ରାଜ୍ଯରେ ରହିଛି ୪୮ଟି ପଞ୍ଜିକୃତ ୱେବ୍ ଚ୍ୟାନେଲ, ସ୍ୱୀକୃତିପ୍ରାପ୍ତ ଖବରକାଗଜ ସେହି ନାଁରେ ଖୋଲିପାରିବେ ୱେବ୍ ଚ୍ୟାନେଲ

ଭୁବନେଶ୍ବର: ଦିନକୁ ଦିନ ୱେବ ମିଡ଼ିଆର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଯିଏ ନାହିଁ ସିଏ ଏକ ୱେବ୍‌ ମିଡିଆ ଖୋଲି ତାହାକୁ ନିଜସ୍ବ ବିଭିନ୍ନ ପ୍ରକାରର ଅନୈତିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଯାହାକୁ ନେଇ ଦେଶରେ ବିଭିନ୍ନ ସମୟରେ ଜନତା ବିରୋଧ କରିଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଆଇନ୍‌ ପ୍ରଣୟନ ହୋଇ ନ ଥିବାରୁ ରାଜ୍ୟରେ ଛତୁ ଫୁଟିବା ଭଳି ୱେବ ମିଡ଼ିଆ ଚ୍ୟାନେଲ ଖୋଲିଛି। ଏ ନେଇ ଗତକାଲି ବିଧାନସଭାରେ ବିଧାୟକ ଅଙ୍ଗଦ କହଁର ପ୍ରଶ୍ନ ଉଠାଇଥିଲେ।

ସେ ପଚାରିଥିଲେ ଯେ, ରାଜ୍ୟରେ କେତେ ସଂଖ୍ୟାରେ ୱେବ୍ ଚ୍ୟାନେଲ ଓ ପୋର୍ଟାଲ ରହିଛି । ସେମାନଙ୍କୁ ସରକାର ନିଜ ଅଧିନକୁ ଆଣିବେ କି? ଏହାଛଡା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଅନୁମତିପ୍ରାପ୍ତ ଖବରକାଗଜ ନାଁରେ ବିଭିନ୍ନ ୱେବ ଚ୍ୟାନେଲ ଖୋଲାଯାଇଛି ତାହାକୁ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି କି?

ଆଉ ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଯେ, ରାଜ୍ୟରେ କାମ କରୁଥିବା ୱେବ ଚ୍ୟାନେଲ ଗୁଡିକୁ ଚିହ୍ନଟ କରିବାକୁ ରାଜ୍ୟ ସରକାର ୱେବ୍ ମିଡ଼ିଆ ପଲିସି କାର୍ଯ୍ଯକାରୀ କରିଛନ୍ତି । ଏହି ପଲିସି ଅନୁସାରେ ରାଜ୍ୟରେ ୪୮ଟି ୱେବ୍ ଚ୍ୟାନେଲ ପଞ୍ଜିକୃତ ହୋଇଛି। ଏହାଛଡା ଯେଉଁ ଖବରକାଗଜ ଗୁଡିକ ସୂଚନା ଓ ଲୋକ ସମ୍ପର୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସେମାନଙ୍କୁ ସେହି ନାଁରେ ୱେବ୍ ଚ୍ୟାନେଲ ଖୋଲିବାକୁ ଅନୁମତି ମିଳିପାରିବ ବୋଲି କହିଛନ୍ତି ମନ୍ତ୍ରୀ ।

Leave a comment