ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜେଟ ବ୍ୟୟ ହିସାବ ରଖିବ ‘୫-ଟି’ : ଅନ୍‍ଲାଇନ୍‌ରେ ଅପଲୋଡ୍‍ ହେବ ବିବରଣୀ

ଭୁବନେଶ୍ବର : ପ୍ରତି ବର୍ଷ ରାଜ୍ୟ ସରକାର ବଜେଟରେ ବିଭିନ୍ନ କାର୍ଯ୍ୟ ପାଇଁ ଅନୁଦାନ ଦେଉଛନ୍ତି। ନିର୍ଦ୍ଦିଷ୍ଟ୍‍ କାମ ପାଇଁ ଦିଆଯାଇ ଥିବା ପାଣ୍ଠି ଠିକ୍‍ ଭାବେ ଖର୍ଚ୍ଚ ହେଉଛି କି ନାହିଁ ତାହାର ହିସାବ ରଖିବ ‘୫-ଟି’। ବିଇଟିଏ (ବିଟା) ନାମରେ ପ୍ରସ୍ତୁତ ଅନ୍‍ଲାଇନ୍‍ ବ୍ୟବସ୍ଥାରେ ପ୍ରତ୍ୟେକ ବିଭାଗ ବଜେଟ ପାଣ୍ଠିର ବିନିଯୋଗ ସମ୍ପର୍କରେ ତଥ୍ୟ ଦାଖଲ କରିବେ। ବିଶେଷକରି ଅଧିକ ବ୍ୟୟ କରୁଥିବା ୨୭ଟି ବିଭାଗକୁ ଏହା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି। ଏହା ଦ୍ୱାରା ବଜେଟ୍‍ ବ୍ୟୟବରାଦର କାର୍ଯ୍ୟାନ୍ୱୟ କିପରି ହେଉଛି ଏବଂ କ’ଣ ତ୍ରୁଟି ରହୁଛି ତାହା ଜଣାପଡ଼ିବ। ଏଥିସହ ପାଣ୍ଠି ବ୍ୟୟରେ ପାରଦର୍ଶିତା ସୁନିଶ୍ଚିତ କରାଯାଇ ପାରିବ। ଏନେଇ ଅର୍ଥ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ କହିଛନ୍ତି। ବିଟା ଅନ୍‍ଲାଇନ୍‍ ବ୍ୟବସ୍ଥା ୨୦୨୧-୨୨ ଆର୍ଥିକ ବର୍ଷରେ ଆରମ୍ଭ କରାଯାଇ ଥିଲା। ବିଭାଗମାନେ ଖର୍ଚ୍ଚ କରୁଥିବା ଅର୍ଥର ବିଷଦ ବିବରଣୀ ଅନ୍‍ଲାଇନ୍‍ରେ ଅପଲୋଡ୍‍ କରିବା ପାଇଁ କୁହାଯାଇଥିଲା।

ତେବେ ଏହାର କାର୍ଯ୍ୟକାରିତାରେ ସମସ୍ୟା ଦେଖା ଦେଲା; ମୁଖ୍ୟତଃ ଠିକ୍‍ ଭାବେ ତଥ୍ୟ ଅପଲୋଡ୍‍ କରିବା ଏବଂ ଅନ୍ୟ ପ୍ରକ୍ରିୟା ସମ୍ପାଦନ କରିବାରେ ସମସ୍ୟା ରହିଲା। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଅର୍ଥ ବିଭାଗ ଏକ ୟୁଜର୍ସ ମାନୁଆଲ ପ୍ରସ୍ତୁତ କରଛି। ଏହାର ଅନୁପାଳନ ଦ୍ୱାରା ଅନ୍‍ଲାଇନ୍‍ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରାଯାଇ ପାରିବ। ସବିଶେଷ ବିବରଣୀକୁ ନେଇ ଅର୍ଥ ବିଭାଗ ଟେବୁଲାର ମାଧ୍ୟମରେ ବଜେଟ ବିବରଣୀ ପ୍ରସ୍ତୁତ କରିବ।

ଏହା ରାଜ୍ୟ କ୍ୟାବିନେଟ୍‍ ଠାରୁ ଆରମ୍ଭ କରି ବିଧାନସଭା କାର୍ଯ୍ୟ ଏବଂ ଯୋଜନା ପ୍ରସ୍ତୁତି ସମୟରେ କାମରେ ଲାଗିପାରିବ। ବଜେଟ୍‍ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ମିଳିବ। ନିକଟରେ ପ୍ରଶାସନିକ ବ୍ୟବସ୍ଥାରେ ‘୫-ଟି’ ଉପକ୍ରମର ପ୍ରଚଳନ ହେତୁ ରୂପାନ୍ତରଣ ସମ୍ଭବ ହୋଇଛି। ସରକାରୀ ଅର୍ଥ ଓ ସମୟର ଅପଚୟକୁ ରୋକିବାରେ ଆଇଟି ଉପାଦେୟ ସାବ୍ୟସ୍ତ ହେଉଛି। ଏପରିସ୍ଥଳେ ବିଟା ବ୍ୟବସ୍ଥା ରାଜ୍ୟର ଆର୍ଥିକ ପରିଚାଳନା ଏବଂ ଭବିଷ୍ୟତ ବଜେଟ୍‍ ପ୍ରସ୍ତୁତି ଦିଗରେ ସହାୟକ ହେବ ବୋଲି କୁହାଯାଇଛି।

Leave A Reply

Your email address will not be published.