ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର

ପୀତବାସ ଶ୍ରେଷ୍ଠ ଅଭିନେତା, ଶିବାନୀ ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱର : ବହୁ ବାଦ ବିବାଦର ଅନ୍ତ ପରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍କଳ ମଣ୍ଡପରେ ପ୍ରଦାନ କରାଯାଇଛି। ଏହି ଅବସରରେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଛି। ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରୀ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ଲାଗି ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥିପାଇଁ ତାଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ସଂସ୍କୃତି ବିଭାଗ ଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ପକ୍ଷରୁ ଆୟୋଜିତ ସମାରୋହରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଓଏଫ୍‌‌ଡିସି ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିୟା, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କାଲିର ଅତୀତ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର, ନୀଳମାଧବ ପଣ୍ଡାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇଁ ତାଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଚଳଚ୍ଚିତ୍ର ‘କାଲିର ଅତୀତ’ରେ ଅଭିନୟ ଲାଗି ପୀତବାସ ତ୍ରିପାଠୀଙ୍କୁ ଶ୍ରେଷ୍ଠ ଅଭିନେତା ଓ ବାବୁ ଭାଇଜାନ୍‌‌ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀଭାବେ ଶିବାନୀ ସଙ୍ଗୀତା ଷଡଙ୍ଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଆବେଦନ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକୁ ଏକ ୬ ଜଣିଆ ଜୁରୀ କମିଟିଙ୍କ ଦ୍ୱାରା ଦେଖାଯାଇଥିଲା। ସେଥିରୁ ଶ୍ରେଷ୍ଠ ପୁରସ୍କାର ଲାଗି ଚୟନ କରାଯାଇଥିଲା। ମାତ୍ର ୨୦୨୧ ମସିହା ନଭେମ୍ବର ୫ରେ ଘୋଷଣା ପରେ ବିବାଦ ପାଇଁ ଏହା ହାଇକୋର୍ଟରେ ପହଞ୍ଚିଥିଲା। କୋର୍ଟଙ୍କ ରାୟ ମୁତାବକ ପୁନଃ ଚୟନ ପରେ ପୁଣି ପୁରସ୍କାର ବିଚାର କରାଯାଇ ପ୍ରଦାନ କରାଯାଇଛି।

ଚଳଚ୍ଚିତ୍ର ପୁରସ୍କାରର ଜୁରୀ ଅଧ୍ୟକ୍ଷ ଭାବେ ବିଶିଷ୍ଟ ସିନେମାଟୋଗ୍ରାଫର ସୁରେନ୍ଦ୍ର ସାହୁ, ଜୁରୀ ସଦସ୍ୟ ଭାବେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ବିଶିଷ୍ଟ ଅଭିନେତ୍ରୀ ତ୍ରିପୁରା ମିଶ୍ର, ଚଳଚ୍ଚିତ୍ର ପ୍ରଯୋଜକ ଜିତେନ୍ଦ୍ର ମିଶ୍ର, ସିନେ ସାମ୍ବାଦିକ ଆଦିକନ୍ଦ ରାଉତ ଓ ବିଶିଷ୍ଟ ଗୀତିକାର ଗୌର ପଟ୍ଟନାୟକ ରହିଥିଲେ। କାଲି ପାଇଁ କାଲିର ସିନେମା ପୁସ୍ତକ ପାଇଁ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସହାୟତା ଲାଗି ଓଡ଼ିଶା ସିନେ କଳାକାର ସଂଘକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସନ୍ଧ୍ୟାରେ ସେହି କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଅଭିନେତା ସୁକାନ୍ତ ଓ ଉପସ୍ଥାପକ ସୁଲଗ୍ନା ମଞ୍ଚରେ ସଞ୍ଚାଳନ କରିଥିଲେ। ପ୍ରାରମ୍ଭରେ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ଦିବଙ୍ଗତ ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ ଓଡ଼ିଆ ଚଳଚ୍ଚିତ୍ରର ୮୬ବର୍ଷର ଯାତ୍ରାକୁ ନେଇ ଏକ ଅଡ଼ିଓ ଭିଜୁଆଲ ପ୍ରଦର୍ଶିତ ହୋଇଥିଲା।

