ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୨୧୮ କୋଟିର ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ : ପୁଞ୍ଜି ନିବେଶ ପାଇଁ ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇଛି ‘୫-ଟି’

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୨୧୮.୦୧ କୋଟି ଟଙ୍କା ମୂଲ୍ୟର ୧୦ଟି ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଆଉ ୩ଟି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। ରାଜ୍ୟ ସରକାରଙ୍କର ‘୫-ଟି’ ଉପକ୍ରମ ପାରଦର୍ଶିତା, ପ୍ରଯୁକ୍ତି ବିଦ୍ୟା, ମିଳିତ ପ୍ରୟାସ, ସମୟ ଓ ରୂପାନ୍ତରଣ ଦ୍ରୁତ ଶିଳ୍ପ ଅଭିବୃଦ୍ଧି ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିପାରିଛି। ଏହା ଦ୍ୱାରା ଶିଳ୍ପ ଆଧାରିତ ପରିବେଶ ଉତ୍ପାଦର ମୂଲ୍ୟ ବୃଦ୍ଧି, ଦୀର୍ଘ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି, ରାଜସ୍ୱ ଆୟ ବୃଦ୍ଧିରେ ସହାୟକ ହେଉଛି। ଓଡ଼ିଶାକୁ ପୁଞ୍ଜି ନିବେଶର ଶ୍ରେଷ୍ଠ ସ୍ଥଳରେ ପରିଣତ କରିବା ଦିଗରେ ଶିଳ୍ପ ବିଭାଗର ଉଦ୍ୟମ ଉଚ୍ଚ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଆଜି ୭୬.୯୭ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ତିନିଟି ଶିଳ୍ପ ପ୍ରକଳ୍ପର ଉଦ୍‍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହା ସହିତ ଶିଳାନ୍ୟାସ କରିଥିବା ୧୦ଟି ପ୍ରକଳ୍ପର ମୂଲ୍ୟ ୧୧୪୧.୦୪ କୋଟି ଟଙ୍କା ହେବ। ଏହି ପ୍ରକଳ୍ପରେ ସମୁଦାୟ ୩୩୯୦ ଲୋକଙ୍କୁ ନିଯୁକ୍ତି ମିଳିବ। ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପେପର/ପ୍ୟାକେଜିଂ, ମାନୁଫାକ୍‍ଚରିଂ, ପଲିମର୍‍, ପ୍ଲାଷ୍ଟିକ୍‍ ଶିଳ୍ପ ଅନ୍ତର୍ଭୁକ୍ତ। ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଧାତୁ, ଖଣିଜରୁ ନେଇ ଖାଦ୍ୟ ପ୍ରକ୍ରିୟାକରଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଓଡ଼ିଶା ଆଜି ଦେଶର ଦ୍ରୁତ ବିକାଶଶୀଳ ଉତ୍ପାଦନ କେନ୍ଦ୍ର ଭାବେ ଉଭା ହୋଇଛି। ଶିଳ୍ପ ବିକାଶ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସହଜରେ ବ୍ୟବସାୟ ଓ ପୁଞ୍ଜିନିବେଶ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଅର୍ଥନୈତିକ ଓ ସାମାଜିକ ବିକାଶ ହାସଲ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଶିଳ୍ପାନୁଷ୍ଠାନ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିଛନ୍ତି।

