ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେଫିକର ନିଶା ବେପାରୀ: ଦୋକାନରୁ ଜବତ ହେଲା ୪ଶହ ବୋତଲ କଫସିରଫ ଓ ନିଶା ବଟିକା

ବଲାଙ୍ଗିର: ବଲାଙ୍ଗିର ସହରରେ କଫସିରଫ ଓ ନିଶା ବଟିକାର ବେଆଇନ କାରବାର ଚରମସୀମାରେ ପହଞ୍ଚିଥିବା ବେଳେ ଏହି ବେଆଇନ ବ୍ୟବସାୟ ଏବେ କୁଟୀର ଶିଲ୍ପରେ ପରିଣତ ହେବାରେ ଲାଗିଛି । ସହର ଗଳି, ବସ୍ତି ଭିତରେ କଫସିରଫ ଓ ନିଶା ବଟିକା ଘରେ ବିକ୍ରୀ ହେଉଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ରୋକିବାରେ ବିଫଳ ବଲାଙ୍ଗିର ପୁଲିସ । ପୁଲିସର ନିଷ୍କ୍ରିୟତାର ସୁଯୋଗ ନେଇ ବ୍ୟବସାୟୀ ବେଫିକର ଥିବା ବେଳେ ଆଖି ବନ୍ଦ କରି ପୁଲିସ ମଧ୍ୟ ବିନ୍ଦାସ ରହିଛି । ଅବଶ୍ୟ କେବେ କେମିତି ଅଭିଯୋଗ ହେଲେ ପୁଲିସ ଚଢାଉ କରି କଫସିରଫ ଜବତ କରି କିଛି ଲୋକଙ୍କୁ ବାନ୍ଧି ପୁଣି ନୀରବ ରହୁଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ଟାଉନ ପୁଲିସ ଏହିଭଳି ଏକ ଚଢାଉ କରିଥିବା ବେଳେ ବରପାଲିପଡାର ଜଣେ ଦୋକାନୀଙ୍କ ଠାରୁ ଚାରିଶହ ବୋତଲ କଫସିରଫ ଜବତ କରିଛି ।

ସୂଚନା ଅନୁଯାୟୀ, ଗତ କିଛି ବର୍ଷ ହେଲା ବଲାଙ୍ଗିର ସହରରେ କଫସିରଫ କାରବାର ଚରମସୀମାରେ ପହଞ୍ଚିଛି । କଫସିରଫ ସାଙ୍ଗକୁ ନିଶାବଟିକା ଗଳି, ବସ୍ତି ମାନଙ୍କରେ ଅକ୍ଲେଶରେ ବିକ୍ରୀ ହେଉଥିବା ବେଳେ ପୁଲିସ ବିଭିନ୍ନ ସମୟରେ ଜାଣି ମଧ୍ୟ ନୀରବ ରହୁଥିବା ଅଭିଯୋଗ ହୋଇଛି । ଗଳିକନ୍ଦିରେ ଥିବା ଦୋକାନ ମାନଙ୍କରେ ଏହି ବ୍ୟବସାୟ ଚାଲିଥିବା ବେଳେ କଫସିରଫର ବଡ କାରବାର ଉପରେ ପୁଲିସ ନଜର ରଖି ଏହାକୁ ଏଡାଇଯାଉଛି । କିନ୍ତୁ ଏହି ଛୋଟ ଛୋଟ ଦୋକାନରେ ପ୍ରତିଦିନ ହଜାର ହଜାର ଟଙ୍କା କଫସିରଫ ଓ ନିଶାବଟିକା କାରବାର ହେଉଥିବା ଅଭିଯୋଗ ହୋଇଛି ।

ତେବେ ବରପାଲିପଡା ଠାରେ ପ୍ରଶାନ୍ତ ଜେନା ନାମକ ଜଣେ ବ୍ୟକ୍ତି କଫସିରଫ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଏସପିଙ୍କ ପାଖରେ ଅଭିଯୋଗ ହେବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନାର ଏକ ଟିମ ଚଢାଉ କରିଥିଲା । ପ୍ରଶାନ୍ତର ଦୋକାନ ଓ ଘରେ ପୁଲିସ ଛାନଭିନ କରିଥିବା ବେଳେ ୪ଶହ ବୋତଲ କଫସିରଫ ଜବତ ହୋଇଥିଲା । ଏହା ସହିତ ୧୦ଷ୍ଟ୍ରିପ ନିଶାବଟିକା ଓ ନଗଦ ୯୨ ହଜାର ଟଙ୍କା ଜବତ ହୋଇଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି ।

ତେବେ ଏହି ଚଢାଉରେ ଏକ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଉଛି ଏକ ଛୋଟ ଦୋକାନରେ କେତେ ବ୍ୟବସାୟ ହେଉଛି ଜବତ କଫସିରଫ ସଂଖ୍ୟାରୁ ଅନୁମାନ କରାଯାଇପାରେ । ସଂପୃକ୍ତ ବ୍ୟବସାୟୀଙ୍କ ପାଖରୁ ୯୨ ହଜାର ନଗଦ ଟଙ୍କା ଜବତ ହୋଇଥିବା ବେଳେ କେଉଁ ପରିମାଣର ତାଙ୍କ ବ୍ୟବସାୟ ଚାଲିଥିଲା ତାହା ମଧ୍ୟ ଅନୁମାନ କରିବାର ବିଷୟ । ଏହି କାରବାରରେ ପୁଲିସ ଜଣେ ନାବାଳକଙ୍କୁ ମଧ୍ୟ ଅଟକ ରଖିଥିବା ପୁଲିସ ସୂଚନା ଦେଇଛି । ତେବେ ଏହା ଏକ ଉଦାହରଣ ମାତ୍ର ସହରର ପ୍ରତି ଗଳି, ବସ୍ତିରେ ଏହିଭଳି ଦୋକାନ ରହିଥିବା ବେଳେ ସେମାନଙ୍କ ଉପରେ ପୁଲିସର କେବେ ନଜର ପଡିବ ଓ ସେମାନେ କେବେ ଗିରଫ ହେବେ ତାହା ଦେଖିବାର କଥା । ଅନ୍ୟପକ୍ଷରେ ମଙ୍ଗଳବାର ସଦର ଥାନା ଚୁଡାପାଲିର ଏକ ଦୋକାନରୁ ମଧ୍ୟ ୧୪୦ ବୋତଲ କଫସିରଫ ଓ ନିଶାବଟିକା ଜବତ ହୋଇଥିବା ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.