ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ‘ନିଶା’ ପାଇଁ ଦେଢ଼ବର୍ଷରେ ଗଲାଣି ୨୫ ଜୀବନ

ଭୁବନେଶ୍ୱର: ବ୍ରାଉନ୍‍ସୁଗର, ଗଞ୍ଜେଇ, ଅଫିମ, କୋକେନ୍‍, ମଦ, ହେରୋଇନ୍‍ ଓ ନିଶା ବଟିକା ଆଦି ଭୁବନେଶ୍ୱରରେ ବିକ୍ରି କରାଯାଉଛି। ସହରରେ ଅହେତୁକ ନିଶା କାରବାର ବଢ଼ିବା ସହ ସେବନକାରୀଙ୍କ ସଂଖ୍ୟା ମଧ୍ୟ ସେହି ବୃଦ୍ଧି ହେଉଛି। ଏଣୁ ନିଶା କାରବାର ପାଇଁ ସହର ଦିନକୁ ଦିନ ଅଶାନ୍ତ ଆଡ଼କୁ ଗତିକରୁଛି। କିନ୍ତୁ ନିଶା କାରବାରକୁ ବିରୋଧ କଲେ ରାଜଧାନୀରେ ଗଡୁଛି ଗୋଟାକ ପରେ ଗୋଟାଏ ମୁଣ୍ଡ। କେଉଁଠି ଗୁଳି ଫୁଟୁଛି ତ ଆଉ କେଉଁଠି ବୁଲୁଛି ଖଣ୍ଡା। ଏପରିକି ନିଶାକୁ ବିରୋଧ କରୁଥିବା ବ୍ୟକ୍ତିକୁ ରାସ୍ତାରୁ ସଫା କରିବା ଲାଗି ମାଫିଆମାନେ ଘଟାଉଛନ୍ତି ସଂଗଠିତ ଅପରାଧ। ନିଶାକୁ ବିରୋଧ କରୁଥିବା ବ୍ୟକ୍ତିକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଉଥିବା ପୁଲିସ ରେକର୍ଡରୁ ଜଣାପଡ଼ିଛି। ଖଣ୍ଡଗିରିରୁ କ୍ୟାପିଟାଲ, ଚନ୍ଦ୍ରଶେଖରପୁରରୁ ଭରତପୁର; ପ୍ରାୟ ଅଧିକାଂଶ ଥାନା ଅଞ୍ଚଳରେ ନିଶା କାରବାରକୁ ନେଇ ଯାଉଛି ଜୀବନ।

ସେହିପରି ବସ୍ତିଗୁଡ଼ିକରେ କିଛି ବେପାରୀ ଗୋଷ୍ଠୀକରି ନିଶା କାରବାର କରୁଛନ୍ତି। ସେଇ ବସ୍ତିର ପ୍ରତିପକ୍ଷ ଗୋଷ୍ଠୀ ନିଶା ବେପାରକୁ ନେଇ ଦେଖାଯାଇଛି ବିବାଦ। ବଚସାରୁ ହଣାକଟା ଏବଂ ହତ୍ୟା ଆଡ଼କୁ ଗତିକରୁଛି ବିବାଦ। ଦେଢ଼ବର୍ଷରେ ଭୁବନେଶ୍ୱରରେ ନିଶା କାରବାରକୁ ନେଇ ୨୫ରୁ ଊର୍ଦ୍ଧ୍ବ ହତ୍ୟାକାଣ୍ଡ ହୋଇଛି। ପାଠୁଆ ହୁଅନ୍ତୁ ଅବା ଅପାଠୁଆ ହିତାହିତ ଜ୍ଞାନ ଭୁଲି ଜଘନ୍ୟ ହତ୍ୟା କରୁଛନ୍ତି। ସେପଟେ ନିଶା କାରବାରକୁ ନେଇ ହଣାକଟା ମଧ୍ୟ ହେଉଛି। ନିଶା କାରବାରକୁ ବିରୋଧ କରିବାକୁ ଯାଇ କିଏ ଆକ୍ରମଣର ଶିକାର ହେଉଛି ତ କିଏ ନିଶାରୁ ଦୂରେଇ ଗଲେ ତାକୁ ମାରଣାନ୍ତକ ଆକ୍ରମଣ କରାଯାଉଛି। ସେପଟେ ନିଶା କାରବାର ବିଷୟରେ ସୂଚନା ଦେଲେ ପୁଲିସ ପକ୍ଷରୁ ସହଯୋଗ ଦିଆଯିବ ଓ ସୂଚନାଦାତାଙ୍କ ନାମ ଗୋପନ ରଖାଯିବା ବୋଲି କୁହାଯାଇଥିଲା। କିନ୍ତୁ ଏବେ ସବୁ ଓଲଟ ପାଲଟ ହୋଇଯାଇଛି। ଏଣିକି ଅନେକ ଘଟଣାରେ ପୁଲିସ ସହଯୋଗ କରୁ ନ ଥିବାରୁ ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।

