ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନଲାଇନ୍ ୱେବସାଇଟ ଜରିଆରେ ଜୁଆ ଖେଳ: ଅଙ୍ଗନବାଡି ମହିଳାଙ୍କ ସମେତ ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଜୁଆ ଖେଳ ଏବେ ବଢ଼ିଛି । ଜୁଆଡିମାନେ ବିଭିନ୍ନ ପ୍ରକାର ତରିକାରେ ଜୂଆ ନୂଆ ଖେଳ ଆରମ୍ଭ କରିଦେଇଛନ୍ତି । ତାସ୍‌ ଖେଳ ପରେ କେସିନୋ ଏବଂ ଏବେ ସଟ୍ଟା ଡଟ୍‌ କମ୍‌ ଜରିଆରେ ଏକ ପାନ ଦୋକାନରେ ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳ ହେଉଥିବା ବଡବଜାର ଥାନା ପୁଲିସ ଜାଣି ଚଢାଉ କରିଛି । ଏଥିରେ ଜଣେ ଅଙ୍ଗନବାଡି ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ କିଛି ଚିରିକୁଟି ଖାତା ସହ ୪୫ ହଜାର ଟଙ୍କା ଜବତ କରିଛି । ଗିରଫ ମାନେ ହେଲେ କେ.ବିପ୍ର, ଜି.ବାଲାଜି, କୋଟେଶ୍ୱର ପାତ୍ର, ଜିତେନ୍ଦ୍ର ଦାଶ ଓ ଅଙ୍ଗନବାଡି ମହିଳା ସନ୍ତୋଷିନି ମହାରଣା ।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଏକ ବ୍ୟାଣ୍ଡ ପାର୍ଟି ଦଳର ମୁଖ୍ୟ କେ.ବିପ୍ର ଏହି ସଟ୍ଟା ଡଟ୍‌ କମ୍‌ ଚଲାଉଥିଲେ । ବିପ୍ରଙ୍କ ଘର ସମ୍ମୁଖରେ ଥିବା ଅଙ୍ଗନବାଡି ୱାର୍କର ସନ୍ତୋଷିନିଙ୍କ ଏକ ଚାହା ଦୋକାନରେ ଏହି ଖେଳ ଚାଲୁଥିଲା । ମୁମ୍ବାଇରୁ ଏହା ପରିଚାଳିତ ହେଉଥିଲା । ଫୋନ୍‌ ଯୋଗେ ଏକ ନମ୍ବର ସେଠାରୁ ଆସିବା ପରେ ଯଦି ଏଠାକାର କୌଣସି ଖେଳାଳି ସେହି ନମ୍ବରରେ ଟଙ୍କା ଲଗାଇଥିବ ତାଙ୍କୁ ୯୦ ପ୍ରତିଶତ ଅଧିକ ଟଙ୍କା ମିଳିବ । ଏହି ଆଧାରରେ ଏହି ଖେଳ କିଛି ଦିନ ଧରି ସେଠାରେ ଚାଲିଥିଲା । ଖେଳ ବିଷୟରେ ଜାଣିଥିବା ସହରର କିଛି ବଚ୍ଛା ବଚ୍ଛା ଖେଳାଳି ଦିନ ତମାମ୍‌ ଉକ୍ତ ଚାହା ଦୋକାନ ନିକଟରେ ରହି ଏହି ଖେଳରେ ଟଙ୍କା ଜମା କରୁଥିଲେ । ଏଥିରେ ୯୯ ପ୍ରତିଶତ ଲୋକ ହାରୁଥିବା ବେଳେ କାଁ ଭାଁ କିଛି ଲୋକେ ଜିତୁଥିଲେ । ଖେଳ ପରିଚାଳନା କରୁଥିବା ମହିଳା ଏବଂ ବିପ୍ର କିଛି ପ୍ରତିଶତ ରଖି ଲାଭବାନ ହେଉଥିବା ବେଳେ ଖେଳାଳି ବରବାଦ ହେଉଥିଲେ । ଏ ନେଇ ପୁଲିସ ନିକଟକୁ ଖବର ଆସିବା ପରେ ଆଜି ସୁଯୋଗ ଦେଖି ଚଢଉ ହୋଇଥିଲା । ପୁଲିସ ଉକ୍ତ ଚାହା ଦୋକାନରୁ ୪୫ ହଜାର ଟଙ୍କା ସହ ୫୯ଟି ଚିରିକୁଟି ଖାତା ଜବତ କରିଛି । ପ୍ରାୟତଃ ପଶ୍ଚିମ ଓଡିଶାରେ ଏହି ଖେଳ ଅଧିକ ହେଉଥିବା ବେଳେ ଗଞ୍ଜାମକୁ କିପରି ଏହା ଆସିଲା ଏବଂ କିଏ ଆଣିଛି ତାହାକୁ ନେଇ ପୁଲିସର ତନାଘନା ଜାରି ରହିଛି ।

Leave A Reply

Your email address will not be published.