ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩ ସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା, ମୁତୟନ ହେବେ ୩୪ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ୱର : ଆଉ ଦିନକ ପରେ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ। କୋଭିଡ କଟକଣା ସମ୍ପୂର୍ଣ୍ଣ ଭାବରେ ହଟିଥିବାରୁ ଚଳିତ ଅଧିବେଶନଟି ସ୍ୱାଭାବିକ ଢଙ୍ଗରେ ଚାଲିବାକୁ ଥିବାବେଳେ ପୂରା ଅଧିବେଶନଟି ରାଜନୈତିକ ଗତିବିଧିକୁ ନେଇ ବେଶ୍ ଉଷ୍ମ ହେବ ବୋଲି ଆଶା କରାଯାଉଛି। ତେବେ ଚଳିତ ଥର ବିଧାନସଭା ୩ ସ୍ତରୀୟ ସୁରକ୍ଷା ବଳୟରେ ରହିବ। ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ରହିବ ସୁରକ୍ଷା ବ୍ୟବସ୍ଥା।

ବିଧାନସଭାର ଶୀତ ଅଧିବେଶନ ସୁରକ୍ଷା ପାଇଁ ୩୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୨ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭିଜନ କରିବେ। ୫ ଜଣ ଅତିରିକ୍ତ ଡିସିପି, ୧୧ ଡିଏସପି/ଏସିପି ,୧୩ ଆଇଆଇଆସି ଓ ୬୨ ଏସଆଇ ଓ ଏଏସ୍‌ଆଇ ସୁରକ୍ଷା ଦ୍ଵାୟିତ୍ୱରେ ରହିବେ। ରାଲି , ଧାରଣ ଓ ସୁରକ୍ଷାକୁ ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ ରହିବ। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପେନ୍ସ ଟିମ, ସ୍ପେଶାଲ ଟାକଟିକାଲ ୟୁନିଟ, ଆର୍ମଡ଼ ପୁଲିସ, ରୂପ ଟଫ ସିକୁରିଟି, ସାଧା ପୋଷାକ ଧାରୀ ପୁଲିସ ମୁତୟନ ହେବେ ବୋଲି ଜଣାପଡିଛି।

ଅନ୍ୟପଟେ ଆସନ୍ତାକାଲି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକ ଦଳ ଅନୁଷ୍ଠିତ ହେବ। ନିଜ ନିଜ ବିଧାୟକ ଦଳ ବୈଠକରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଘେରିବା ପାଇଁ ରଣନୀତି ଚୂଡ଼ାନ୍ତ କରିବାକୁ ଥିବାବେଳେ ବିରୋଧୀଙ୍କୁ ଜବାବ୍ ଦେବାକୁ ବିଜେଡି ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୪ ତାରିଖ ସକାଳ ୧୦ଟା ବେଳେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ଶୀତ ଅଧିବେଶନଟି ଲମ୍ବା ଅବଧି ଧରି ଚାଲିବାକୁ ଥିବାରୁ ଉଭୟ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଗୃହରେ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିବାକୁ ଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଦଳୀୟ ବିଧାୟକମାନେ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବେ। ରାଜ୍ୟରେ ଅର୍ଚ୍ଚନା ନାଗ, ଆଇନଶୃଙ୍ଖଳା, ବେକାରୀ, ଚାଷ ଏବଂ ଚାଷୀ ସମ୍ପର୍କିତ ସମସ୍ୟାକୁ ବିରୋଧୀ ପ୍ରମୁଖ ପ୍ରସଙ୍ଗ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଉପରୋକ୍ତ ପ୍ରସଙ୍ଗ ସହ ଅନ୍ୟ ପ୍ରସଙ୍ଗଗୁଡ଼ିକୁ ନେଇ ସେମାନେ ଶାସକ ଦଳକୁ ଗୃହରେ ଘେରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ପାଲଟା ଜବାବ ଦେବା ସହ ଗୃହରେ କେନ୍ଦ୍ରୀୟ ଅବହେଳା ଏବଂ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଦୃଢ଼ ଭାବେ ଉପସ୍ଥାପିତ କରିବ ବୋଲି ଦଳୀୟ ବିଧାୟକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକରେ ଏନେଇ ସବିଶେଷ ରଣନୀତି ପ୍ରସ୍ତୁତ କରାଯିବ। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବିଚାର, ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଅନୁଦାନ ହ୍ରାସ, ଦରଦାମ ବୃଦ୍ଧି ସହ କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତିକୁ ଶାସକ ଦଳ ପକ୍ଷରୁ ବିଧାନସଭାରେ ଉଠାଯିବ ବୋଲି ଜଣାପଡ଼ିଛି।

