ଏଟିଏମ୍ କାର୍ଡ ଥିଲେ ମାଗଣାରେ ମିଳିବ ୨୦ ଲକ୍ଷର ବୀମା କଭର୍, ଜାଣନ୍ତୁ କେଉଁ କାଟାଗୋରୀ କାର୍ଡରେ ମିଳିବ କେତେ ବୀମା ରାଶି

ନୂଆଦିଲ୍ଲୀ : ବ୍ୟାଙ୍କ ଖାତାଧାରୀ ଏଟିଏମ୍ କାର୍ଡ ଜରିଆରେ ସହଜରେ ନଗଦ ଟଙ୍କା ଉଠାଇବା ସହ କାର୍ଡ ସ୍ୱାଇପ୍ କରି ସପିଂ କରିଥାନ୍ତି। ଏଥିରେ କିନ୍ତୁ ବହୁତ କମ୍ କାର୍ଡଧାରୀ ଜାଣିଥାନ୍ତି ଯେ ଏଟିଏମ୍ କାର୍ଡ ସହ ସେମାନଙ୍କୁ ଏକ ଦୁର୍ଘଟଣାଜନିତ ବୀମା ସୁରକ୍ଷା ମଧ୍ୟ ମିଳିଥାଏ। ଆହୁରି ମଧ୍ୟ ଏହି ସେବା ସାହାଯ୍ୟରେ, ଏଟିଏମ୍ କାର୍ଡଧାରୀଙ୍କ ମୃତ୍ୟୁ କିମ୍ବା ଦୁର୍ଘଟଣା ଘଟିଲେ ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟଙ୍କୁ ବୀମା ରାଶି ପାଇଥାନ୍ତି। ସୂଚନା ଅଭାବରୁ ଲୋକମାନେ ଏଟିଏମ୍ କାର୍ଡ ସହ ମିଳୁଥିବା ଏହି ବୀମା ସୁବିଧାର ଲାଭ ଉଠାଇପାରୁନାହାନ୍ତି।

ତେବେ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଏହାର ଡେବିଟ୍ କାର୍ଡଧାରୀଙ୍କୁ ଦୁର୍ଘଟଣାଜନିତ ବୀମା ସୁରକ୍ଷା ବାବଦରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ପ୍ରଦାନ କରୁଛି। ତେବେ ଏହି ବୀମା କଭର କାର୍ଡର କାଟାଗୋରୀ ବା ବର୍ଗ ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ।

ଡେବିଟ୍ କାର୍ଡଧାରୀଙ୍କ ଦୁର୍ଘଟଣା କିମ୍ବା ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ଏଟିଏମ୍ କାର୍ଡରେ ଉପଲବ୍ଧ ବୀମା କଭରର ଲାଭ ମିଳିଥାଏ। ଏସ୍‌ବିଆଇ ୱେବସାଇଟ୍‌ରେ ଉପଲବ୍ଧ ସୂଚନା ଅନୁଯାୟୀ, ଡେବିଟ୍ କାର୍ଡଧାରୀଙ୍କୁ ସମ୍ମାନାର୍ଥେ ବା କମ୍ପଲିମେଣ୍ଟାରୀ ଭାବେ ଏକ ବୀମା କଭର ମିଳିଥାଏ। ଏହି ବୀମା କଭର ୨୫ ହଜାରରୁ ଆରମ୍ଭ କରି ୨୦ ଲକ୍ଷ ଟଙ୍କା ଯାଏ ହୋଇପାରେ। ଏଥିରେ ଏଟିଏମ୍ କାର୍ଡର କାଟାଗୋରୀ ଅନୁଯାୟୀ ବୀମା ରାଶି ସ୍ଥିର ହୋଇଥାଏ। ବ୍ୟାଙ୍କ ଏହାର ୱେବସାଇଟ୍‌ରେ ଏହି ବିଷୟରେ ବିସ୍ତୃତ ସୂଚନା ଦେଇଥାଏ।

ଯଦି ଦୁର୍ଘଟଣା ଦିନଠାରୁ ଅତି କମ୍‌ରେ ୯୦ ଦିନ ମଧ୍ୟରେ ବୀମା କଭର ହୋଇଥିବା କାର୍ଡଧାରୀ ଏଟିଏମ୍ ମେସିନ୍ କିମ୍ବା ପିଓଏସ୍‌/ ଇ-କମ୍‌ରେ ଏଟିଏମ୍ କାର୍ଡ ବ୍ୟବହାର କରିଛନ୍ତି ତେବେ ତାଙ୍କୁ ବୀମା ରାଶି ମିଳିବ। ବିମାନ ଦୁର୍ଘଟଣାଗ୍ରସ୍ତ କ୍ଷେତ୍ରରେ ଯଦି ଡେବିଟ୍ କାର୍ଡ ବ୍ୟବହାର କରି ଟିକେଟ୍ କିଣାଯାଇଥାଏ ତେବେ ଆପଣ ବୀମା ଅର୍ଥ ଦାବି କରିପାରିବେ। ତେବେ ଦୁର୍ଘଟଣାଜନିତ ବୀମା ରାଶି ଦାବି କରିବାକୁ ହେଲେ ଡେବିଟ୍ କାର୍ଡଧାରୀଙ୍କ ନୋମିନିଙ୍କୁ ବ୍ୟାଙ୍କ ଶାଖାକୁ ଯିବାକୁ ପଡିବ। ସେଠାକୁ ଯିବା ପରେ ଆପଣଙ୍କୁ ଏକ ଆବେଦନପତ୍ର ଦେବାକୁ ପଡିବ। ତେେବ ବ୍ୟାଙ୍କକୁ ଯାଇ କାର୍ଡଧାରୀଙ୍କ ସହ ଦୁର୍ଘଟଣାର ୪୫ ଦିନ ମଧ୍ୟରେ ଏହି ବୀମା ଦାବି କରିବାକୁ ହେବ।

Leave a comment