ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁଟ୍‌କେସ୍‌ରେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ନାଚୁଣି ପୁଲିସକୁ ସଫଳତା, ୧୨ ଘଣ୍ଟା ମଧ୍ୟରେ ୩ ଗିରଫ

ନାଚୁଣୀ: ସୁଟକେସରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ନାଚୁଣି ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ଘଟଣା ଘଟିବାର ୧୨ ଘଣ୍ଟା ପରେ ପୁଲିସ୍ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣଙ୍କ ମଧ୍ୟରେ ମୃତ ଯୁବକଙ୍କ ଶଳା, ଶଳା ଭାଉଜ ଓ ଅନ୍ୟ ଜଣେ ଯୁବକ ରହିଛନ୍ତି।ଆଜି ଏମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରେ ଭର୍ତ୍ତି ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୃତ ଯୁବକଙ୍କ ନାମ ମନୋରଞ୍ଜନ ମହାପାତ୍ର (୩୫)। ସେ ରଣପୁର ଥାନା ଓ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଅଧୀନ ଲାଖପଡା ଗ୍ରାମର ଗଙ୍ଗାଧର ମହାପାତ୍ରଙ୍କ ପୁଅ ଅଟନ୍ତି। ଗତକାଲି ସକାଳେ ସ୍ଥାନୀୟ କିଛି ଲୋକ ଉକ୍ତ ଜଙ୍ଗଲ ଭିତରକୁ କାଠ ସପ୍ସଗ୍ରହ ପାଇଁ ଯାଇଥିବା ବେଳେ ଏକ ନୀଳ ରଙ୍ଗର ସୁଟକେଶ ପଡ଼ିଥିବା ଦେଖିଥିଲେ। କାଳେ ଏଥିରେ କିଛି ସନ୍ଦିଗ୍ଧ ଜିନିଷ ଥାଇପାରେ ବୋଲି ସନ୍ଦେହ କରି ଏବାବଦରେ ସ୍ଥାନୀୟ ପୁଲିସ ଥାନାକୁ ଖବର ଦେଇଥିଲେ। ହରିପୁର ବୃଷଭ ଛକ ୧୬ ନମ୍ବର ଜାତୀୟ ରାଜପଥ ନିକଟରୁ ଅନତି ଦୁର ତାରିଣୀ ମନ୍ଦିର ପାଖ ହରିପୁର ଜଙ୍ଗଲ ମଧ୍ୟରେ ଏହି ଅଜଣା ସୁଟକେଶ ପଡ଼ିଥିବା ଖବର ପାଇ ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶ ଖୋଲିବା ପରେ ଘଟଣାଟି ଜଣାପଡ଼ିଥିଲା।

ପୁଲିସ ଏହି ଘଟଣାଟିର ସବୁ ଦିଗକୁ ନେଇ ତନାଘନା ଜାରି ରଖିଥିଲା। ସୂଚନାରୁ ପ୍ରକାଶ, ଏହି ଅଜଣା ସୁଟକେଶ ଖୋଲିବା ପରେ ଏଥିରେ ଏକ ଯୁବକର ଶବ ଯାହାର ହାତ ଗୋଡ ମୋଡ଼ି ମାଡ଼ି ରଖା ଯାଇଥିବା ଦେଖିବାକୁ ମିଳିଥିଲା। ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ଓ ପୁଲିସ ସଦଳବଳେ ଏହି ଜାଗାରେ ଉପସ୍ଥିତ ରହିଥିଲେ। ବାଲୁଗାଁ ଏସଡିଓ ମାନସ ରଞ୍ଜନ ବାରିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣା ଉପରେ ନଜର ରଖିଥିଲେ। ଘଟଣାଟି ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

Leave A Reply

Your email address will not be published.