ପରିଣାମ ସ୍ୱରୂପ କୋଭିଡ୍‍ ମହାମାରୀ ପରିଚାଳନାରେ ଓଡ଼ିଶା ସଫଳତାର ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିପାରିଛି। ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ ଶିଳ୍ପ ସଂସ୍ଥାଙ୍କ ସହଯୋଗରେ ଆମେ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ତରଳ ମେଡିକାଲ ଅମ୍ଳଜାନ ପ୍ରସ୍ତୁତ କରି ବିଭିନ୍ନ ରାଜ୍ୟକୁ ଯୋଗାଇ ପାରିଥିଲୁ। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ଆମେ କୋଭିଡ୍‍ ମହାମାରୀର ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଆସିଛୁ। ତେବେ ସବୁ ପ୍ରକାର ସମସ୍ୟାକୁ ପ୍ରତିହତ କରି ରାଜ୍ୟ ସରକାର ଏକ ସଶକ୍ତ ଓଡ଼ିଶା ନିର୍ମାଣ ଦିଗରେ ଅଗ୍ରସର ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଳ୍ପ ସଂସ୍ଥା ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି। ୨୦୨୦ ପରଠାରୁ ଏହା ହେଉଛି ୭ମ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ। ୩୦ ହଜାର କୋଟି ଟଙ୍କାର ଶିଳ୍ପାୟନ ସହିତ ୪୦ ହଜାର ଲୋକଙ୍କୁ ରୋଜଗାର ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍‍, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଏମ୍‍ଏସ୍‍ଏମ୍‍ଇ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ୍‍ ଆଲାମ୍‍ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ଆଜି ଉଦ୍‍ଘାଟିତ ହୋଇଥିବା ଶିଳ୍ପ ପ୍ରକଳ୍ପ ମଧ୍ୟରେ କଟକ ଟାଙ୍ଗୀଠାରେ ହିନ୍ଦୁସ୍ଥାନ ୟୁନିଲିଭର୍‍ ଲିମିଟେଡ୍‍ ୬୧.୧୫ କୋଟି ଟଙ୍କା ବ୍ୟୟରେ ହର୍ଲିକ୍ସ ଓ ବୁଷ୍ଟ ଉତ୍ପାଦନ କରିବ। ଏଠାରେ ୨୨୦ ଲୋକଙ୍କୁ ନିଯୁକ୍ତି ମିଳିବ। ଏଣ୍ଟରଟେନମେଣ୍ଟ କିଙ୍ଗଡମ୍‍ ପକ୍ଷରୁ ବରଗଡ଼଼ ଠାରେ ୧୨.୬୨ କୋଟି ଟଙ୍କା ବ୍ୟୟରେ ଏମ୍ୟୁଜମେଣ୍ଟ ପାର୍କ ସ୍ଥାପନ କରାଯିବ ଏବଂ ଏଠାରେ ୩୦ ଜଣଙ୍କୁ ନିଯୁକ୍ତି ମିଳିବ। ଖୋର୍ଦ୍ଧା ଠାରେ ଦଶରଥ ନାୟକ ମଲ୍ଟିପ୍ରଡକ୍ଟ ପ୍ରାଇଭେଟ୍‍ ଲିମିଟେଡ୍‍ ୟୁନିଟ୍‍ ପ୍ରତିଷ୍ଠା କରିବ। ଏଠାରେ ୪୦ ଜଣଙ୍କୁ କାମ ମିଳିବ।

ଅପରପକ୍ଷେ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ପ୍ରକଳ୍ପ ମଧ୍ୟରେ ମେ’ ଫେୟାର ହୋଟେଲ୍‍ ପକ୍ଷରୁ ୩୦୦ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା ଠାରେ ଏକ କନଭେନସନ୍‍ ସେଣ୍ଟର ପ୍ରତିଷ୍ଠା କରାଯିବ। ଏଠାରେ ୮୫୦ ଲୋକ ନିଯୁକ୍ତି ପାଇବେ। ଝାରସୁଗୁଡ଼ା ଠାରେ ମାସ୍‍ ସ୍ପିରିଟ୍ସ ଲିମିଟେଡ୍‍ ୨୦୪.୬୦ କୋଟି ଟଙ୍କା ବ୍ୟୟରେ ୩୬୦ କେଏଲ୍‍ପିଡି ଶସ୍ୟ ଆଧାରିତ ଡିଷ୍ଟିଲାରୀ ପ୍ଲାଣ୍ଟ ଏବଂ ୫ ମେଗାୱାଟ୍‍ କ୍ଷମତାର କୋ ଜେନେରେସନ୍‍ ପ୍ଲାଣ୍ଟ ନିର୍ମାଣ କରିବ। ଏଠାରେ ୧୮୫ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ପ୍ରଭାତ ହସ୍ପିଟାଲିଟି ପ୍ରାଇଭେଟ୍‍ ଲିମିଟେଡ୍‍ ପକ୍ଷରୁ ପୁରୀରେ ୫ ତାରକା ହୋଟେଲ/ରିସୋର୍ଟ ନିର୍ମାଣ ପାଇଁ ୧୩୫.୬୯ କୋଟି ଟଙ୍କା ବ୍ୟୟ ହେବ। ପ୍ରକଳ୍ପ ଶେଷ ହେଲେ ୩୫୦ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କମ୍ପାନୀ କହିଛି। ସେହପରି ମୁଣ୍ଡଳି ଠାରେ କଟକ ଏଗ୍ରିଭେଟ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ ୧୧୨.୫୦ କୋଟି ବ୍ୟୟ କରି ଡିଷ୍ଟିଲାରୀ ପ୍ଲାଣ୍ଟ ନିର୍ମାଣ କରିବ।