ଜୀବନ ମୃତ୍ୟୁ ସହ ସଂଗ୍ରାମ

ନିଶା କାରବାରକୁ ନେଇ ହଣାକଟା ପରେ କିଏ ମରିଯାଉଛି ତ ଆଉ କିଏ ଜୀବନ ମୃତ୍ୟୁ ସହ କରୁଛି ସଂଗ୍ରାମ। କିଛି ଦିନ ତଳେ କ୍ୟାପିଟାଲ ଥାନା ଅଧୀନ ଫାଳିକିଆ ବସ୍ତିରେ ନିଶା କାରବାରକୁ କେନ୍ଦ୍ରକରି କେଶବ ନାୟକଙ୍କୁ ଦୁଇ ଯୁବକ ହାଣିଦେଇଥିଲେ। କ୍ୟାପିଟାଲ ଥାନା ଅଧୀନ ବାପୁଜୀ ନଗର ପାଣିଟାଙ୍କି ବସ୍ତିରେ ମଦ କାରବାରକୁ ନେଇ କିଛି ଦୁର୍ବୃତ୍ତ ଟି.ରାମାରାଓ ଏବଂ ଟି. ଶଙ୍କରକୁ ବିଚ୍‍ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ସେହିପରି ନୂଆପଲ୍ଲୀ ଥାନା ୟୁନିଟ୍‍-୮ ପାଣିଟାଙ୍କି ବସ୍ତିରେ ବ୍ରାଉନସୁଗର କାରବାରକୁ ବିରୋଧ କରିବାକୁ ହେମନ୍ତ ବେହେରାଙ୍କୁ ଦୁଇ ଦୁର୍ବୃତ୍ତ ହାଣିଦେଇଥିବା ଅଭିଯୋଗ ହୋଇଥିଲା। ନୀଳପାଣି ଟାଙ୍କି ବସ୍ତିରେ ନିଶା କାରବାରକୁ ବିରୋଧ କରିବାରୁ ଶତୃଘ୍ନ ବେହେରା ନାମକ ଜଣେ ଯୁବକକୁ ନିଶା ବ୍ୟବସାୟୀ ମାରଣାସ୍ତ୍ରରେ ହାଣି ପକାଇଥିବା ପୁଲିସ ଜାଣିବାକୁ ପାଇଥିଲା। ସେହିପରି ନିଶା କାରବାରକୁ କେନ୍ଦ୍ରକରି ଖଣ୍ଡଗିରି ଥାନା ଅଧୀନ ଭରତପୁର ଅଞ୍ଚଳରେ ରମ୍ପା ସାହି ଓ ଜ୍ୱାଇଁ ସାହିର ଉଭୟ ଗୋଷ୍ଠୀ ମୁହାଁମୁହିଁରେ ଉଭୟ ପକ୍ଷରୁ ୧୫ରୁ ଅଧିକ ଆହତ ହୋଇଥିଲେ।

ନିଶାକୁ ନେଇ କିଛି ହତ୍ୟା ଘଟଣା

-କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‍-୮ରେ ନିଶାକୁ ବିରୋଧ କରୁଥିବା ପି.ସୁବ୍ରତ ରାଓ ଓରଫ ଚନ୍ଦୁକୁ ହତ୍ୟା କରାଯାଇଛି। ବସ୍ତିରେ ନିଶା କାରବାର କରୁଥିବା ଦମ୍ପତି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥିରେ ସମ୍ପୃକ୍ତି ରହିଥିବା ଲେଡିଡନ୍‍ଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର୍‍ ଅଛନ୍ତି।

-ଭୁବନେଶ୍ୱର ରେଳ ଷ୍ଟେସନ୍‍ର ପୁରୁଣା ଟିକଟ କାଉଣ୍ଟର୍‍ ସମ୍ମୁଖରେ ଗଞ୍ଜେଇ ଟଣାକୁ କେନ୍ଦ୍ରକରି ମହମ୍ମଦ ଆଲମ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ପରେ ଅଭିଯୁକ୍ତ ଶଙ୍କର ପାଣ୍ଡେକୁ ଜିଆର୍‍ପି ଗିରଫ କରିଥିଲା।

-ରାଜଧାନୀରେ ନିଶା କାରବାରକୁ କେନ୍ଦ୍ରକରି ଅକ୍ଷୟ ପ୍ରଧାନ ନାମକ ଜରେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ଅଭିଯୁକ୍ତ ଗଣେଶ ବରାଡ଼କୁ ଗିରଫ କରିବା ସହ ମାରଣାସ୍ତ୍ର ଜବତ କରିଥିଲା କମିସନରେଟ୍‍ ପୁଲିସ।

-ପାଣ୍ଡରା ନିଶାନିବାରଣ କେନ୍ଦ୍ରରେ ତ୍ରିନାଥ ସେଠୀକୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ତ୍ରିନାଥକୁ ନିଶା ନିବାରଣ କେନ୍ଦ୍ରର ମାଲିକ କୀର୍ତ୍ତି ଓ ସୁରକ୍ଷାକର୍ମୀ ମିଶି ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

-ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥ ନଗରରେ ମୋବାଇଲ ଦୋକାନୀ ସନାତନ ରାଉତରାୟକୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ନିଶା ବେପାରକୁ କେନ୍ଦ୍ରକରି ସନାତନକୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୬ଜଣକୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍‍ ରହିଛି।

-ନିଶା କାରବାରକୁ କେନ୍ଦ୍ରକରି ଭରତପୁର ଥାନା ଅଧୀନ ଫାୟାର ଷ୍ଟେସନ ଛକରେ ସୌମ୍ୟରଞ୍ଜନ ମାନ୍ଧାତା ଓ ତାଙ୍କ ଭାଇକୁ କେତେକ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା।

-ନିଶା ବ୍ୟବସାୟକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟିଥିଲା। ଗୁଳିକାଣ୍ଡରେ ଅନିଲ ଜେନାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଅଭିମନ୍ୟୁ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.