ତାମିଲନାଡୁରୁ ବ୍ରହ୍ମପୁରକୁ ଚାଲାଣ ବେଳେ ୩ କିଲୋ ସୁନା ଓ ୧୭ କିଲୋ ରୁପା ଜବତ : ୩ ଅଟକ, ଜିଏସ୍‌ଟି ଫାଙ୍କି ହେଉଥିଲା ଚାଲାଣ

ବ୍ରହ୍ମପୁର : ବ୍ରହ୍ମପୁର ଗୋଳନ୍ଥରା ପୁଲିସକୁ ବଡ଼ ସଫଳତା। ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଗରକୁ ଚାଲାଣ ବେଳେ ଜିଏସଟି ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ ଗୋଳନ୍ଥରା ପୁଲିସ କାବୁ କରିଛି। ସେମାନଙ୍କ ନିକଟରୁ ୩ କିଲୋ ସୁନା ଓ ୧୭ କିଲୋ ରୁପା ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ହେବ ବୋଲି ସୂଚନା ରହିଛି। ଏହି ଘଟଣାରେ ଜଣେ ଗାଡ଼ି ଚାଳକଙ୍କ ସହ ୩ ଜଣଙ୍କୁ ପୁଲିସ ଅଟକ ରଖିଛି।

ଖବର ଅନୁଯାୟୀ, ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଦର ଅଞ୍ଚଳକୁ ଆସୁଥିଲା ଏକ୍‌ କାର । ଏଥିରେ ସୁନା ଓ ରୂପା ଅଳଙ୍କାର ଭର୍ତ୍ତି ରହିଥିଲା । ଜିଏସ୍‌ଟି ଫାଙ୍କି ଗାଡିରେ ଆସୁଥିବାର ସୂଚନା ପାଇଥିଲା ଗୋଳନ୍ଥରା ପୁଲିସ । ଏହିକ୍ରମରେ ଅଧାରାସ୍ତାରେ ଗାଡି ଅଟକାଇ ଯାଞ୍ଚ କରିଥିଲା ପୁଲିସ । ଯାଞ୍ଚ ସମୟରେ ପୁଲିସକୁ ୩ କେଜି ସୁନା ଏବଂ ୧୭ କେଜି ରୂପା ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ପୂର୍ବରୁ ଏହିପରି ଭାବେ ଶହ ଶହ କିଲୋ ସୁନା ଓ ରୂପା ସହ କୋଟି କୋଟି ଟଙ୍କା ଜବତ କରିଛି ପୁଲିସ ଓ ଅବକାରି ଗୁଇନ୍ଦା ବିଭାଗ।ବ୍ରହ୍ମପୁର ସୁନା ବ୍ୟବସାୟୀଙ୍କ ନିକଟକୁ ପ୍ରତିଦିନ ଏହିପରି ସୁନା ଓ ରୁପା ଅଳଙ୍କାର ଆସୁଥିବା କୁହାଯାଉଛି। ଧରାପଡିଲେ ଟିକସ ଦେଉଛନ୍ତି ଓ ନ ଧରାପଡିଲେ ସୁନା ବ୍ୟବସାୟୀ ମାଲାମାଲ ହେଉଛନ୍ତି ।

Leave a comment