ସମ୍ବଲପୁରର ମାନେଶ୍ୱର ଠାରେ ସମ୍ବଲପୁର ବାୟୋଫୁଏଲ୍ସ ପ୍ରାଇଭେଟ୍‍ ଲିମିଟେଡ୍‍ ୧୦୩ କୋଟି ଟଙ୍କା ବ୍ୟୟରେ ଇଥାନଲ୍‍ ଏବଂ କୋ ଜେନେରେସନ୍‍ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରି ୧୧୨ ଲୋକଙ୍କୁ ନିଯୁକ୍ତି ଦେବ। ସେହିପରି ବାଲେଶ୍ୱରର ତୁନ୍ଦରା ଠାରେ ଗେଡ଼ର୍‍ ମେରାଇନ୍‍ ଏକ୍ସପୋର୍ଟ ଲିମିଟେଡ୍‍ ୬୮.୧୧ କୋଟି ଟଙ୍କା ବ୍ୟୟରେ ଫିସ୍‍ ମିଲ୍‍ ପ୍ରତିଷ୍ଠା କରିବା ସହିତ ୪୦୫ ଲୋକଙ୍କୁ ନିଯୁକ୍ତି ଦେବ। ସେହିପରି ଗ୍ରୋୱେଲ୍‍ ଫିଡ୍ସ ପ୍ରାଇଭେଟ୍‍ ଲିମିଟେଡ୍‍ ପକ୍ଷରୁ ବାଲେଶ୍ୱର ଠାରେ ୬୫.୮୨ କୋଟି ଟଙ୍କା ବ୍ୟୟରେ ଚିଙ୍ଗୁଡ଼ି ଖାଦ୍ୟ କମ୍ପାନୀ ପ୍ରତିଷ୍ଠା କରିବ। ଖୋର୍ଦ୍ଧାର ଜୟମଙ୍ଗଳ ଠାରେ ଗ୍ରିପ୍‍ ଷ୍ଟ୍ରାପିଂ ଗ୍ଲୋବାଲ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ ୧୨.୫୦ କୋଟି ବ୍ୟୟ କରି ଏକ ଷ୍ଟିଲ୍‍ ଷ୍ଟ୍ରାପିଂ ୟୁନିଟ୍‍ ସ୍ଥାପନ କରିବ। ଏଠାରେ କମ୍ପାନୀ ୬୮ ଲୋକଙ୍କୁ ନିଯୁକ୍ତି ଦେବ ବୋଲି କହିଛି।

ଅପରପକ୍ଷେ କଟକ ରାମଦାସପୁର ଠାରେ ଏଚ୍‍ଡିପିଏଫ୍‍ ପାଇପ ଓ ପିଭିସି ପାଇପ୍‍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏମ୍‍ଜି ପ୍ଲାଷ୍ଟୋ ପ୍ରାଇଭେଟ୍‍ ଲିମିଟେଡ୍‍ ୮.୩୩ କୋଟି ବ୍ୟୟ କରିବ। କମ୍ପାନୀ ୩୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବ ବୋଲି କହିଛି। ସେହିପରି ଲାଲଚାନ୍ଦ ରିସୋର୍ଟ ପ୍ରାଇଭେଟ୍‍ ଲିମିଟେଡ୍‍ ପକ୍ଷରୁ ୭୭.୦୪ କୋଟି ଟଙ୍କା ବ୍ୟୟରେ ୪ ତାରକା ହୋଟେଲ ପ୍ରତିଷ୍ଠା କରାଯିବ। ଏଠାରେ ୧୨୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦିଆଯିବ।

Leave A Reply

Your email address will not be published.