ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟର ୪୫.୬ ପ୍ରତିଶତ କିଶୋର କରୁଛନ୍ତି ତମାଖୁ ସେବନ, ଶିକ୍ଷାନୁଷ୍ଠାନରେ ପ୍ରହସନ ସାଜିଛି ‘କୋଟ୍‍ପା’ ଆଇନ୍‍

ଭୁବନେଶ୍ୱର : ତମାଖୁ ମୁକ୍ତ ହେବ ଶିକ୍ଷାନୁଷ୍ଠାନ। ଶିକ୍ଷାନୁଷ୍ଠାନ ପରିସରେ ଶିକ୍ଷକ, କର୍ମଚାରୀ କିମ୍ବା ଛାତ୍ରଛାତ୍ରୀ କେହି ତମାଖୁ ଖାଇବେନି। ଶହେ ମିଟର ପରିଧି ଭିତରେ ତମାଖୁ ଜାତ ସାମଗ୍ରୀ ବିକ୍ରି ହୋଇ ପାରିବ ନାହିଁ। ବିକ୍ରି କଲେ ହେବ ଜରିମାନା। ପିଲାଙ୍କ କୋମଳମତି ମାନସିକତା ଉପରେ ବିଡ଼ି, ଖଇନି, ଗୁଟଖା, ସିଗାରେଟ୍‍ ଆଦି ତମାଖୁଜାତ ଦ୍ରବ୍ୟର ଯେପରି କୁ-ପ୍ରଭାବ ନ ପଡ଼େ ସେଥି ପାଇଁ କୋଟ୍‍ପା(ସିଗାରେଟ୍‍ ଓ ଅନ୍ୟାନ୍ୟ ତମାଖୁ ଜାତୀୟ ସାମଗ୍ରୀ) ଆଇନ୍‍ ୨୦୦୩କୁ କଡ଼ାକଡ଼ି ପାଇଁ ଶିକ୍ଷା ବିଭାଗର ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ପ୍ରକାଶ ପାଉଛି। ହେଲେ ପରିତାପର ବିଷୟ ହେଉଛି ନିର୍ଦ୍ଦେଶନାମା ଓ ଶିକ୍ଷାନୁଷ୍ଠାନକୁ ତମାଖୁ ମୁକ୍ତ କରିବା ଯୋଜନା କେବଳ କାଗଜକଲମାରେ ସୀମିତ।

ଯୁଗ ବଦଳିବା ସହିତ ନିଶା ସେବନର ପ୍ରକ୍ରିୟା ମଧ୍ୟ ବଦଳିଛି। ଯୁବ ବର୍ଗ କେବଳ ବିଡ଼ି, ଖଇନି, ଗୁଟଖା, ସିଗାରେଟ୍‍ ଆଦିରେ ସୀମିତ ନାହାନ୍ତି, ବ୍ରାଉନସୁଗାର, କୋକେନ୍‍, ଡେଣ୍ଡରାଇଟ୍‍ ଭଳି ନିଶାର ବ୍ୟବହାର ଅଭିନବ ଉପାୟରେ କରୁଛନ୍ତି। ବିଶେଷତଃ ବିଭିନ୍ନ ବୈଷୟିକ ଓ ବୃତିଗତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ବର୍ଗର ଯୁବକ/ଯୁବତୀଙ୍କ ସଂଖ୍ୟା ଅଧିକ ଥିବା ସର୍ଭେ ଦର୍ଶାଉଛି। ସ୍ନାତକ, ସ୍ନାତକୋତର ଭଳି ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଏହି ବର୍ଗର ନିଶା ସେବନକାରୀଙ୍କ ସଂଖ୍ୟା ମଧ୍ୟ କିଛି କମ୍‍ ନୁହଁ। ୨୦୧୭ ମସିହାର ଗ୍ଲୋବାଲ୍‍ ଆଡଲ୍ଟ ତମାଖୁ ସର୍ଭେ(ଜିଏଟିସଏସ) ତଥ୍ୟ ଅନୁଯାୟୀ ରାଜ୍ୟର ୪୫.୬ ପ୍ରତିଶତ କିଶୋର(୧୨-୧୯ ବର୍ଷ ବୟସ୍କ) ନିଶା ସେବନ କରୁଥିବା ବେଳେ ୫୪.୪ ପ୍ରତିଶତ କିଶୋର/କିଶୋରୀ କୌଣସି ତମାଖୁ ସେବନ କରୁ ନାହାନ୍ତି। ୮୭୮ ଜଣ କିଶୋର ଓ ୯୮୦ ଜଣ କିଶୋରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ କିଶୋର ସିଗାରେଟ୍‍, ବିଡ଼ି ଓ ଗଞ୍ଜେଇ ଭଳି ଧୂଆଁ ଜାତୀୟ ତମାଖୁ ସେବନ କରୁଥିବାବେଳେ ଉଭୟ କିଶୋରକିଶୋରୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୭ ପ୍ରତିଶତ ରହିଥିଲା।