ସେପଟେ ନଭେମ୍ବର ୨୪ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାରେ ଶୀତ ଅଧିବେଶନ ଚାଲିବ। ଏହି ପରିପ୍ରେକ୍ଷୀରେ ବିଧାନସଭା ମାର୍ଗରେ କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ୍‍ କଟକଣା ମଧ୍ୟ ରହିଛି। ବିଧାନସଭା ସଂଲଗ୍ନ ରାସ୍ତାରେ ସର୍ବସାଧାରଣଙ୍କ ଯାତାୟାତ ଉପରେ କଟକଣା ଜାରି କରିଛି। ସେହିପରି ଜୟଦେବ ଭବନ ଠାରୁ ରବୀନ୍ଦ୍ର ମଣ୍ଡପ ଛକ, ରବୀନ୍ଦ୍ର ମଣ୍ଡପ ଛକ ଠାରୁ ୧୨୦ ବାଟାଲିୟନ ଛକ ଯାଏଁ ଲୋକଙ୍କ ଗମନାଗମନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଉକ୍ତ ରାସ୍ତାରେ ଅନୁମତି ନ ଥିବା ଲୋକେ ଯେପରି ଭିତରେ ପ୍ରବେଶ ନ କରିବେ ସେଥିପାଇଁ ୩ଟି ପଏଣ୍ଟ କରାଯାଇଛି। କେବଳ ଲୋକସେବା ଭବନ ଓ ବିଧାନସଭା କର୍ମଚାରୀଙ୍କ ସହ ଅନୁମତି ଥିବା କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ। ସେଭଳି ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି କମିସନରେଟ୍‍ ପୁଲିସ ପକ୍ଷରୁ କୁହାଯାଇଛି।

କେଉଁବାଟେ ଯିବେ…

  • ହାଉସିଂବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ କେଶରୀ ଟକିଜ ଠାରୁ ଆଗକୁ ନ ଯାଇ ବାମପଟ ରାସ୍ତା ଦେଇ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।
  • ଏଜି ଛକ ପଟୁ ପିଏମ୍‍ଜି ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦରା ଗାନ୍ଧୀ ପାର୍କ ରାସ୍ତା ଦେଇ ଗନ୍ତବ୍ୟବସ୍ଥଳକୁ ଯାଇପାରିବେ।
  • ମାଷ୍ଟରକ୍ୟାଣ୍ଟିନ ପଟୁ ଅପର ପିଏମ୍‍ଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଲୋୟର ପିଏମ୍‍ଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ଦେଇ ଯାଇପାରିବେ। କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗରେ ଯିବା ଲାଗି ଅନୁମତି ଦିଆଯିବ ନାହିଁ।
  • ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ିଗୁଡିକ ପାୱାର ହାଉସ୍‍ ଛକ ଆଡ଼କୁ ଯାଇପାରିବେ।
  • ରାଜଭବନ ଛକ ପଟୁ ଏମଏଲ୍‍ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଶାସ୍ତ୍ରୀନଗର ଆଡ଼କୁ ଯାଇପାରିବେ।
Leave A Reply

Your email address will not be published.