ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡିର ୨୦୨୪ ନକ୍ସା ପ୍ରସ୍ତୁତ : ଭୋଟ ସଂଖ୍ୟା ଦେଢ଼ କୋଟିରେ ପହଞ୍ଚାଇବାକୁ ଯୋଜନା

ଭୁବନେଶ୍ୱର : ଲକ୍ଷ୍ୟ ୨୦୨୪। ଆଗାମୀ ସାଧାରଣ ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ଆସନରେ ବିଜୟ ଲାଭ କରିବା ଲକ୍ଷ୍ୟରେ ଅଛି ବିଜୁ ଜନତା ଦଳ। ଯୁବ, ଛାତ୍ର ଓ ମହିଳା ସଂଗଠନର ପୁର୍ନଗଠନ କରାଯିବା ପରେ ନିର୍ବାଚନ ରଣନୀତିକୁ ଜୋରଦାର୍‍ କରିଛନ୍ତି ଦଳୀୟ ନେତା। ୨୦୧୯ ବିଧାନସଭା ନିର୍ବାଚନରେ ଦଳର ଭୋଟ ସଂଖ୍ୟା ୧.୦୫ କୋଟି ଅତିକ୍ରମ କରିଥିଲା ଓ ଭୋଟ ହାର ୪୫%ରେ ପହଞ୍ଚିଥିଲା। ମାତ୍ର ପଞ୍ଚାୟତ ଓ ପୌର ନିର୍ବାଚନରେ ଭୋଟ ହାର ୫୦% ଅତିକ୍ରମ କରି ୧.୨ କୋଟିରେ ପହଞ୍ଚିଛି। ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଏହି ଭୋଟ ସଂଖ୍ୟାକୁ ଦେଢ଼ କୋଟିରେ ପହଞ୍ଚାଇବାକୁ ଦଳ ଆରମ୍ଭ କରିଛି ଲକ୍ଷ୍ୟଭେଦୀ ଯୋଜନା।

ଗତ ବିଧାନସଭା ନିର୍ବାଚନରେ ବିଜେଡ଼ି ୪୪.୭୧% ଭୋଟ ସହ ୧୧୨ଟି ବିଧାନସଭା ଆସନ ଦଖଲ କରିଥିଲା। ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ଯଥାକ୍ରମେ ୩୨.୪୯% ଓ ୧୬.୧୨% ଭୋଟ ପାଇବାକୁ ସମର୍ଥ ହୋଇଥିଲେ। ଲୋକସଭା ଭୋଟ ସଂଖ୍ୟାଠାରୁ ବିଧାନସଭାରେ ବିଜେଡି ୨% ଅଧିକ ପାଇଥିବା ବେଳେ ବିଜେପି ୬% କମ୍‍ ଭୋଟ ପାଇବାକୁ ସମର୍ଥ ହୋଇଥିଲା। ସେହିପରି କଂଗ୍ରେସ ବିଧାନସଭା ନିର୍ବାଚନରେ ୧୬.୧୨% ଭୋଟ ପାଇଥିବାବେଳେ ଲୋକସଭା ପ୍ରାର୍ଥୀମାନଙ୍କୁ ୩% କମ୍‍ ଅର୍ଥାତ୍‍ ୧୩.୪% ଭୋଟ ମିଳିଥିଲା।