ସେହିପରି ୪୨ ପ୍ରତିଶତ କଶୋର/କିଶୋରୀ ଧୂଆଁ ବିହୀନ ତମାଖୁ ସେବନ କରୁଥିବାବେଳେ ୧୭ ପ୍ରତିଶତ ଖଇନି ସେବନ କରୁଥିଲେ। ଗୁଟଖା ଖାଉଥିବା କିଶୋରଙ୍କ ସଂଖ୍ୟା ସବୁଠୁ ଅଧିକ ରହିଥିଲା। ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ କିଶୋର/କିଶୋରୀ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଥିଲେ। ବିଗତ ୫ ବର୍ଷ ପରେ ଏହି ସଂଖ୍ୟା ଆହୁରି ଅଧିକ ବଢ଼଼ିଛି। ତେବେ ଏଭଳି ଉଦବେଗଜନକ ତଥ୍ୟ ପରେ ମଧ୍ୟ ବିଭିନ୍ନ ସମୟରେ ଶିକ୍ଷାନୁଷ୍ଠାନକୁ ତମାଖୁମୁକ୍ତ ପାଇଁ ସରକାରୀ ସ୍ତରରେ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। କୋଟ୍‍ପା ଆଇନକୁ କଡ଼ାକଡ଼ି କରିବା ଲାଗି ନିର୍ଦ୍ଦେଶ ହୋଇଛି। ମାତ୍ର ଆଇନର କାର୍ୟ୍ୟକାରୀତା କେବଳ କାଗଜକଲମରେ ହିଁ ସୀମିତ ରହିଛି।

କୋଟ୍‍ପା ଆଇନକୁ କଡ଼ାକଡ଼ି କରିବା ଲାଗି ନିକଟରେ ୟୁଜିସି ଓ ରାଜ୍ୟ ଉଚ୍ଚଶିକ୍ଷା ସଚିବ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷାନୁଷ୍ଠାନର ଶହେ ମିଟର ପରିଧି ଭିତରେ ଥିବା ତମାଖୁ ଦୋକାନ ଚିହ୍ନଟ କରିବା ଓ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଲାଗି ଜିଲ୍ଲାର ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଅବଗତ କରିଥିଲେ। ମାତ୍ର ଏହା ପରଠାରୁ କୋଣସି କାର୍ୟ୍ୟାନୁଷ୍ଠାନ ନାହି। ନିର୍ଦ୍ଦେଶନାମାରେ ସୀମିତ କାର୍ୟ୍ୟକାରୀତା। ତେବେ ଏ ସମ୍ପର୍କରେ ତମାଖୁ ନିରୋଧ ଉପରେ କାର୍ୟ୍ୟ କରୁଥିବା କର୍ମୀ ଡ. ମହମ୍ମଦ ଇମ୍ରାନ ଅଲ୍ଲି କହନ୍ତି, କୋଟ୍‍ପା ଆଇନର ଧାରା ୬ ଅନୁଯାୟୀ ଶହେ ମିଟର ପରିଧି ଭିତରେ ତମାଖୁ ଜାତୀୟ ସାମଗ୍ରୀ ବିକ୍ରି କରିବା ପାଇଁ ବାରଣ କରାଯାଇଛି। ସ୍କୁଲ ହେଉ କି କଲେଜ ଅବା ବିଶ୍ୱବିଦ୍ୟାଳୟ କୌଣସି ଅନୁଷ୍ଠାନର ୧୦୦ ମିଟର ପରିଧି ଭିତରେ କେହି ତମାଖୁ ବିକ୍ରି ବି କରିପାରିବେ ନାହିଁ। ଏହାର ଖିଲାପ କଲେ ଜରିମାନା ଦେବାକୁ ପଡ଼ିବ। ୧୮ ବର୍ଷରୁ କମ୍‍ ବୟସର ପିଲାଙ୍କୁ ତମାଖୁ ବିକ୍ରି କଲେ ୨୦୦ ଟଙ୍କା, ଶିକ୍ଷାନୁଷ୍ଠାନର ୧୦୦ ମିଟର ଦୂର ଭିତରେ ତମାଖୁ ବିକ୍ରି କଲେ ୨୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ହେଲେ ଜରିମାନା ସର୍ବାଧିକ ମାତ୍ର ୨ଶହ ଟଙ୍କା। ତେଣୁ ଦୋକାନୀ ଓ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ଏହା ବାଧୁନାହିଁ। ତେବେ ନିୟମ କଡ଼ାକଡ଼ି ସହ କଠୋର ଦଣ୍ଡବିଧାନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.