ଏବେ ଜନବସତି ନିକଟରେ ପହଞ୍ଚିଲାଣି ନଦୀବନ୍ଧ। ପ୍ରତ୍ୟେକ ବର୍ଷ ବୁଢାବଳଙ୍ଗ ନଦୀର ବର୍ଷାଜଳ କୂଳ ଖାଇବା ସହିତ କୂଳଲଙ୍ଘନ କରିଥାଏ।

ମାତ୍ର ଏଠାରେ ପଥରପ୍ୟାଚିଂ କରାଯାଉ ନ ଥିବାରୁ ବିଗତ ୧୨ବର୍ଷ ମଧ୍ୟରେ ୬୦ଫୁଟର ଅଧିକ କୂଳ ଖାଇଗଲାଣି ବୁଢାବଳଙ୍ଗ। ହାତୀକୋଟ ପଞ୍ଚାୟତର ଯାମଦାପାଳ ଏବଂ ବାଲିପାଳ ମଧ୍ୟରେ ବୁଢାବଳଙ୍ଗ ନଦୀ କୂଳ ଖାଇବା ସହିତ ସ୍ଥାନୀୟ ଲୋକଙ୍କ ଚାଷଜମିକୁ ମଧ୍ୟ ନଦୀଗର୍ଭରେ ଲୀନ କରିସାରିଲାଣି। ତେବେ ଏନେଇ ପୂର୍ବତନ ସରପଞ୍ଚ ଶିମଲ ବେଶ୍ରା ଏବଂ ଯୁବ ସମାଜସେବୀ ବାଗ୍‍ଦା ମାର୍ଣ୍ଡି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ସୁଦ୍ଧା ପଥରପ୍ୟାଚିଂ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି। ଆଗକୁ ନଦୀବନ୍ଧ ଭାଙ୍ଗି ବୁଢାବଳଙ୍ଗ ନଦୀ କୂଳ ଲଙ୍ଘିଲେ ନଦୀ ଏହାର ଗତିପଥ ବଦଳାଇବ ବୋଲି ଯୁବ ସମାଜସେବୀ ବାଗ୍‍ଦା ମାର୍ଣ୍ଡି ପ୍ରକାଶ କରିଛନ୍ତି। ବାଲିପାଳ-ଯାମଦାପାଳ ଠାରେ ବୁଢାବଳଙ୍ଗ ନଦୀ ଅତ୍ୟନ୍ତ ବିପଦଜନକ ଭାବେ କୂଳ ଖାଉଥିବା ବେଳେ ଏବେ ଅଞ୍ଚଳବାସୀ ଚିନ୍ତିତ।

ଯଦି ଏଠାରେ ପଥରପ୍ୟାଚିଂ କରା ନ ଯାଏ ତା ହେଲେ ହାତୀକୋଟ ପଞ୍ଚାୟତର ଯାମଦାପାଳ, କଞ୍ଚନପାଳ, ବାଲିପାଳ, କୁଣ୍ଡାସାହି, ମୁଗରାସାହି ଗାଁ ପ୍ରତି ବନ୍ୟା ବିପଦ ଘନେଇ ରହିଛି। ସ୍ଥାୟୀ ସମାଧାନ ପାଇଁ ଦୁର୍ବଳ ନଦୀବନ୍ଧରେ ପଥରପ୍ୟାଚିଂ କରା ନ ଗଲେ କିଛିବର୍ଷ ମଧ୍ୟରେ ବୁଢାବଳଙ୍ଗ ନିଜର ଗତିପଥ ବଦଳାଇବା ସହିତ ବନ୍ୟାରେ ଏହି ଗାଁ ଗୁଡିକ ମାନଚିତ୍ରରୁ ଲିଭିବା ଏକପ୍ରକାର ନିଶ୍ଚିତ। ତେବେ ବୁଢାବଳଙ୍ଗ ନଦୀର ବନ୍ୟା ବାବଦରେ ଜିଲ୍ଲାପ୍ରଶାସନ ଭଲଭାବେ ଅବଗତ ଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ପରିବର୍ତ୍ତେ କିଛି ବାଲିବସ୍ତା ବନେ୍ଧଇ ହାତ ଟେକିଦେଇଥିବା ବେଳେ ବର୍ତ୍ତମାନ ଏହି ବାଲିବସ୍ତା ମଧ୍ୟ ନଦୀଗର୍ଭରେ ଲୀନ ହୋଇଗଲାଣି। ଯାହାକି ନିଶ୍ଚିତଭାବେ ଦୁର୍ଭାଗ୍ୟଜନକ। ସମସ୍ୟାର ସ୍ଥାୟୀ ସମାଧାନ କରା ନ ଗଲେ ନିକଟ ଭବିଷ୍ୟତରେ ବ୍ୟାପକ ଧନଜୀବନ ହାନିହେବାର ଯଥେଷ୍ଟ ଆଶଙ୍କା ରହିଛି। ମୌସୁମୀଜନିତ ଲଗାଣବର୍ଷାରେ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଅଞ୍ଚଳବାସୀ ଏବେଠାରୁ ପ୍ରମାଦ ଗଣିବା ଆରମ୍ଭ କରିଦେଲେଣି।

Leave a comment