ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ନିର୍ମାଣ କରାଯିବ ୩୦୦ ବିଜୁ ସେତୁ, ୧୭୮୮ କୋଟି ଟଙ୍କାର ବ୍ୟୟ ଅଟକଳ

ଭୁବନେଶ୍ୱର : ଦେଶ ତଥା ରାଜ୍ୟର ଅର୍ଥନୀତିରେ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବା ବେଳେ ଏହା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ଗ୍ରାମାଞ୍ଚଳକୁ ସବୁଦିନିଆ ଉନ୍ନତ ସଂଯୋଗ ବ୍ୟବସ୍ଥା ସହ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଗ୍ରାମ ଏବଂ ପଞ୍ଚାୟତ ସଡ଼କ ଉପରେ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ବିଜୁ ସେତୁ ଯୋଜନାର କାର୍ଯ୍ୟନ୍ୱୟନ କରୁଛନ୍ତି। ଏହିକ୍ରମରେ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ମୋଟ ୩୦୦ ବିଜୁ ସେତୁ ନିର୍ମାଣ କରାଯିବ। ଏଥିପାଇଁ ୧୭୮୮.୦୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି।

ରାଜ୍ୟରେ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଗମନାଗମନ ଏବଂ ଯୋଗାଯୋଗରେ ନଦୀ, ନାଳଗୁଡ଼ିକ ସମସ୍ୟା ସୃଷ୍ଟି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହା ଅକ୍ଟୋବର ୯ ତାରିଖରେ ବିଜୁ ସେତୁ ଯୋଜନାର ଶୁଭାରମ୍ଭ କରିଥିଲେ। ୨୦୧୧-୧୨ ମସିହାରେ ଯୋଜନା ଆରମ୍ଭର ବର୍ଷରେ ମାତ୍ର ୭ଟି ସେତୁ ନିର୍ମାଣ ସମ୍ଭବପର ହୋଇପାରିଥିଲା। ତେବେ ଏହାପରଠାରୁ ଏହି ଯୋଜନା ଉପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଫୋକସ୍‍ କରିଛନ୍ତି। ଗତ ୧୦ ବର୍ଷରେ ୨୦୨୧-୨୨ ସୁଦ୍ଧା ରାଜ୍ୟରେ ମୋଟ ୧୧୩୯ଟି ବିଜୁ ସେତୁ ନିର୍ମାଣ ସରିଛି ଓ ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୪୫୩୩.୨୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯୋଗାଯୋଗ ଦୃଷ୍ଟିରୁ ବିଜୁ ସେତୁ ବର୍ତ୍ତମାନ ରାଜ୍ୟର ବହୁ ଦୁର୍ଗମ ଅଞ୍ଚଳ ପାଇଁ ବରଦାନ ସାବ୍ୟସ୍ତ ହୋଇଥିବା ବେଳେ ଏପରି ଯୋଜନା ଦେଶବ୍ୟାପୀ ଉଚ୍ଚ ପ୍ରଶଂସିତ ହୋଇଛି। ଚଳିତ ବଜେଟରେ ମଧ୍ୟ ବିଜୁ ସେତୁ ଯୋଜନାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେବା ସହ ଏଥିପାଇଁ ୧୬୮୮ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୨୮୧ଟି ସେତୁ ନିର୍ମାଣ ଲକ୍ଷ୍ୟ ରଖିଥିବା ବେଳେ ଏହି ସଂଖ୍ୟା ଏବେ ୩୦୦କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଗତ ୨୦୨୧ ମସିହା ନଭେମ୍ବରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମଧ୍ୟ ଆସନ୍ତା ୩ ବର୍ଷ ପାଇଁ ଏହି ଯୋଜନା ଅଧିନରେ ୫୫୦ଟି ନୂଆ ସେତୁ ନିର୍ମାଣକୁ ଅନୁମୋଦନ ମିଳିଥିଲା। ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ଏହି ସେତୁ ନିର୍ମାଣ ହେବାକୁ ଥିବାବେଳେ ଏଥିପାଇଁ ମୋଟ ୫୧୮୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କେବଳ ୩୦୦ ବିଜୁ ସେତୁ ନୁହେଁ; ବରଂ ବିଜୁ ସେତୁ ନିକଟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରାୟ ୧୦୦ ଆଡ଼ିବନ୍ଧ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଫଳରେ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟନ୍ୱୟନ ସହ ଭୂତଳ ଜଳ ସଂରକ୍ଷଣ ଏବଂ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରିବ। ଗତବର୍ଷ ଏହି ଯୋଜନାରେ ୪କୋଟି ୧୧ ଲକ୍ଷ ଟଙ୍କା ବିନିମୟରେ ପ୍ରାୟ ୩୨ଟି ଆଡ଼ିବନ୍ଧ ନିର୍ମାଣ କରାଯାଇଥିଲା।

ନିର୍ଦ୍ଧାରିତ ସମୟସୀମା ମଧ୍ୟମରେ ଯେପରି ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବ ସେନେଇ ମଙ୍ଗଳବାର ଗ୍ରାମ୍ୟ ନିର୍ମାଣ ଭବନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ମନ୍ତ୍ରୀ ଶ୍ରୀ ଘଡ଼ାଇ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେତୁର ଗୁଣବତ୍ତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ସହ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଥିବା ସମସ୍ୟାର ତ୍ୱରିତ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେତୁ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ନେଇ ପ୍ରତି ମାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ବୈଠକ ପରେ ମନ୍ତ୍ରୀ ଶ୍ରୀ ଘଡ଼ାଇ ସୂଚନା ଦେଇଛନ୍ତି। ସେହିପରି ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ କହିଛନ୍ତି ଯେ ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ କରିବା ପାଇଁ ଉଭୟ ବିଭାଗୀୟ ଅଧିକାରୀ ଏବଂ ଏଜେନ୍ସିଙ୍କ ସମାନ ଦାୟିତ୍ୱ ରହିଛି। ତେଣୁ ସମସ୍ତଙ୍କୁ ଦଳଗତ ଭାବେ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.