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଶ୍ରେଷ୍ଠ କାହାଣୀ: କପିଳେଶ୍ୱର ପ୍ରସାଦ ମହାପାତ୍ର (ଶଲାବୁଢାର ବଦ୍‌‌ଲା)
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ:ସ୍ୱର୍ଗତ ରାଜୁ ମିଶ୍ର(କୋଟିଏରେ ଗୋଟିଏ ମନ)
ଶ୍ରେଷ୍ଠ ସଂଳାପ ଲେଖକ: ସ୍ୱର୍ଗତ ଅଟଳ ବିହାରୀ ପଣ୍ଡା(ଶଲା ବୁଢାର ବଦଲା)
ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ସ୍ୱୟମ ପ୍ରକାଶ ପାଢ଼ୀ (ଦେଖା ହେଲା ପ୍ରେମ ହେଲା)
ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା: ଦୀପ୍ତିରେଖା ପାଢ଼ୀ (ଏ କେଉଁ ଋତୁ ଏ କେଉଁ ରାସ୍ତା…ଫ୍ରମ୍‌‌ ମି ଟୁ ଇଉ)
ଶ୍ରେଷ୍ଠ ଚିତ୍ରଗ୍ରହଣ: ରବୀନ୍ଦ୍ର ବେହେରା (ବାବୁ ଭାଇଜାନ୍‌‌)
ଶ୍ରେଷ୍ଠ ସମ୍ପାଦନା: ପୁନିତ୍‌‌ ରାଜ୍‌‌(କୋଟିଏରେ ଗୋଟିଏ ମନ)
ଶ୍ରେଷ୍ଠ ଗୀତିକାର: ପ୍ରଶାନ୍ତ ନନ୍ଦ(କୋଟିଏରେ ଗୋଟିଏ ମନ)
ଶ୍ରେଷ୍ଠ ଚିତ୍ରନାଟ୍ୟ: ସନ୍ତୋଷ ନାରାୟଣ ଦାଶ (ବାବୁ ଭାଇଜାନ୍‌‌)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତା: ବବି ମିଶ୍ର (ବାବୁ ଭାଇଜାନ୍‌‌)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ: ବନିତା ନାଗ (ଝରନ୍‌‌)
ଶ୍ରେଷ୍ଠ ହାସ୍ୟ କଳାକାର: ହରିହର ମହାପାତ୍ର(କୋଟିଏରେ ଗୋଟିଏ ମନ)
ଶ୍ରେଷ୍ଠ ଶିଶୁ କଳାକାର: ମୟଙ୍କ(ରଙ୍ଗ ବରସିବ ଟୁପୁରୁ ଟୁପୁରୁ)
ଶ୍ରେଷ୍ଠ କଳା ନିର୍ଦ୍ଦେଶକ: କଳିଙ୍ଗ କେଶରୀ ନାୟକ (କାଲିର ଅତୀତ)
ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ଚନ୍ଦ୍ରଶେଖର ଶର୍ମା (ଶଲାବୁଢାର ବଦ୍‌‌ଲା)
ସ୍ୱତନ୍ତ୍ର ଜୁରୀ ପୁରସ୍କାର: ଅଭିନେତା: ରୋହିତ୍‌‌ ରାଜ୍‌‌ (କୋଟିଏରେ ଗୋଟିଏ ମନ)
ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଟେଲି ଚଳଚ୍ଚିତ୍ର ପ୍ରଯୋଜକ: ସତ୍ୟବ୍ରତ ରଥ(ବାଜି ଦ ଇମୋର୍ଟାଲ ବୋଟ୍‌‌ ବୟ) ଓ ଅଭିଷେକ କୁମାର ଦାଶ(ଫ୍ରମ ସଞ୍ଜୁ)
ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ପ୍ରଯୋଜକ: ଆଶୁତୋଷ ପଟ୍ଟନାୟକ (ଶ୍ରୀକ୍ଷେତ୍ରର ସହିଯାତ)
ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ପ୍ରଯୋଜକ ସ୍ୱରାଜ ମିଶ୍ର ଓ ନିର୍ଦ୍ଦେଶକ ବନମାଳୀ ରଣା (ରସଗୋଲା)
ଶ୍ରେଷ୍ଠ ବେଶପୋଷକ ସଜ୍ଜାକାରୀ ଚୈତନ୍ୟ ମଟାରୀ(‘ଶଲାବୁଢ଼ାର ବଦ୍‌‌ଲା’)
ଶ୍ରେଷ୍ଠ ରୂପସଜ୍ଜାକାରୀ ରାଜକିଶୋର ଜେନା(‘ବାବୁ ଭାଇଜାନ୍‌‌’)
ଶ୍ରେଷ୍ଠ ନୃତ୍ୟ ସଂଯୋଜନା ଗିରିଶ ମହାନ୍ତି(‘ବାବୁ ଭାଇଜାନ୍‌‌’)

Leave A Reply

Your email address will not be published.