ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଲିଠୁ ଆରମ୍ଭ ହେବାକୁ ଯାଉଛି ‘ଆଇପିଏଲ୍‌‌’ ର ୧୬ତମ ସଂସ୍କରଣ; ଜାଣନ୍ତୁ IPL ର ୫ ଶ୍ରେଷ୍ଠ ରେକର୍ଡ, ଯାହାକୁ ଭାଙ୍ଗିବା ପ୍ରାୟ ଅସମ୍ଭବ

ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌)ର ୧୬ତମ ସଂସ୍କରଣ। ୨୦୦୮ରୁ ଆରମ୍ଭ ହୋଇଥିବା ବିଶ୍ୱର ସବୁଠାରୁ ଏହି ଧନୀ ଟି-୨୦ ଲିଗ୍‌‌ ଇତିମଧ୍ୟରେ ୧୬ ବର୍ଷରେ ପଦାର୍ପଣ କରିଛି। ଗ୍ରୁପ୍‌‌ ପର୍ଯ୍ୟାୟରେ ରାଉଣ୍ଡ ରବିନ୍‌‌ ଓ ପ୍ଲେ ଅଫ୍‌‌ ଫର୍ମାଟ୍‌‌ରେ ଖେଳାଯାଇ ଆସୁଥିବା ଏହି ଲିଗ୍‌‌ ସଫଳତାର ଶୀର୍ଷକୁ ଛୁଇଁଛି। ଲିଗ୍‌‌ରେ ଏପର୍ଯ୍ୟନ୍ତ ୫ଟି ଟାଇଟଲ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ସଫଳତମ ଦଳ ବିବେଚିତ ହେଉଛି। ସେହିପରି ତାରକା ବ୍ୟାଟର ବିରାଟ କୋହଲି ସର୍ବାଧିକ ୬୬୨୪ ଓ ଡେନ୍‌‌ ବ୍ରାଭୋ ସର୍ବାଧିକ ୧୮୩ଟି ୱିକେଟ ଅକ୍ତିଆର କରି ରେକର୍ଡ କରିଛନ୍ତି। ଗତ ୧୫ତମ ସଂସ୍କରଣରେ ପଦାର୍ପଣ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା। ଉଭୟ କଳାତ୍ମକ କ୍ରିକେଟ ଓ ଅର୍ଥର ପ୍ରାଚୁର୍ଜ୍ୟ ପାଇଁ ଏହି ଲିଗ୍‌‌ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି। ପ୍ରତିବର୍ଷ ଆଇପିଏଲର ଲୋକପ୍ରିୟତା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ଆଇପିଏଲରେ ଏପର୍ଯ୍ୟନ୍ତ ବହୁ ଖେଳାଳିମାନେ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ଏମିତି କେତୋଟି ରେକର୍ଡ ଅଛି ଯାହାକୁ ଭାଙ୍ଗିବା ଏକପ୍ରକାର ଅସମ୍ଭବ ମନେ ହେଉଛି। ଏହି ଭଳି ଶ୍ରେଷ୍ଠ-୫ଟି ରେକର୍ଡକୁ ଏକ ବିଶ୍ଲେଷଣ ନିମ୍ନରେ ଦିଆଗଲା।

୧. କ୍ରିସ୍‌‌ ଗେଲଙ୍କ ୧୭୫* (ପୁଣେ ୱାରିୟର୍ସ ବିପକ୍ଷରେ)

କ୍ରିସ୍‌‌ ଗେଲ ଟି-୨୦ରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ବିବେଚିତ ହୁଅନ୍ତି। ତାଙ୍କ ବିସ୍ଫୋରକ ବ୍ୟାଟିଂ ଟି-୨୦ ଫର୍ମାଟକୁ ଆହୁରି ରୋଚକ କରିବା ସହ ନୂଆ ସୋପାନରେ ପହଞ୍ଚାଇଛି। ଆଇପିଏଲ୍‌‌ରେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିବାର ରେକର୍ଡ ଅର୍ଜନ କରିଛନ୍ତି। ୨୦୧୩ରେ ଗେଲ ରୟାଲ ଚ୍ୟାଲେଞ୍ଜର୍ସ (ଆରସିବି) ତରଫରୁ ପ୍ରତିନିଧିତ୍ୱ କରି ପୁଣେ ୱାରିୟର୍ସ ଇଣ୍ଡିଆ ବିପକ୍ଷରେ ୬୬ଟି ବଲରୁ ଅପରାଜିତ ୧୭୫ ରନର ପାଳି ଖେଳିଥିଲେ। ଏହି ପାଳିରେ ସେ ୧୩ଟି ଚୌକା ଓ ୧୭ଟି ଛକା ମାରିଥିଲେ। ଏପର୍ଯ୍ୟନ୍ତ ଗେଲଙ୍କ ଏହି ବିସ୍ଫୋରକ ପାଳିକୁ କେହି ଅତିକ୍ରମ କରିନାହାନ୍ତି ଓ ଏହାକୁ ଭାଙ୍ଗିବା ମଧ୍ୟ ଅସମ୍ଭବ ମନେହେଉଛି। ଏହି ଇନିଂସ ବଳରେ ବାଙ୍ଗାଲୋର ୨୦ ଓଭରରେ ୫ ୱିକେଟ ହରାଇ ୨୬୩ ରନ ସଂଗ୍ରହ କରିଥିଲା। ଜବାବରେ ପୁଣେ ୯ ୱିକେଟ ହରାଇ ୧୩୩ ରନରେ ସୀମିତ ରହି ପରାସ୍ତ ହୋଇଥିଲା।

