ସାଇବର ଠକେଇ ଅଭିଯୋଗରେ ୩ ଅଟକ: ୪ ଚକିଆ ଗାଡି ସମେତ କମ୍ପ୍ୟୁଟର, ଇନଭଟର ଓ ପ୍ରିଣ୍ଟର ଜବତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ନାଉପାଳ ପଞ୍ଚାୟତ କାର୍ ଳୟ ଛକ ନିକଟରୁ ଅନଲାଇନ ଠକେଇ ସନ୍ଦେହରେ ପୁଲିସ ତିନି ଜଣ ଯୁବକଙ୍କୁ ଅଟକ ରଖିଛି । ଯୁବକମାନଙ୍କ ଠାରୁ ଏକ ମାରୁତି ଇକୋ ଭ୍ୟାନ (ଓଡି ୧୧ୱାଇ ୨୨୫୯), ଇନଭେଟର, କମ୍ପ୍ୟୁଟର, ପ୍ରିଣ୍ଟର, ଫିଙ୍ଗର ପ୍ରିଣ୍ଟ ସ୍କାନରକୁ ପୁଲିସ ଜବତ କରିଛି । ଯୁବକ ତିନି ଜଣ ହେଲେ କୁଳିଅଣା ଥାନା ଅଧୀନ ବିକର୍ତନ ସାମଲ(୩୦), ରାଉରକେଲା ବେଦବ୍ୟାସ ଅଞ୍ଚଳର ଅଭିଜିତ ଲେଙ୍କା (୧୮) ଓ କପ୍ତିପଦା ଥାନା ପୋଡାଡିହା ଅଂଚଳର ଈଶ୍ୱର ଚନ୍ଦ୍ର ବେହେରା(୨୨)।

ପ୍ରକାଶ ଯେ, ଯୁବକ ତିନିଜଣ ଉକ୍ତ ଗାଡିରେ ସକାଳ ୮ଟାରେ ନାଉପାଳ ପଞ୍ଚାୟତ ଅସ୍ତଝରଣ ଗ୍ରାମରେ ପହଞ୍ଚି କିଛି ଲୋକଙ୍କୁ ଡାକି ଆଧାର କାର୍ଡ ଲିଙ୍କ, ଭତା ଅନଲାଇନ, କାଳିଆ ଯୋଜନାରେ ସାମିଲ, ପ୍ରଧାନମନ୍ତ୍ରୀ ଆବାସ, ରେସନକାର୍ଡ ଖୋଲିବା ଆଦି କାର୍ଯ୍ଯ ଅନଲାଇନ ମାଧ୍ୟମରେ କରିଦେବେ ବୋଲି କହିଥିଲେ । ଯୁବକମାନଙ୍କ କଥାରେ ସନ୍ଦେହ ଜାତ ହେବାରୁ ସେମାନେ ଫୋନ ଯୋଗେ ପଂଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କୁ ଉକ୍ତ ବିଷୟ ଜଣାଇଥିଲେ । ସରପଞ୍ଚ ଓ ସମିତିସଭ୍ୟ ଖବର ପାଇ ପହଞ୍ଚିଲା ବେଳକୁ ଯୁବକ ତିନିଜଣ ଉକ୍ତ ସ୍ଥାନ ଛାଡି ପଳାଇ ଆସିଥିବା ବେଳେ ନାଉପାଳ ପଞ୍ଚାୟତ କାର୍ଯ୍ଯାଳୟ ନିକଟରେ ଯୁବକ ତିନିଜଣଙ୍କୁ ଅଟକାଇ ଘଟଣା ସମ୍ପର୍କରେ ବୁଝାସୁଝା କରିଥିଲେ।

ସେମାନଙ୍କ କଥାରେ ସନ୍ତୋଷଜନକ ଉତର ନ ପାଇବାରୁ ସମିତି ସଭ୍ୟ ରୋହିଦାସ ସିଂ ବଡସାହି ଥାନାକୁ ଖବର ଦେବା ସହିତ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଘଟଣାକୁ ନେଇ ବଡସାହି ଥାନାଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ଯ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନଜରକୁ ଆଣିବା ପରେ ବାରିପଦାରୁ ସାଇବର ପୁଲିସ ଆସି ତଦନ୍ତ କରିଥିବା ଜଣାପଡିଛି । ତେବେ ଯୁବକ ତିନିଜଣଙ୍କ ମଧ୍ୟରୁ ମୁଖ୍ୟ ବିକର୍ତନ ନିଜର ଅନଲାଇନ ସେବା କେନ୍ଦ୍ର ଥିବାବେଳେ ଘରକୁ ବୁଲିବା ପାଇଁ ଆସିଥିବା ଦୁଇ ଭଣଜାଙ୍କୁ ସାଙ୍ଗରେ ନେଇ ଗାଁ ଗାଁରେ ଅନଲାଇନ ସେବା ଯୋଗାଇ ଦେବା ପାଇଁ ଆସିଥିଲେ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ସାଇବର ପୁଲିସର ତଦନ୍ତରୁ ପ୍ରକୃତ ଘଟଣା ଜଣାପଡିବା ପରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ଶ୍ରୀ ଆଚାର୍ୟ୍ୟ ପ୍ରକାଶ କରିଛନ୍ତି।

Leave a comment