ଗତ ବିଧାନସଭା, ଲୋକସଭା ଭୋଟ ହାର ଓ ସଂଖ୍ୟା ସହ ପଞ୍ଚାୟତ ଓ ପୌର ଭୋଟ ସଂଖ୍ୟାକୁ ନେଇ ଅତି ସତର୍କତାର ସହ ରଣନୀତି ପ୍ରସ୍ତୁତ କରୁଛି ବିଜେଡି। ନିକଟରେ ବିଭିନ୍ନ ଛାମୁଆ ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ବିଭିନ୍ନ ଜୋନର ବରିଷ୍ଠ ପର୍ଯ୍ୟବେକ୍ଷକମାନଙ୍କ ଦାୟିତ୍ୱ ଅଦଳବଦଳ କରାଯାଇଛି। ଆଗକୁ ଜିଲ୍ଲା ପର୍ଯ୍ୟବେକ୍ଷକ କ୍ଷେତ୍ରରେ ଅଦଳ ବଦଳ କରାଯିବା ସମ୍ଭାବନା ଅଛି। ନବୀନଙ୍କୁ ୬ଷ୍ଠ ଥର ଶାସନ ଗାଦିରେ ବସାଇବା ପାଇଁ ଅଙ୍କକଷା ଆରମ୍ଭ ହୋଇଛି। ଏହି କ୍ରମରେ ଭୁବନେଶ୍ୱରରେ ଦଳର ମନ୍ତ୍ରୀ, ବିଧାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ, ବରିଷ୍ଠ ନେତୃମଣ୍ଡଳୀ ଏବଂ ଜିଲ୍ଲା ସଭାପତିଙ୍କୁ ନେଇ ହୋଇଛି ମାନସ ମନ୍ଥନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନବ୍ୟାପୀ ସାଧନା ସମ୍ମାନ ପାଇବା ପରେ ଓଡ଼ିଶା ଫେରିବା ପରେ ଦଳ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ ଜରିଆରେ ସଫଳତାର ବାର୍ତ୍ତା ଦେବାକୁ ଉଦ୍ୟମ କରାଯାଇଥିଲା। ଚଳିତ ବର୍ଷ ବିଜେଡି ୨୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଥିବାରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟତଃ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ସଫଳତାକୁ ନେଇ ଦଳ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଜେଡି ସଂଖ୍ୟାଧିକ କାର୍ଯ୍ୟକ୍ରମ ହାତକୁ ନେବ। ବୈଠକରେ ସାମାଜିକ ସେବା ଠାରୁ ଆରମ୍ଭ କରି ସଂଗଠନ ସୁଦୃଢ଼ ସମ୍ପର୍କରେ ଆଲୋଚନା ହୋଇଛି। ସେହିପରି ବିରୋଧୀ ଦଳ ରାଜ୍ୟ ସରକାରଙ୍କ ବିରୋଧରେ ଚଳାଇଥିବା ଅପପ୍ରଚାରର ଦୃଢ଼ ଜବାବ୍‍ ଦେବା ଲାଗି ଦଳ ନିଜକୁ ପ୍ରସ୍ତୁତ କରୁଛି।

ଆଗକୁ ଅକ୍ଟୋବର ୨ରୁ ଦଳ ପକ୍ଷରୁ ହେବାକୁ ଥିବା ପଦଯାତ୍ରା ସହିତ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଛି। ସେପ୍ଟେମ୍ବର ମାସରୁ ବିଜେପି ଓ କଂଗ୍ରେସ ପକ୍ଷରୁ ରାଜନୈତିକ ଚଳଚଞ୍ଚଳ ବୃଦ୍ଧି ହେଉଥିବାରୁ ଏହାର ମୁକାବିଲା ପାଇଁ ମଧ୍ୟ ଆଲୋଚନା କରାଯାଇଛି। ସବୁ ଦିଗରୁ ବିଚାର କରି ବିଧାୟକ, ଜିଲ୍ଲାସଭାପତି ତଥା ପର୍ଯ୍ୟବେକ୍ଷକ ମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯାଇଛି। ଦଳର ବରିଷ୍ଠ ନେତୃବୃନ୍ଦ ଯୁବ, ଛାତ୍ର ଓ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଲୋକଙ୍କ ପାଖରେ ପହଞ୍ଚିବା କାର୍ଯ୍ୟରେ ନିୟୋଜନର ତଦାରଖ କରିବେ। ବରିଷ୍ଠ ନେତା ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସବୁ ସମୟରେ ଦଳ ପକ୍ଷରୁ ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ଆଲୋଚନା ହୋଇଥାଏ। ଦଳ ରାଜନୀତି ଉପରେ ନୁହେଁ ବରଂ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି କରିଥାଏ। ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସେବା କରି ଆସୁଛନ୍ତି। ତେଣୁ ଲୋକଙ୍କୁ ଆକୃଷ୍ଟ କରିବା ବିଜେଡି ପାଇଁ ରଣନୀତି ପ୍ରସ୍ତୁତ କରେ ନାହିଁ। ରାଜ୍ୟର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିବା ସେ କହିଛନ୍ତି।

Leave A Reply

Your email address will not be published.