୨. କ୍ରମାଗତ ୧୦ ମ୍ୟାଚ୍‌‌ରେ କେକେଆର ଅପରାଜେୟ

ଆଇପିଏଲ୍‌‌ରେ ଦୁଇଥର ଟାଇଟଲ ଜିତିଥିବା କୋଲକାତା ନାଇଟ ରାଇଡର୍ସ (କେକେଆର) ମଧ୍ୟ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। କେକେଆର କ୍ରମାଗତ ୧୦ଟି ମ୍ୟାଚ୍‌‌ରେ ଅପରାଜେୟ ରହିବାର ରେକର୍ଡ ରହିଛି। ଏହାକୁ ଅତିକ୍ରମ କରିବା ବା ଭାଙ୍ଗିବା ଏବେ ମଧ୍ୟ ଅସମ୍ଭବ ମନେ ହେଉଛି। ୨୦୧୪ ସଂସ୍କରଣରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର ତା’ର ଅନ୍ତିମ ୯ଟି ମ୍ୟାଚ୍‌‌ରେ ବିଜୟୀ ହୋଇଥିଲା। ସେହିପରି ୨୦୧୫ ସଂସ୍କରଣର ପ୍ରଥମ ମ୍ୟାଚ୍‌‌ରେ ମଧ୍ୟ କେକେଆର ବିଜୟୀ ହୋଇଥିଲା। ଫଳରେ କ୍ରମାଗତ ୧୦ଟି ମ୍ୟାଚ୍‌‌ରେ ଏହି ଦଳ ବିଜୟୀ ହୋଇ ରେକର୍ଡ କରିଥିଲା। ଏହା ଏପର୍ଯ୍ୟନ୍ତ ଅତୁଟ ରହିଛି। ୨୦୧୪ରେ କେକେଆର ଦ୍ୱିତୀୟଥର ପାଇଁ ଟାଇଟଲ ହାସଲ କରିଥିଲା। ଏହାର ଦୁଇବର୍ଷ ପୂର୍ବରୁ ୨୦୧୨ରେ କେକେଆର ପ୍ରଥମଥର ପାଇଁ ଚାମ୍ପିଅନ ହୋଇଥିଲା।

୩. ଗୋଟିଏ କ୍ୟାଲେଣ୍ଡର ବର୍ଷରେ କୋହଲିଙ୍କ ୯୭୩ ରନ

ଭାରତୀୟ କ୍ରିକେଟର ରାଜା ଭାବେ ପରିଚିତ ବିରାଟ କୋହଲି ଆଇପିଏଲର ୯ମ ସଂସ୍କରଣରେ ଅର୍ଥାତ ୨୦୧୬ରେ ୧୬ଟି ମ୍ୟାଚ୍‌‌ ଖେଳି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୯୭୩ ରନ ସଂଗ୍ରହ କରି ରେକର୍ଡ କରିଥିଲେ। ସେତେବେଳେ କୋହଲି ଜବରଦସ୍ତ ଫର୍ମରେ ଥିଲେ। ଫାଇନାଲରେ ବାଙ୍ଗାଲେର ୮ ରନରେ ସନରାଇଜର୍ସ ହାଇଦ୍ରାବାଦ୍‌‌ଠାରୁ ପରାସ୍ତ ହୋଇ ରନର୍ସଅପ ହୋଇଥିଲା। କୋହଲି ମଧ୍ୟ ଏହି ସଂସ୍କରଣରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କୋହଲିଙ୍କ ଏହି ରେକର୍ଡ ଏପର୍ଯ୍ୟନ୍ତ ଅତୁଟ ରହିଛି। ଏହା ରେକର୍ଡ ଭଙ୍ଗ ହେବା ମଧ୍ୟ ଏକପ୍ରକାର ଅସମ୍ଭବ ମନେ ହେଉଛି।

