ରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ପାଇଁ ୫ ନାମାଙ୍କନ, ଦେଖିବାକୁ ମିଳୁଛି ବରିଷ୍ଠ ନେତାଙ୍କର ସକ୍ରିୟ ହସ୍ତକ୍ଷେପ

ଭୁବନେଶ୍ୱର : ରାଜ୍ୟ ଯୁବ କଂଗ୍ରେସର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ୫ ବର୍ଷ ପରେ ହେଉଥିବା ଏହି ସାଙ୍ଗଠନିକ ନିର୍ବାଚନରେ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ମତଦାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଅନଲାଇନରେ ହେଉଛି। ୫୦ ଟଙ୍କା ସଦସ୍ୟତା ଫି’ ଦେଇ ଯୁବ କଂଗ୍ରେସରେ ସାମିଲ ହୋଇ ନୂଆ ଭୋଟରମାନେ ନିଜ ନିଜର ପ୍ରାର୍ଥୀମାନଙ୍କୁ ଭୋଟ ଦେଇପାରିବେ। ମିଳିଥିବା ସୂଚନା ଅନୁଯାୟୀ, ୧୬ ହଜାରରୁ ଊର୍ଦ୍ଧ୍ବ ଭୋଟର ଏଯାବତ୍ ଉଭୟ ଜିଲ୍ଲା ଓ ରାଜ୍ୟ ଯୁବ କଂଗ୍ରେସ ପ୍ରାର୍ଥୀମାନଙ୍କୁ ଭୋଟ ଦେଇସାରିଲେଣି।
ରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ଲାଗି ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଉଛନ୍ତି, ସାଗର ଦାସ, ଭୁବନେଶ୍ୱର ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, କୃଷ୍ଣଚନ୍ଦ୍ର ମହାନ୍ତି, ରୁକ୍ମୁଣୀ ମଙ୍ଗରାଜ ଓ ନାରାୟଣ ବାରି। ତେବେ ସାଗର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ପୁତ୍ର। ସେହିଭଳି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ନେତା ଏକାଠି ହୋଇ ରଞ୍ଜିତ ପାତ୍ରଙ୍କୁ ପ୍ରାର୍ଥୀ କରିଛନ୍ତି। ସେହିଭଳି ପିସିସି ସଭାପତି ଶରତ ପଟ୍ଟନାୟକ, ବିଶ୍ୱ ମହାନ୍ତି, ଲୋକନାଥ ମହାରଥ ପ୍ରମୁଖ କୃଷ୍ଣଚନ୍ଦ୍ର ମହାନ୍ତିଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିଛନ୍ତି।
ଯୁବ କଂଗ୍ରେସରେ ବହୁ ବର୍ଷ ପରେ ହେଉଥିବା ଏହି ନିର୍ବାଚନରେ ବରିଷ୍ଠ ନେତାମାନଙ୍କର ପରୋକ୍ଷରେ ସକ୍ରିୟ ହସ୍ତକ୍ଷେପ ଦେଖିବାକୁ ମିଳୁଛି। ଦଳ ମଧ୍ୟରେ ଲୋକତାନ୍ତ୍ରିକ ନିର୍ବାଚନକୁ ପ୍ରୋତ୍ସାହିତ କରାଯିବା ଦରକାର। କଂଗ୍ରେସ ଏହାର ସବୁଠାରୁ ବଡ଼ ଉଦାହରଣ। ଏକାଧିକ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଲେ ଲଢ଼େଇ ଭଲ ହେବା ସହ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ବଢ଼଼ିବ ବୋଲି ପିସିସି ସଭାପତିଙ୍କ ପକ୍ଷରୁ କୁହାଯାଇଛି।
ରାଜ୍ୟରେ କଂଗ୍ରେସର ସ୍ଥିତି ଖରାପ ଥିବା ବେଳେ ଯୁବ କଂଗ୍ରେସ ସଂଗଠନ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି। କଂଗ୍ରେସର ଛାମୁଆ ସଂଗଠନ ଭାବରେ ଯୁବ କଂଗ୍ରେସ ଅତୀତରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଛି। ତେଣୁ ଯୁବ କଂଗ୍ରେସକୁ ଅଧିକ ସୁଦୃଢ଼ କରିବାକୁ ଦଳର ନେତୃତ୍ବ ଗୁରୁତ୍ବ ଦେଉଛି। ଏ ସମ୍ପର୍କରେ ରଞ୍ଜିତ କହିଛନ୍ତି ଯେ, ସେ ଅତୀତରେ ଦଳ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସିଛନ୍ତି। ପୋଷ୍ଟର, ବ୍ୟାନର ମାରିବା ଠାରୁ ସଂଗଠନ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିଛନ୍ତି। ଆଗାମୀ ଦିନରେ ଦଳକୁ ସଂଗଠିତ କରିବା ପାଇଁ ସେ ମଧ୍ୟ କାମ କରିବେ ବୋଲି କହିଛନ୍ତି।