ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶକ୍ତି ଯୋଗାଉଛି ମିଶନ ଶକ୍ତି: ତେଲ ଉତ୍ପାଦନ ୟୁନିଟ୍‌ କରି ସ୍ୱାବଲମ୍ୱୀ ହୋଇଛନ୍ତି ୨୫ ସଦସ୍ୟା

ଖଲ୍ଲିକୋଟ: ମହିଳାମାନଙ୍କୁ ମିଶନ ଶକ୍ତି ଦେଇଛି ପରିଚୟ । ମହିଳାମାନେ ହୋଇପାରିଛନ୍ତି ସ୍ୱାବଲମ୍ୱୀ । ସରକାର ଦେଉଥିବା ମହିଳା ସଶକ୍ତିକରଣର ନାରା ଏବେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ପଞ୍ଚାୟତରୁ ସଫଳ ହେବାରେ ଲାଗିଛି । ମିଶନ ଶକ୍ତିର ସହଯୋଗ ଓ ଗଞ୍ଜାମ ଗୃହିଣୀର ସହାୟତା ମହିଳାଙ୍କୁ କରିଛି ସ୍ୱାବଲମ୍ୱୀ । ଓଏଲଏମ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ତେଲଘଣା ମେସିନ ସାହାଯ୍ୟରେ ବିଭିନ୍ନ ପ୍ରକାର ତେଲ ଉତ୍ପାଦନ କରି ରୋଜଗାରକ୍ଷମ ହୋଇ ପାରିଛନ୍ତି ଏସଏଚଜି ଗ୍ରୁପର ୨୫ ଜଣ ମହିଳା ସଦସ୍ୟା ।

ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପଞ୍ଚାୟତ ଘୋଡାପଡା ଗ୍ରାମରେ ଗତ ଏକ ବର୍ଷ ହେଲା ଏସଏଚଜି ମହିଳାଙ୍କ ଦ୍ୱାରା ଆରମ୍ଭ ହୋଇଛି ମା’ ଗ୍ରାମ୍ୟଦେବୀ ଚିନା ବାଦାମ ଉତ୍ପାଦକ ଗୋଷ୍ଠୀ । ଏହି ଉତ୍ପାଦକ ଗୋଷ୍ଠୀ ମିଶନଶକ୍ତି ଓ ଓଏଲଏମ ଜରିଆରେ ୨୫ ଜଣ ମହିଳା ଛତ୍ରପୁର ଠାରେ ପ୍ରଶିକ୍ଷଣ ନେବା ପରେ ଋଣ ଆଣି ମେସିନ କିଣି ଏହି ଉତ୍ପାଦକ ଗୋଷ୍ଠୀକୁ ଆରମ୍ଭ କରିଥିଲେ । ଏହି ମେସିନରେ ଚିନାବାଦାମ, ନଡ଼ିଆ ଓ ସୋରିଷକୁ ଘଣି ତେଲ ବାହାର କରନ୍ତି । ଆଉ ଏହି ତେଲକୁ ବଜାରରେ ପହଞ୍ଚାଇବାରେ ମାଧ୍ୟମ ପାଲଟିଛି ଗଞ୍ଜାମ ଗୃହିଣୀ । ମା’ ଗ୍ରାମ୍ୟଦେବୀ ଚିନାବାଦାମ ଉତ୍ପାଦକ ଗୋଷ୍ଠୀର ୨୫ ସଦସ୍ୟା ଚିନାବାଦମ ଚାଷ କରନ୍ତି । ଏହି ମହିଳାମାନେ ସ୍ଥାନୀୟ ଅଞ୍ଚଳର ସମସ୍ତ ଚାଷୀଙ୍କ ଚିନାବାଦାମ ମଧ୍ୟ କିଣିଥାନ୍ତି । ଯାହାଫଳରେ ଚାଷୀମାନେ ସୁବିଧାରେ ଘର ପାଖରେ ନିଜର ଚିନାବାଦାମ ବିକ୍ରି କରି ଦୁଇ ପଇସା ପାଇ ପାରୁଛନ୍ତି । ଏହି ଉତ୍ପାଦକ ଗୋଷ୍ଠୀ ଦ୍ୱାରା ହେଉଥିବା ତେଲ ଉତ୍ପାଦନ ସମ୍ପୂର୍ଣ୍ଣ ନେଚୁରାଲ । ଏଥିରେ କୌଣସି ଅପମିଶ୍ରିତ କରାଯାଏ ନାହିଁ ।

ତେଲ ଲିଟର ପିଛା ୧୯୦ ଟଙ୍କା ଦରରେ ବଜାରରେ ବିକ୍ରି ହେଉଥିବା କହିଛନ୍ତି ଉତ୍ପାଦକ ଗୋଷ୍ଠୀର ସଦସ୍ୟା ବବି ପରିଡା ଓ ପ୍ରଭାସିନୀ ପରିଡା । ଏହି ଉତ୍ପାଦନ କେନ୍ଦ୍ରରେ ରହିଛି ପ୍ରଡକ୍ସନ ୟୁନିଟ, ପ୍ୟାକିଂ ଓ ବଟଲିଂ ଏବଂ ଦୁଇଟି ଷ୍ଟୋର୍‌ ରୁମ୍‌ । ୨୫ ସଦସ୍ୟାମାନଙ୍କ କାମ ରହିଛି ଅଲଗା ଅଲଗା । କିଏ ମେସିନ ଚଳାଉଛି ତ କିଏ ତେଲକୁ ବଟଲରେ ଭରୁଛି, ଆଉ କିଏ କଞ୍ଚାମାଲ ପ୍ରସ୍ତୁତ କରି ତେଲ ଘଣିବା ପାଇଁ ସାଇତି ରଖୁଛି । ପ୍ରତ୍ୟେକ ସଦସ୍ୟା ମାସିକ ୫ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ସରକାରଙ୍କ ସହାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ହୋଇ ପାରିଲେ ଏହି ପ୍ରଡକ୍ସନ ୟୁନିଟ ଆହୁରି ଆଗକୁ ବଢ଼ିପାରିବ ବୋଲି ମା ଗ୍ରାମ୍ୟଦେବୀ ଚିନା ବାଦାମ ଉତ୍ପାଦକ ଗୋଷ୍ଠୀର ସଦସ୍ୟ ବିଜ୍ଞାନୀ ପରିଡ଼ା ଓ ବାଦପଲ୍ଲୀ ପଂଚାୟତ ଏମବିକେ ମମତା ଦାସ କହିଛନ୍ତି । ବାଦପଲ୍ଲୀ ଘୋଡାପଡାର ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତା ଖଲ୍ଲିକୋଟ ବ୍ଲକର ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.