୪. ଗୋଟିଏ ଓଭରରେ ଗେଲ୍‌‌, ଜାଡେଜାଙ୍କ ୩୭ ରନ ସଂଗ୍ରହ

ଗୋଟିଏ ଓଭରରେ ୩୭ ରନ ସଂଗ୍ରହ କରିବା ଏକପ୍ରକାର ଅସମ୍ଭବ ମନେ ହେଉଥିଲେ ମଧ୍ୟ ଏହା ଆଇପିଏଲ୍‌‌ରେ ସମ୍ଭବ ହୋଇଛି। ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗୋଟିଏ ଓଭରରେ ୩୭ ରନ ସଂଗ୍ରହ କରି ଏହି ରେକର୍ଡ ସୃଷ୍ଟି କରିଥିଲେ। ୨୦୨୧ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ତରଫରୁ ପ୍ରତିନିଧିତ୍ୱ କରି ଜାଡେଜା ୧୯ତମ ମ୍ୟାଚ୍‌‌ରେ ଆରସିବି ବିପକ୍ଷରେ ଅନ୍ତିମ ଓଭରରେ ଏହି ବିସ୍ଫୋରକ ବ୍ୟାଟିଂ କରିଥିଲେ। ପର୍ପଲ କ୍ୟାପ୍‌‌ ବିଜେତା ହର୍ଶଲ ପଟେଲଙ୍କ ଏହି ଓଭରରେ ସେ ୫ଟି ଛକା ମାରିଥିଲେ। ଜାଡେଜା ଏହି କ୍ରମରେ ୧୦ ବର୍ଷ ତଳେ ୨୦୧୧ରେ ଗେଲ ସୃଷ୍ଟି କରିଥିବା ରେକର୍ଡର ସମକକ୍ଷ ହୋଇଥିଲେ। ବାଙ୍ଗାଲେର ତରଫରୁ ଗେଲ କୋଚି ଟସ୍କର କେରଳ ଦଳର ପ୍ରଶାନ୍ତ ପରମେଶ୍ୱରନଙ୍କ ଓଭରରେ ଏହି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏପର୍ଯ୍ୟନ୍ତ ଏହି ରେକର୍ଡ ଅତୁଟ ରହିଛି।

୫. କୋହଲି ଓ ଡିଭିଲର୍ସଙ୍କ ମଧ୍ୟରେ ୨୨୯ ରନର ଭାଗୀଦାରି

ଦୁଇ ତାରକା ବ୍ୟାଟର ବିରାଟ କୋହଲି ଓ ଏବି ଡିଭିଲର୍ସ ୨୦୧୬ ଆଇପିଏଲ ସଂସ୍କରଣରେ ୨୨୯ ରନର ଭାଗୀଦାରି ସ୍ଥାପନ କରି ରେକର୍ଡ କରିଥିଲେ। ଆରସିବି ତରଫରୁ ପ୍ରତିନିଧିତ୍ୱ କରି ସେ ଗୁଜରାଟ ଲାୟନ୍ସ ବିପକ୍ଷରେ ଏହି ଦୁଇଟ ବ୍ୟାଟର ଏହି ରେକର୍ଡ ସ୍ଥାପନ କରିଥିଲେ। ଦ୍ୱିତୀୟ ୱିକେଟରେ ଏହି ଦୁଇ ବ୍ୟାଟର ୯୭ଟି ବଲର ସାମ୍ନା କରି ୨୨୯ ରନ ସଂଗ୍ରହ କରିଥିଲେ। ଡିଭିଲର୍ସ ୫୨ ବଲରୁ ଅପରାଜିତ ୧୨୯ ରନର ଶତକୀୟ ପାଳି ଖେଳିଥିବା ବେଳେ କୋହଲି ୫୫ ବଲରୁ ୧୦୯ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଆରସିବି ୩ ୱିକେଟ ହରାଇ ୨୪୮ ରନ ସଂଗ୍ରହ କରିଥିଲା। ଜବାବରେ ଗୁଜରାଟ୍‌‌ ୧୮.୪ ଓଭରରେ ୧୦୪ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଆରସିବି ଏହି ମ୍ୟାଚ୍‌‌ରେ ୧୪୪ ରନରେ ବିଜୟୀ ହୋଇଥିଲା। ଡିଭଲର୍ସ ଏହି ମ୍ୟାଚ୍‌‌ର ଶ୍ରେଷ୍ଠ ଖେଳାଳି ବିବଚିତ ହୋଇଥିଲା।

Leave A Reply

Your email address will not be published.