ଗୁହାଳ ଘରେ ନିଆଁ ଲାଗି ୨୬ଟି ଛେଳି, ଦୁଇଟି ଗାଈ ସମେତ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ

ଜଳେଶ୍ୱର : ଜଳେଶ୍ଵର ବ୍ଲକ ନେତୁଆ ପଞ୍ଚାୟତର ଆଡିନଗା ଗ୍ରାମରେ ବିଳମ୍ବିତ ରାତିରେ ଅଘଟଣ। ଗ୍ରାମର ଅଜୟ କୁମାର ବାରିକ, ସୁଜୟ ବାରିକ, ସଞ୍ଜୟ ବାରିକ, ବିଜୟ ବାରିକଙ୍କ ଗୁହାଳ ଘରେ ନିଆଁ ଲାଗି ୨୬ଟି ଛେଳି ସମେତ ଦୁଇଟି ଗାଈ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଦୁଇଟି ଗୋରୁଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଭେଟନାରୀ ବିଭାଗ ଏବଂ ତହସିଲ କତୃପକ୍ଷ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ସୂଚନା ଅନୁସାରେ ଅଜୟ ବାରିକଙ୍କ ଚାରି ଭାଇଙ୍କ ସହ ତାଙ୍କର ପରିବାର ପକ୍କା ଘରେ ରହୁଥିବା ବେଳେ ଗୁହାଳ ଘରଟି ଅଲଗା ରହିଛି। ତେବେ ବିଳମ୍ବିତ ରାତିରେ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା। ଘର ଲୋକ ସକାଳୁ ଦେଖିଲା ବେଳକୁ ଗୁହାଳ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଲୋକମାନେ ଜାଣିପାରି ପହଁଚିଲା ବେଳକୁ ବହୁ ବିଳମ୍ବ ହୋଇଯାଇ ଥିଲା। ୨୬ଟି ଛେଳି ସହ ଦୁଇଟି ଗାଈ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଦୁଇଟି ଗୋରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି।
ଖବର ପାଇ ଭେଟନାରୀ ବିଭାଗର ଡାକ୍ତର ଶୈଳେନ୍ଦ୍ରୀ ଗୁପ୍ତା, ବାଲିଆପାଳର ଡାକ୍ତର ଚନ୍ଦନ କୁମାର ଜେନା, ତହସିଲଦାର ମିହିର ରଞ୍ଜନ ବେହେରା, ଆର ଆଇ ଦୀଲ୍ଲିପ ଚାନ୍ଦ ପହଂଚି ଘଟଣାର ଅନୁଧ୍ୟାନ କରିଥିଲେ। ବିମଳ ନାୟକ , ପଶୁପତି ପ୍ରଧାନ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ, ଜିଲ୍ଲାପରିଷଦ ଉପ ସଭାପତି ଅନୁସୟା ପ୍ରଧାନ, କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ, ସୁଦାମ ପାତ୍ର, ଲେଲିନ ପ୍ରଧାନ, ରଣଜିତ ହୁଈ, ସରପଞ୍ଚ ବେଣୁଧର ଯେନା, ସଦସ୍ୟା ଦୁର୍ଗାମଣି ଯେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।